କନକ ବ୍ୟୁରୋ : ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମ । ଜନ୍ମର ମାତ୍ର ୨ ବର୍ଷ ପରେ ୨ ଗୋଡ ଅକାମୀ ହୋଇଗଲା । ଆଉ ସେହିଦିନରୁ ହିଁ ବଂଚିବା ପାଇଁ ଆରମ୍ଭ ହେଲା ସଂଘର୍ଷ । ଗୋଡ ନାହିଁ ହେଲେ କାହାରି ଉପରେ ନିର୍ଭର କରିନାହାନ୍ତି । ନିଜକାମ ନିଜେ କରିବା ସହ ପରିବାରର ବୋଝ ଉଠାଇବାକୁ ବି ସକ୍ଷମ ହୋଇଛନ୍ତି । ଦୀର୍ଘ ୨୯ ବର୍ଷର ସଂଘର୍ଷ ପରେ ଏବେ ସେ ହିଁ ଅନ୍ୟର ଉଦାହରଣ ପାଲଟିଛନ୍ତି ।
ଦିବ୍ୟାଙ୍ଗ ହେଲେ ବି ପୂରା ସକ୍ଷମ । ୨ ଗୋଡ ନଥାଇ ବି ସମ୍ଭାଳୁଛନ୍ତି ପରିବାର । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗର୍ଭଣୀପଡା ଗ୍ରାମର ପ୍ରସନ୍ନ କୁମାର ଜେନାଙ୍କର । ୨ ବର୍ଷ ବୟସରେ ପ୍ରସନ୍ନ ପୋଲିଓ ଟିକା ନେଇଥିଲେ ପରେ ଧିରେ ଧିରେ ଗୋଡ ପାଚିବାକୁ ଲାଗିଲା ଓ ପରେ ପୂରା ଅଚଳ ହୋଇଗଲା । ପୁଅର ଏଅବସ୍ଥା ଦେଖି ଖୋର୍ଦ୍ଧାଠୁ ଆରମ୍ଭ କରି ଭୁବନେଶ୍ୱର କଟକ ପର୍ଯ୍ୟନ୍ତ ସବୁ ବଡବଡ ମେଡିକାଲକୁ ନେଇ ଚିକିତ୍ସା କରାଇଲେ । କିନ୍ତୁ କିଛି ଲାଭ ହେଲା ନାହିଁ । ପୁଅର ଏହି କଷ୍ଟ ଦେଖିପାରିଲେ ନାହିଁ ବାପା, ଚିନ୍ତାରେ ଆଖି ବୁଜି ଦେଲେ । ସ୍ୱାମୀ ପରପାରିରେ ଓ ପୁଅର ଏ ଅବସ୍ଥା । ବୋଝ ଉପରେ ନଳିତା ବିଡା ପରି ପ୍ରସନ୍ନ ମା’ଙ୍କ ଉପରେ ପଡିଲା ବଜ୍ର ଚଡକ । କଷ୍ଟେ ମଷ୍ଟେ ପ୍ରସନ୍ନଙ୍କୁ ବଡ କଲେ ମା’ । ଆଉ ମାତ୍ର ୫ମ ଶ୍ରେଣୀରେ ପାଠ ପଢିବା ପରେ ପାଠରେ ଡୋରି ବାନ୍ଧିଦେଇଥିଲେ । ପରେ ଜୀବନ ଯୁଦ୍ଧରେ ସଂଗ୍ରାମ ପାଇଁ ଅଂଟା ଭିଡିବା ସହ ଗୁଜୁରାଣ ମେଂଟାଇବା ଲାଗି ପାନଦୋକାନ ବି କଲେ ।
ନିଜର ଅଦମ୍ୟ ଇଚ୍ଛାଶକ୍ତି ଆଗରେ ଯେ, ମଣିଷ ସବୁ କିଛି ବି କରିପାରିବ ଏ କଥା ପ୍ରମାଣ କରି ଦେଖାଇଛନ୍ତି ପ୍ରସନ୍ନ । ବର୍ତମାନ ଦୋକାନର ସମସ୍ତ ସାମଗ୍ରୀ ନିଜର ଟ୍ରାଇ ସାଇକେଲରେ ବୋହି ଆଣୁଛନ୍ତି । କେବଳ ଯେ, ଦୋକାନ ସଉଦା ତାହା ନୁହେଁ ବରଂ ନିଜର ନିତ୍ୟକର୍ମ କରିବା ପାଇଁ ସେ କାହାକୁ ଅପେକ୍ଷା କରନ୍ତି ନାହିଁ । ଦୋକାନରୁ ଯାହା ୨ ପଇସା ରୋଜଗାର କରୁଛନ୍ତି ସେତିକିରେ ମା’ ଓ ପୁଅ ଦିନକୁ ୨ ମୁଠା ଖାଇପାରୁଛନ୍ତି । ଅଧିକ ଟଙ୍କା ରୋଜଗାର ହୋଇପାରୁନଥିଲେ ବି ଦୋକାନକୁ ହେଉଥିବା ଲାଭ ଟଙ୍କାରେ ସେ ସନ୍ତୁଷ୍ଟ ବୋଲି କହନ୍ତି ପ୍ରସନ୍ନ ।
ପ୍ରସନ୍ନ କାହା ଉପରେ ନିର୍ଭର ନକରି ଚଳିବାକୁ ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସା କରାଯାଉଛି । କିନ୍ତୁ ମା’ର ମନ ମାନୁନାହିଁ । ବୁଢୀ ବୟସରେ ଦିବ୍ୟାଙ୍ଗ ପୁଅର ଏହି ଦୁଃଖ ଓ ପରିଶ୍ରମ ସେ ସହିପାରୁନାହାନ୍ତି । ତେଣୁ ସରକାରୀ ସହାୟତା ଲାଗି କାକୁତି ମୀନତି ହେଉଛନ୍ତି । ସରକାର ଯଦି ପ୍ରସନ୍ନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦିଅନ୍ତେ ତେବେ ନିଶ୍ଚିତ ଭାବରେ ପ୍ରସନ୍ନଙ୍କ ଜୀବନରେ ଏକ ବଡ ପରିବର୍ତନ ଆସିପାରନ୍ତା ।