ଦୁର୍ଘଟଣା ପରେ ସୁସ୍ଥ ହେଉଛନ୍ତି ରିଷଭ ପନ୍ତ । ଆଶାବାଡି ଧରି ଚାଲୁଛନ୍ତି ଟିମ୍ ଇଣ୍ଡିଆ କ୍ରିକେଟର । ସାମ୍ନାକୁ ଆସିଲା ଫଟୋ…

163

କନକ ବ୍ୟୁରୋ: ସୁସ୍ଥ ହେଉଛନ୍ତି ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ । ଦୁର୍ଘଟଣା ପରେ ସେ ନିଜେ ଏବେ ତାଙ୍କର ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଫଟୋରେ ସେ ଆଶା ବାଡି ଧରି ଚାଲୁଥିବା ନଜର ଆସୁଥିବାବେଳେ, ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଦେଖିବାକୁ ମିଳୁଛି । ତେବେ ଏବେ ବି ତାଙ୍କ ଗୋଡରେ ପ୍ଲାଷ୍ଟର ଲାଗିଥିବା ଦେଖିବାକୁ ମିଳୁଛି ।

ଗତବର୍ଷ ଡିସେମ୍ବର ମାସରେ ରିଷଭ ପନ୍ତଙ୍କର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ନିଜ ମାଙ୍କୁ ଭେଟିବାକୁ ଯାଉଥିବାବେଳେ, ଅଧା ରାସ୍ତାରେ ତାଙ୍କ ଗାଡି ଦୁର୍ଘଟଣା ଘଟିଥିଲା । ଏହାପରେ ତୁରନ୍ତ ତାଙ୍କ ଡେରାଡୁନର ମାକ୍ସ ହସ୍ପିଟାଲ ଓ ପରେ ପରେ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲକୁ ସିଫ୍ଟ କରାଯାଇଥିଲା । ସେଠାରେ ସର୍ଜରୀ ପରେ ଏବେ ରିଷଭ ପନ୍ତ ସୁସ୍ଥ ହେଉଥିବା ଦେଖିବାକୁ ମିଳୁଛି ।

ରିଷଭ ପନ୍ତ ସୋସିଆଲ୍ ମିଡିଆରେ ତାଙ୍କର ଦୁଇଟି ଫଟୋ ପୋଷ୍ଟ କରିବା ସହିତ ହୃଦୟକୁ ଛୁଇଁଲା ଭଳି ତିନୋଟି ଲାଇନ୍ ଲେଖିଛନ୍ତି । ଗୋଟିଏ ପାଦ ଆଗକୁ, ଗୋଟିଏ ପାଦ ମଝବୁତ ଓ ଗୋଟିଏ ପାଦ ଭଲ ଆଡକୁ ବୋଲି ଲେଖି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ରିଷଭ ପନ୍ତ ।

ଏହାରି ଭିତରେ ରିଷଭ ପନ୍ତ କେବେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ତାକୁ ନେଇ ମଧ୍ୟ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ବର୍ତ୍ତମାନ ପାଇଁ ସେ କ୍ରିକେଟଠାରୁ ଦୂରରେ ରହିଛନ୍ତି । ଏହାସହ ପନ୍ତ ଆସନ୍ତା ଏସିଆ କପ୍ ଓ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରୁ ବାହାରେ ରହିବା ଅନୁମାନ କରାଯାଉଛି । ତେବେ ଦିନିକିଆ ବିଶ୍ୱକପ୍ ବେଳକୁ ରିଷଭ ପନ୍ତ ସୁସ୍ଥ ହେଉଛନ୍ତି କି ନାହିଁ, ତାହା ହିଁ ଗୁରୁତ୍ୱପୂର୍ଣ୍ଣ ବିଷୟ । ଅନ୍ୟପଟେ ଆଇପିଏଲ୍ ଦଳ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ କିଏ ହେବ ତାକୁ ନେଇ ମଧ୍ୟ ଟିମ୍ ମ୍ୟାନେଜମେଣ୍ଟ ଚିନ୍ତାରେ । କୁହାଯାଉଛି, ଦିଲ୍ଲୀ କ୍ୟାପିଟାଲ୍ସ ଏବେ ନିଜର ନୂଆ ଅଧିନାୟକ ଖୋଜିବା ଆରମ୍ଭ କରିଛି । ତେବେ ଅଷ୍ଟ୍ରେଲିଆ ଖେଳାଳି ଡେଭିଡ୍ ୱାର୍ଣ୍ଣରଙ୍କୁ ଦଳ ଅଧିନାୟକ ଦାୟିତ୍ୱ ଦେଇପାରେ ।