ମହିଳାଙ୍କ ରିପଡ ଜିନ୍ସକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ବଢୁଛି ବିବାଦ । ତୀରଥ ସିଂ ରାୱତଙ୍କ ବୟାନକୁ ତୀବ୍ର ସମାଲୋଚନା ।

141

କନକ ବ୍ୟୁରୋ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କ ଏହି ବିବାଦୀୟ ବୟାନ ଏବେ ସାରା ଦେଶରେ ଝଡ ସୃଷ୍ଟି କରିଛି । ମହିଳା ମାନେ ରିପଡ୍ ଜିନ୍ସ ପିନ୍ଧିବା କି ପ୍ରକାର ସଂସ୍କାର ବୋଲି ପ୍ରଶ୍ନ କରିଥିଲେ ତୀରଥ ସିଂ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନକୁ ସମାଲୋଚନା କରାଯାଇଛି । ଏପରିକି ସୋସିଆଲ ମିଡ଼ିଆରେ ମଧ୍ୟ ଏହାର ବିରୋଧ କରାଯାଇଛି । ହାସଟ୍ୟାଗ ରିପଡ୍ ଜିନ୍ସ ଟ୍ୱିଟର ଏବେ ଟ୍ୱିଟରେ ଟ୍ରେଣ୍ଡ କରୁଛି ।

ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦି କହିଛନ୍ତି ଦେଶର ସଂସ୍କୃତି ଓ ସଂସ୍କାର ଉପରେ ସେହି ଲୋକଙ୍କୁ ଫରକ ପଡ଼େ, ଯେଉଁମାନେ ମହିଳା ଏବଂ ସେମାନଙ୍କ କପଡ଼ା ଦେଖନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ନିଜର ଚିନ୍ତାଧାରା ବଦଳାନ୍ତୁ, ତେବେ ଯାଇ ଦେଶ ବଦଳିଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ରାୱତଙ୍କ ମନ୍ତବ୍ୟକୁ ନେଇ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ର ମଧ୍ୟ ଟ୍ୱିଟରରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟି ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଜୟା ବଚ୍ଚନ କହିଛନ୍ତି, ଏଭଳି ପ୍ରତିକ୍ରିୟା ଜଣେ ମୁଖ୍ୟମନ୍ତ୍ରୀ ମୁହଁରେ ଶୋଭାପାଉନାହିଁ । ଉଚ୍ଚପଦବୀ ରହିଥିବା ଲୋକ ବୁଝି ବିଚାରି ସର୍ବସମ୍ମୁଖରେ ବୟାନ ଦେବା ଉଚିତ୍ ।

ଗତକାଲି ରିପଡ୍ ଜିନ୍ସକୁ ନେଇ ପ୍ରତିକ୍ରିୟା ରଖିଥିବା ତୀରଥ ସିଂ ରାୱତଙ୍କର ଆଉ ଏକ ଭିଡ଼ିଓ ଭାଇରାଲ ହୋଇଛି । ଏହି ଭିଡ଼ିଓରେ ତୀରଥ ସିଂ ରାୱତ କଲେଜ ପିଲାଙ୍କ ଶର୍ଟସ୍ ଉପରେ ବୟାନ ରଖିଛନ୍ତି । ସେହିପରି ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ତୀରଥ ସିଂ ରାୱତ ପିଲାମାନଙ୍କ ସଂସ୍କାରକୁ ନେଇ ପ୍ରତିକ୍ରିୟା ରଖି କହିଥିଲେ, ପିଲାମାନଙ୍କ ଠାରୁ ମିଳୁଥିବା ସଂସ୍କାର ତାଙ୍କ ଅଭିଭାବକଙ୍କ ଉପରେ ନିର୍ଭର କରେ ।