କନକ ବ୍ୟୁରୋ : କାର ଦୁର୍ଘଟଣାକୁ ନେଇ ପ୍ରଥମଥର ମୁହଁ ଖୋଲିଛନ୍ତି ଭାରତୀୟ ୱିକେଟକିପର ବ୍ୟାଟର ଋଷଭ ପନ୍ତ । ଋଷଭ କହିଛନ୍ତି, ଜୀବନରେ ପ୍ରଥମଥର ପାଇଁ ମୋତେ ଏମିତି ଲାଗିଲା ଯେ, ଏହି ଦୁନିଆରେ ମୋ ସମୟ ଶେଷ ହୋଇଗଲା । କିନ୍ତୁ ମୁଁ ଭାଗ୍ୟବାନ ଥିଲି, କାରଣ ଏହି ଦୁର୍ଘଟଣା ଆହୁରି ବଡ ଭୟଙ୍କର ହୋଇଥାନ୍ତା । ଦୁର୍ଘଟଣା ପରେ ମୁଁ ବଞ୍ଚିଥିଲି । କେହି ମୋତେ ବଞ୍ଚାଇଦେଲେ । ମୁଁ ହସ୍ପିଟାଲରେ ଡାକ୍ତରଙ୍କୁ ପଚାରିଥିଲି ମୋତେ ଭଲ ହେବାକୁ କେତେ ସମୟ ଲାଗିବ । ଡାକ୍ତର କହିଥିଲେ, ଭଲ ହେବାକୁ ୧୬ରୁ ୧୮ ମାସ ସମୟ ଲାଗିବ । ସେତେବେଳେ ସ୍ଥିର କରି ନେଇଥିଲି କଠିନ ପରିଶ୍ରମ ବଳରେ ଖୁବଶୀଘ୍ର ପୁଣିଥରେ ସୁସ୍ଥ ହେବି ଏବଂ ପଡିଆକୁ ଫେରିବି । ସମସ୍ତଙ୍କୁ ପୁର୍ନଜନ୍ମ ମିଳେନି । ମୁଁ ଭାଗ୍ୟବାନ ଯେ ମୋତେ ପୁଣିଥରେ ନୂଆ ଜୀବନ ମିଳିଛି ।

ପନ୍ତଙ୍କର ଏହି ଆତ୍ମବିଶ୍ୱାସ ହିଁ ତାଙ୍କୁ ପୁଣିଥରେ ମୈଦାନକୁ ଖୁବଶୀଘ୍ର ଫେରାଇ ଆଣିଛି । ଋଷଭ ଏବେ ପୁଣିଥରେ ଜାତୀୟ ଦଳକୁ ଫେରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଗତ ଆଇପିଏଲ ନିଲାମୀରେ ଋଷଭ ପନ୍ତଙ୍କୁ ନିଲାମୀ ଟେବୁଲରେ ଦେଖିବାକୁ ମିଳିଥିଲା । ଦିଲ୍ଲୀ ଟିମ ପକ୍ଷରୁ ନିଲାମୀ ଟେବୁଲରେ ବସିଥିଲେ ଋଷଭ । ଆଗକୁ ଆଇପିଏଲ ରହିଛି । ଆଇପିଏଲରେ ଦମଦାର ପ୍ରଦର୍ଶନ କରି ପୁଣିଥରେ ଟି-୨୦ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆକୁ ଫେରିବାକୁ ଆଶା ରଖିଛନ୍ତି ଋଷଭ ପନ୍ତ । ଏପରିକି ଦିଲ୍ଲୀ କ୍ୟାପିଟାଲ୍ସର ମେଣ୍ଟର ସୌରଭ ଗାଙ୍ଗୁଲି ମଧ୍ୟ ଅନେକ ସମୟରେ ଋଷଭଙ୍କ ଆତ୍ମବିଶ୍ୱାସ ବଢାଇଛନ୍ତି । ଆସନ୍ତା ଆଇପିଏଲରେ ଋଷଭ ଦିଲ୍ଲୀ ପକ୍ଷରୁ ସ୍ପେଶାଲିଷ୍ଟ ବ୍ୟାଟର ଭାବେ ମୈଦାନକୁ ଓହ୍ଲାଇପାରନ୍ତି । କିଛି ମାସ ପାଇଁ ୱିକେଟକିପିଂରୁ ଦୂରେଇ ରହିପାରନ୍ତି ପନ୍ତ । ଯେହେତୁ କାର ଦୁର୍ଘଟଣାରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା ତେଣୁ ଦିଲ୍ଲୀ କ୍ୟାପିଟାଲ୍ସ ୱିକେଟକିପିଂରୁ ପନ୍ତଙ୍କୁ ଦୂରେଇ ରଖିପାରେ ।

ଗତ ୨୦୨୨ ଡିସେମ୍ବର ୩୦ ତାରିଖ ଭୋର ସମୟରେ ପନ୍ତଙ୍କର ଗାଡି ହାଇୱେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଡିଭାଇଡରରେ ପିଟିହେବା କାରଣରୁ ପନ୍ତଙ୍କ ଗାଡିରେ ନିଆଁ ଲାଗିବା ସହ ପୂରା ଜଳି ଯାଇଥିଲେ । ସୌଭାଗ୍ୟବସତଃ ପନ୍ତ ଅଳ୍ପକେ ମୃତ୍ୟୁମୁଖରୁ ରକ୍ଷା ପାଇ ଯାଇଥିଲେ । ତୁରନ୍ତ ପନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଥିଲା । ପନ୍ତ କିଭଳି ଶୀଘ୍ର ସୁସ୍ଥ ହୋଇପାରିବେ ସେଥିପାଇଁ ବିସିସିଆଇ ପକ୍ଷରୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥିଲା । ପରେ ଏନସିଏରେ ରହି ଶାରୀରିକ ଅଭ୍ୟାସ ସହ ନିଜକୁ ଫିଟ୍ କରିଛନ୍ତି ପନ୍ତ । ଏବେ ଭାରତୀୟ କ୍ରିକେଟପ୍ରେମୀ ପନ୍ତଙ୍କ କମବ୍ୟାକକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ।