କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ସେମିଫାଇନାଲ ରେସରୁ ଭାରତ ବାଦ୍ ପଡିବା ପରେ ଅନେକ ସମାଲୋଚନାର ଶିକାର ହେବାକୁ ପଡୁଛି । ଟିମରେ ବଡ ଧରଣର ପରିବର୍ତ୍ତନ କରାଯାଉଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ରୋହିତ ଶର୍ମାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । କାରଣ ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ଅଧିନାୟକ ପଦ ଛାଡିଛନ୍ତି କୋହଲି । ଏପରିକି କୋହଲିଙ୍କ ଦିନିକିଆ ଅଧିନାୟକତ୍ୱକୁ ନେଇ ମଧ୍ୟ ଏବେ ପ୍ରଶ୍ନ ଉଠିଲାଣି । ଏନେଇ ବିସିସିଆଇ ଖୁବଶୀଘ୍ର ନିଷ୍ପତ୍ତି ନେଇପାରେ ବୋଲି କୁହାଯାଉଛି । କାରଣ ଆଗକୁ ୨୦୨୩ ବିଶ୍ୱକପ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏସବୁ ଭିତରେ ରୋହିତଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯିବାକୁ ନେଇ ବଡ ବୟାନ ରଖିଛନ୍ତି ଇଂଲଣ୍ଡର ପୂର୍ବତନ କ୍ରିକେଟର ଗ୍ରେମ ସ୍ୱାନ । ଇଂଲଣ୍ଡର ଏହି ପୂର୍ବତନ ସ୍ପିନର କହିଛନ୍ତି, ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦେବା ଉଚିତ ନଥିଲା । ବୟସକୁ ଦୃଷ୍ଟିରେ ରଖି ରୋହିତଙ୍କ ବଦଳରେ ରିଷଭ ପନ୍ତଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ନିଯୁକ୍ତ କରିବା କଥା । ରୋହିତ ଜଣେ ଭଲ ଖେଳାଳୀ, କିନ୍ତୁ ଲମ୍ବା ସମୟ ପର୍ଯ୍ୟନ୍ତ ସେ ଟିମ୍ ଇଣ୍ଡିଆର ଅଧିନାୟକ ରହିପାରିବେ ନାହିଁ । ଅନ୍ୟପଟେ ରିଷଭ ପନ୍ତ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ଦଳର ମଙ୍ଗ ସମ୍ଭାଳିପାରିବେ । ଆଇପିଏଲରେ ମଧ୍ୟ ରିଷଭ ପନ୍ତ ଅଧିନାୟକ ଭାବେ ଦମଦାର ପ୍ରଦର୍ଶନ କରିଛନ୍ତି । ଅଧିନାୟକ ଭାବେ ନିଜ ଖେଳରେ ଅନେକ ସୁଧାର ଆଣିଛନ୍ତି ରିଷଭ । ଉଭୟ ଧୋନୀ ଓ କୋହଲିଙ୍କ ଗୁଣ ରିଷଭଙ୍କ ଠାରେ ଭରି ହୋଇ ରହିଛି । ବିରାଟଙ୍କ ଭଳି ରିଷଭ ପଡିଆ ମଝିରେ ଜୋଶର ସହ ଖେଳିଥାନ୍ତି । ସେହିଭଳି ୱିକେଟ ପଛରେ ବୋଲରଙ୍କୁ ଉତ୍ସାହିତ କରିବାର ସୁଯୋଗ ଛାଡନ୍ତି ନାହିଁ ରିଷଭ ।
ଚଳିତ ଆଇପିଏଲରେ ଶ୍ରେୟସ ଆୟର ଆହତ ହେବା ପରେ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ୱ ମିଳିଥିଲା । ଆଉ ଅଧିନାୟକ ହେବା ପରେ ଦିଲ୍ଲୀକୁ ପ୍ଲେ-ଅଫରେ ପହଞ୍ଚାଇଥିଲେ ରିଷଭ ପନ୍ତ । ତେବେ ଦଳ ଚାମ୍ପିୟନ ହୋଇନଥିଲେ ମଧ୍ୟ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ରହିଥିଲା । ଏହାଛଡା ରିଷଭ ପନ୍ତ ୩ଟି ଫର୍ମାଟରେ ଖେଳି ଆସୁଥିବାରୁ ଅଧିନାୟକ ପଦ ପାଇଁ ସବୁଠୁ ଯୋଗ୍ୟ ଥିଲେ । ଏହାଛଡା ୱିକେଟ ପଛରେ ପନ୍ତଙ୍କ ଠାରେ ଧୋନୀଙ୍କ ଝଲକ ଦେଖିବାକୁ ମିଳିଥାଏ । ୨୦୦୭ରେ ଯେତେବେଳେ ଧୋନୀଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା ସେତେବେଳେ ଏହା ଦଳ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଥିଲା । ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଦୁଇଟି ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫି ଜିତିବାରେ ସକ୍ଷମ ହୋଇଥିଲା । ତେଣୁ ପନ୍ତଙ୍କୁ ମଧ୍ୟ ଟିମ୍ ଇଣ୍ଡିଆ ଧୋନୀଙ୍କ ବିକଳ୍ପ ଭାବେ ବାଛୁ ବୋଲି କ୍ରିକେଟପ୍ରେମୀ ଚାହୁଁଛନ୍ତି ।