ଯୁବ ଖେଳାଳୀ ରାଇଡୁ, ଋଷଭ ଓ ନବଦୀପଙ୍କୁ ବଡ ସୁଯୋଗ । ୨୦୧୯ ବିଶ୍ୱକପ ପାଇଁ ବିକଳ୍ପ ଖେଳାଳୀ ଭାବେ ଦଳରେ ସାମିଲ କଲା ବିସିସିଆଇ ।

953

କନକ ବ୍ୟୁରୋ : ୨୦୧୯ କ୍ରିକେଟ୍ ବିଶ୍ୱକପ ପାଇଁ ଘୋଷଣା ହୋଇସାରିଛି ଯୋଦ୍ଧାଙ୍କ ନାମ । ଇଂଲଣ୍ଡରେ ଦମ ଦେଖାଇବାକୁ ପ୍ରସ୍ତୁତ ବିରାଟ ବାହିନୀ । ତେବେ ଦଳ ଚୟନ ବେଳେ ଏପରି କିଛି ଖେଳାଳୀ ରହିଥିଲେ, ଯେଉଁମାନଙ୍କ ଚୟନକୁ ନେଇ ଚୟନକର୍ତ୍ତାଙ୍କ ମଧ୍ୟରେ ବେଶ ବିଚାରବିମର୍ଶ ହୋଇଥିଲା । ହେଲେ ଶେଷରେ ସେମାନେ ଦଳରେ ସାମିଲ ହୋଇପାରିନଥିଲେ । କିନ୍ତୁ ଏବେ ସେମାନଙ୍କୁ ଏକ ବଡ ସୁଯୋଗ ପ୍ରଦାନ କରିଛି ବିସିସିଆଇ ।

ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ଥ, ଅନୁଭବୀ ବ୍ୟାଟ୍ସମ୍ୟାନ ଅମ୍ବାତି ରାଇଡୁ ଏବଂ ଫାଷ୍ଟ ବୋଲର ନବଦୀପ ସାଇନିଙ୍କୁ ମିଳିଛି ବିଶ୍ୱକପ ଟିକେଟ୍ । ଆସନ୍ତା ମେ ମାସ ୩୦ ତାରିଖରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ୨୦୧୯ କ୍ରିକେଟ ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ବାଦ୍ ଏହି ତିନି ଜଣ ଖେଳାଳୀଙ୍କୁ ବିକଳ୍ପ ଖେଳାଳୀ ଭାବେ ଭାରତୀୟ ଦଳରେ ସୁଯୋଗ ମିଳିଛି । ତେବେ ଏହି ତିନିଜଣ ଖେଳାଳୀ ପ୍ରଥମ ଥର ପାଇଁ ବିଶ୍ୱକପ ଦଳରେ ସାମିଲ ହୋଇଛନ୍ତି । ବିସିସିଆଇ ପକ୍ଷରୁ ଏନେଇ ସୂଚନା ଦିଆଯିବା ପରେ ଟ୍ୱିଟ୍ କରି ଖୁସି ବ୍ୟକ୍ତ କରିଛନ୍ତି ଅମ୍ବାତି ରାଇଡୁ ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଯେଉଁଭଳି ଷ୍ଟାଣ୍ଡ ବାଇ ଖେଳାଳୀ ରହୁଥିଲେ, ଠିକ୍ ସେହିପରି ବିଶ୍ୱକପ ପାଇଁ ଭାରତୀୟ ଦଳରେ ତିନି ଜଣ ବିକଳ୍ପ ଖେଳାଳୀ ରହିବେ । ଯଦି କୌଣସି ଖେଳାଳୀ ଆହତ ହୁଅନ୍ତି, ତେବେ ଏହି ଖେଳାଳୀଙ୍କୁ ଟିମରେ ସାମିଲ କରାଯିବ । ଯୁବ ତାରକା ଋଷଭ ପନ୍ଥ ଓ ଅମ୍ବାତି ରାଇଡୁ କ୍ରମଶଃ ପ୍ରଥମ ଏବଂ ଦ୍ୱିତୀୟ ବିକଳ୍ପ ଖେଳାଳୀ ଭାବେ ରହିଥିବା ବେଳେ ନବଦୀପ ସାଇନିଙ୍କୁ ଦ୍ରୁତ ବୋଲର ରୂପେ ତୃତୀୟ ବିକଳ୍ପ ଖେଳାଳୀ ଭାବେ ସୁଯୋଗ ମିଳିଛି ।