କନକ ବ୍ୟୁରୋ : ରାଜସ୍ଥାନ ବିପକ୍ଷ ମ୍ୟାଚର ଶେଷ ଓଭରରେ ନୋ ବଲକୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତ ଅସନ୍ତୋଷ ବ୍ୟକ୍ତ କରିବା ସହ ଖେଳାଳୀଙ୍କୁ ପଡିଆ ମଝିରୁ ଫେରି ଆସିବାକୁ କହିଥିଲେ । ଏପରିକି ସହକାରୀ କୋଚଙ୍କୁ ପଡିଆ ମଝିକୁ ପଠାଇବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।  ଅମ୍ପାୟରଙ୍କ ନିଷ୍ପତ୍ତିରେ ପନ୍ତଙ୍କ ଏଭଳି ଆଭିମୁଖ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ । ଖୋଲାଖୋଲି ଭାବେ ପନ୍ତ ଆଇପିଏଲର ଶୃଙ୍ଖଳା ଭଙ୍ଗ କରିଥିଲେ । ଆଉ ଏଥିପାଇଁ ପନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କର ମ୍ୟାଚ୍ ଫି କଟାଯାଇଛି । ଆଉ ଏହି ବାବଦକୁ ପନ୍ତଙ୍କୁ କୋଟିଏରୁ ଅଧିକ ଟଙ୍କା ହରାଇବାକୁ ପଡିଛି । ତେବେ ମ୍ୟାଚ୍ ଫି କଟିବାକୁ ନେଇ କଣ ନିୟମ ରହିଛି ସେ ବାବଦରେ ଜାଣିରଖନ୍ତୁ ।

Advertisment

ଅର୍ନ୍ତଜାତୀୟ ମ୍ୟାଚରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଗଲେ ଖେଳାଳୀଙ୍କୁ ପ୍ରତି ମ୍ୟାଚ୍ ପିଛା ମିଳୁ୍ଥିବା ରାଶିରୁ ମ୍ୟାଚ୍ ଫି କଟାଯାଇଥାଏ । ଯାହା ପ୍ରତି ଦେଶର ବୋର୍ଡ ଖେଳାଳୀଙ୍କୁ ମ୍ୟାଚ୍ ପିଛା ଦେଉଥିବା ପାରିଶ୍ରମିକରୁ କଟାଯାଇଥାଏ । ତେବେ ନୋ ବଲ ବିବାଦକୁ ନେଇ ପନ୍ତଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୧୦୦ ପ୍ରତିଶତ ମ୍ୟାଚ୍ ଫି କଟାଯାଇଛି । ଯାହା  ୧.୧୪ କୋଟିର ଜରିମାନା । କାରଣ ଆଇପିଏଲରେ ଏହା ମୋଟ ପାରିଶ୍ରମିକ ଆଧାରରେ ମ୍ୟାଚ୍ ଫି ନିର୍ଦ୍ଧାରିତ ହୋଇଥାଏ ।

୨୦୨୨ ଆଇପିଏଲରେ ପନ୍ତଙ୍କୁ ଦିଲ୍ଲୀ ରିଟେନ କରିଥିବା ବେଳେ ଏଥିପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ କରିଛି ।  ତେଣୁ ୧୪ଟି ଲିଗ୍ ମ୍ୟାଚକୁ ହିସାବକୁ ନେଲେ ପନ୍ତଙ୍କ ପ୍ରତି ମ୍ୟାଚର ପାରିଶ୍ରମିକ ହେଉଛି ୧.୧୪ କୋଟି ଟଙ୍କା ।  ସେହିଭଳି ସାର୍ଦ୍ଦୁଳ ଠାକୁରଙ୍କୁ ଚଳିତ ଆଇପିଏଲରେ ୧୦.୭୫ କୋଟି ଟଙ୍କାରେ ଦିଲ୍ଲୀ କିଣିଥିଲା ।  ତେଣୁ ୧୪ଟି ଲିଗ୍ ମ୍ୟାଚ୍ ହିସାବରେ ସାର୍ଦ୍ଦୁଳଙ୍କ ପ୍ରତି ମ୍ୟାଚର ପାରିଶ୍ରମିକ ୭୭ ଲକ୍ଷ ଟଙ୍କା । ଯେହେତୁ ସାର୍ଦ୍ଦୁଳଙ୍କର ୫୦ ପ୍ରତିଶତ ମ୍ୟାଚ୍ ଫି କଟାଯାଇଛି ତେଣୁ ତାଙ୍କର ମୋଟ ୩୮.୫୦ ଲକ୍ଷ ଟଙ୍କା ମ୍ୟାଚ୍ ଫି ବାବଦକୁ କଟାଯାଇଛି ।