କୁକୁରଙ୍କୁ ଘାରିଛି ଭୂତାଣୁ ଭୟ । ମାରାତ୍ମକ ପାର୍ଭୋ ସଂକ୍ରମଣ ନେଇଯାଉଛି କୁକୁରଙ୍କ ଜୀବନ ।

225

କନକ ବ୍ୟୁରୋ : କୁକୁରଙ୍କୁ ଘାରିଛି ଭୂତାଣୁ ଭୟ । ରାଜ୍ୟରେ ବ୍ୟାପିବାରେ ଲାଗିଛି ମାରାତ୍ମକ ‘ପାର୍ଭୋ’ ଭୂତାଣୁ । ପାର୍ଭୋ ସଂକ୍ରମଣରେ ପଡୁଛନ୍ତି ଉଭୟ ବୁଲା ଓ ପୋଷା କୁକୁର । ଭାଇରାସ ଆକ୍ରାନ୍ତ ହେବାର କେଇ ଦିନ ଭିତରେ ଆଖି ବୁଜିଦେଉଛନ୍ତି କୁକୁର । ପଶୁ ଡାକ୍ତରଖାନାରେ ବଢିବାରେ ଲାଗିଛି ରୋଗାକ୍ରାନ୍ତ କୁକୁରଙ୍କ ସଂଖ୍ୟା ।

ବିପଦ ଆଣୁଛି “ପାର୍ଭୋ” ଭୂତାଣୁ । ମାରାତ୍ମକ ପାର୍ଭୋ ସଂକ୍ରମଣରେ ଟଳିପଡୁଛନ୍ତି କୁକୁର । ପ୍ରତିଷେଧକ ଟିକା ନେବା ପାଇଁ ପରାମର୍ଶ ଦେଲେ ଚିକିତ୍ସକ । କରୋନା ଭାଇରାସରେ ମଣିଷ କଲବଲ ହେଉଥିବାବେଳେ ଏବେ କୁକୁରଙ୍କୁ ଘାରିଛି ପାର୍ଭୋ ଭୂତାଣୁର ଭୟ । ପାର୍ଭୋ ସଂକ୍ରମଣର କେଇ ଦିନ ଭିତରେ ଟଳିପଡୁଛନ୍ତି କୁକୁର । ରାଜଧାନୀ ଭୁବନେଶ୍ୱରରେ ଏହି ସଂଖ୍ୟା ବଢିବାରେ ଲାଗିଛି ।

ସଂକ୍ରମଣ ହେବା ମାତ୍ରକେ ଝାଡାବାନ୍ତିରେ ଅସୁସ୍ଥ ହୋଇ ଜୀବନ ହରାଉଛନ୍ତି । ପାର୍ଭୋ ଭୂତାଣୁର ସଂକ୍ରମଣରେ ସଂକ୍ରମିତ ହୋଇ ପଶୁ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ଶହଶହ କୁକୁର । ଉଭୟ ବୁଲା କୁକୁର ସମେତ ପୋଷା କୁକୁର ବି ପାର୍ଭୋ ଭୂତାଣୁରେ ସଂକ୍ରମିତ ହେଉଥିବା କହିଛନ୍ତି ବିଶେଷଜ୍ଞ । ଭୁବନେଶ୍ୱର ଓୟୁଏଟିର ପଶୁ ଚିକିତ୍ସାଳୟରେ ରୋଗାକ୍ରାନ୍ତ କୁକୁରଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶେଷଜ୍ଞଙ୍କ ତତ୍ୱାବଧାନରେ ୨୪ ଘଂଟା ଚାଲିଛି ଚିକିତ୍ସା ।

ଗୋଟିଏ କୁକୁର ପାର୍ଭୋ ଭୂତାଣୁରେ ସଂକ୍ରମଣ ହେଲେ ତା ଆଖପାଖରେ ଥିବା ବା ତା ସମ୍ପର୍କରେ ଆସୁଥିବା କୁକୁରବି ପାର୍ଭୋ ଭୂତାଣୁରେ ସଂକ୍ରମଣ ହେବା ସୁନିଶ୍ଚିତ ବୋଲି ବିଶେଷଜ୍ଞ କହିଛନ୍ତି । ତେବେ ସାଧାରଣତଃ ଟିକା ନେଇନଥିବା କୁକୁର ପାର୍ଭୋ ଭୂତାଣୁରେ ସଂକ୍ରମଣ ହେବାର ମଧ୍ୟ ଭୟ ରହୁଛି । ବିଶେଷ କରି କୁକୁର ଛୁଆଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ଥିବାରୁ କୁକୁର ଛୁଆଙ୍କର ଅଧିକ ମୃତ୍ୟୁ ହେଉଛି ।

ମଣିଷ ପାଇଁ ଏହା କ୍ଷତିକାରକ ହୋଇନଥିଲେ ବି ପାର୍ଭୋ ଭୂତାଣୁ ସଂକ୍ରମଣ କରିବାରେ ମଣିଷ ବାହାକ ସାଜିପାରେ । ସଂକ୍ରମିତ କୁକୁରର ମଳ ମୂତ୍ର, ଲାଳ ଯଦି ମଣିଷର ପୋଷାକ କିମ୍ବା ଚର୍ମରେ ଲାଗିଯାଏ ଓ ଅନ୍ୟ କୁକୁର ଏହା ସଂସ୍ପର୍ଶରେ ଆସେ ତେବେ ସେହି କୁକୁର ମଧ୍ୟ ପାର୍ଭୋ ଭୂତାଣୁରେ ସଂକ୍ରମଣ ହେବାର ଆଶଙ୍କା ରହିଛି ।