ବିରାଟ ବାହିନୀକୁ ବଡ଼ ଝଟକା । ଆହତ ଯୋଗୁଁ ରାଜକୋଟ ଯିବେନି ଋଷଭ, ଦିନକ ପରେ କଙ୍ଗାରୁ ଦଳ ସହ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ।

647

କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ୱିକେଟ୍ କିପର ତଥା ବାମହାତୀ ମିଡିଲ ଅର୍ଡର ଖେଳଳୀ ଋଷଭ ପନ୍ତ ଖେଳିନପାରନ୍ତି ରାଜକୋଟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆ । ଗତକାଲି ୱାଙ୍ଖଡେ ଷ୍ଟାଡ଼ିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଆହତ ହୋଇଥିଲେ ଋଷଭ ।

ସୂଚନା ମୁତାବକ, ଗତକାଲି ବ୍ୟାଟିଂ କରୁଥିବା ବେଳେ ଋଷଭଙ୍କ ମୁଣ୍ଡରେ ଏକ ବାଉନ୍ସର ବଲ ବାଜିଥିଲା । ହେଲେ ସେ ହେଲମେଟରେ ପିନ୍ଧିଥିବାରୁ ସୁରକ୍ଷିତ ଅଛନ୍ତି । କିନ୍ତୁ ସେ ଦ୍ୱିତୀୟ ଇନିଂସରେ କ୍ଷେତ୍ରରକ୍ଷକ ଭାବେ ପଡ଼ିଆରେ ନଜର ଆସିନଥିଲେ । ବରଂ କେ.ଏଲ ରାହୁଲ ଦଳ ପାଇଁ ୱିକେଟ କିପର ହୋଇଥିଲେ । ବସିସିଆଇ ସୂତ୍ରରୁ ଜଣାପଡ଼ିଛି କି, ଆସନ୍ତା ୧୭ ତାରିଖରେ ରାଜକୋଟରେ ହେବାକୁଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ ପାଇଁ ଦଳର ଅନ୍ୟସଦସ୍ୟଙ୍କ ସହ ଋଷଭ ଯିବେନାହିଁ ।

ସେପଟେ ମୁଣ୍ଡରେ ଆଘାତ ଲାଗିଥିବାରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସେ ବିଶ୍ରାମ ନେବେ । ତାଙ୍କର ଚିକିତ୍ସା ପାଇଁ ବିସିସିଆଇ ଫିଜିଓ ଥେରାପୀ ଟିମ୍ ସଜାଗ ରହିଛି । ତେବେ ଯଦି ଋଷଭ ଆଗାମୀ ମ୍ୟାଚରେ ପଡ଼ିଆକୁ ନଓହ୍ଲାନ୍ତି କେ.ଏଲ ରାହୁଲଙ୍କୁ ଦଳର ୱିକେଟ ରକ୍ଷକ ଭାବେ ଦାୟିତ୍ୱ ସମ୍ଭାଳିବାକୁ ପଡ଼ିବ । ଅନ୍ୟପଟେ ଦଳ ପାଇଁ ଋଷଭଙ୍କ ଅନୁପସ୍ଥିତି ବଡ଼ ସମସ୍ୟା ସୃଷ୍ଟି କରିବନି ତ?