ମହଙ୍ଗା ହେବ ଘର । ସିମେଣ୍ଟ ଓ ଲୁହା ଛଡ଼ ଦରରେ ଅହେତୁକ ବୃଦ୍ଧି ପରେ ବଢ଼ିଲା ଚିନ୍ତା ।

Advertisment
ମହଙ୍ଗା ହେବ ଘର । ସିମେଣ୍ଟ ଓ ଲୁହା ଛଡ଼ ଦରରେ ଅହେତୁକ ବୃଦ୍ଧି ପରେ ବଢ଼ିଲା ଚିନ୍ତା ।

କନକ ବ୍ୟୁରୋ : କଞ୍ଚାମାଲ ଦରଦାମ ବୃଦ୍ଧି ପାଉଥିବାରୁ ବୃଦ୍ଧି ପାଇବ ଘରର ନିର୍ମାଣ ଖର୍ଚ୍ଚ । ବିଶେଷ କରି ସିମେଣ୍ଟ ଓ ଲୁହାଛଡ ଦର ବଢ଼ିବା ଯୋଗୁଁ ଚିନ୍ତାରେ ପଡିଛନ୍ତି ବିଲ୍ଡର ଓ ରିଅଲ ଇଷ୍ଟେଟ ମାଲିକ । ଆଉ ଘର ଖଣ୍ଡେ କିଣିବାକୁ ଚାହୁଁଥିବା ଲୋକ ମହଙ୍ଗା ମାଡର ଶିକାର ହେବେ ବୋଲି ଚେତାଇ ଦେଇଛି କ୍ରେଡାଇ ।

କରୋନା ଯୋଗୁଁ ଧିମେଇ ପଡିଥିବା ନିର୍ମାଣ କାମ ଯେତେବେଳେ ଗତିଶୀଳ ହେବାର ସମୟ ଆସିଲା, ସେତେବେଳେ ପଡିଲା ମହଙ୍ଗା ମାଡ଼ । ଉଭୟ ସିମେଣ୍ଟ ଓ ଲୁହା ଛଡ଼ ଦର ୪୦ରୁ ୫୦ ପ୍ରତିଶତ ବୃଦ୍ଧି ପାଇବା ପରେ ବିଲ୍ଡର ଓ ରିଅଲ ଇଷ୍ଟେଟ୍ ମାଲିକ ଚିନ୍ତାରେ ପଡିଛନ୍ତି । ଘର ଖଣ୍ଡେ କରିବାକୁ ଚାହୁଁଥିବା ସାଧାରଣ ଲୋକ ମଧ୍ୟ ମହଙ୍ଗା ମାଡ଼ର ଶିକାର ହେବେ । ସେଥିପାଇଁ ତାଙ୍କୁ ଅଧିକ ଟଙ୍କା ଗଣିବାକୁ ପଡିବ ।

ଘର ତିଆରିରେ ମହଙ୍ଗା ମାଡ଼
୨୦୨୦ରେ ଲୁହା ଛଡ଼ କ୍ୱିଣ୍ଟାଲ ପ୍ରତି ଥିଲା ପ୍ରାୟ ସାଢ଼େ ୫ ହଜାର ଟଙ୍କା
ଏବେ ଏହା କ୍ୱିଣ୍ଟାଲ ପ୍ରତି ପାଖାପାଖି ୮ହଜାର ଟଙ୍କାରେ ପହଞ୍ଚିଛି
ସେହିପରି ସିମେଣ୍ଟ ୫୦ କେଜି ବସ୍ତା ମିଳୁଥିଲା ୨୫୦ ଟଙ୍କା ଭିତରେ
ଏବେ ଏହି ମୂଲ୍ୟ ୩୦୦ରୁ ୩୫୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଇଛି

ବୃଦ୍ଧି ପାଇଲା ଘର ତିଆରି କଞ୍ଚାମାଲ । ୩୦ ପ୍ରତିଶତରୁ ଅଧିକ ବଢ଼ିପାରେ ଗୃହ ନିର୍ମାଣ । ସିମେଣ୍ଟ ଓ ଷ୍ଟିଲର ମୂଲ୍ୟ ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବାରୁ ସମସ୍ୟାର ସମାଧାନ କିପରି ହେବ ବାଟ ପାଉନାହାନ୍ତି ବିଲ୍ଡର ଓ ରିଅଲ ଇଷ୍ଟେଟ ସଂସ୍ଥା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନନେଲେ ରିଅଲ ଇଷ୍ଟେଟ କ୍ଷେତ୍ର ଦୁର୍ବଳ ହେବ ଏବଂ ଘର ଖଣ୍ଡେ କିଣିବାକୁ ଚାହୁଁଥିବା ଲୋକ ଅନେକ ସମସ୍ୟାରେ ପଡିବେ ବୋଲି ଚେତାଇ ଦେଇଛି କ୍ରେଡାଇ ।

ଗୋଟିଏ ପଟେ ଲକଡାଉନ ଯୋଗୁଁ ନିର୍ମାଣ କାମ ବିଳମ୍ବିତ ହୋଇଛି, ଅନ୍ୟପଟେ ନିର୍ମାଣ ଶ୍ରମିକଙ୍କ ଅଭାବ ମଧ୍ୟ ଦେଖାଯାଇଛି । ଏଭଳି ସ୍ଥିତିରେ କଞ୍ଚାମାଲର ମହଙ୍ଗା ମାଡ଼ ଚିନ୍ତାର କାରଣ ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe