ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କର ଜ୍ୟେଷ୍ଠ ପୁତ୍ରଙ୍କ ଦେହାନ୍ତ : ସଙ୍କଟାପନ୍ନ ଅବସ୍ଥାରେ ଗତକାଲି ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଯଶୋବନ୍ତ

623

କନକ ବ୍ୟୁରୋ : କଥାରେ ଅଛି, ଦୁଃଖ ଯେତେବେଳେ ଆସେ ବଂଶକୁଟୁମ୍ବ ନେଇ ଆସେ । ଠିକ୍‌ ଏହିଭଳି ଘଟଣା ଘଟିଛି ପ୍ରଖ୍ୟାତ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାରରେ । କରୋନା ତାଙ୍କ ପରିବାରର ଗୋଟିଏ ପରେ ଗୋଟିଏ ମୁଣ୍ଡ ନେବାରେ ଲାଗିଛି । ଗତ ୯ ତାରିଖରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ କରୋନାରେ ଦେହାନ୍ତ ହୋଇଥିବା ବେଳେ ଗତକାଲି ତାଙ୍କ ଏକାଦଶାହରେ ମଝିଆ ପୁଅ ପ୍ରଶାନ୍ତ ମହାପାତ୍ରଙ୍କର ଓ ଆଜି ୧୨ ଦିନରେ ତାଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ରଙ୍କର ପରଲୋକ ଘଟିଛି ।

ସଂକଟାପନ୍ନ ଅବସ୍ଥାରେ ଥିବା ୫୨ବର୍ଷ ବୟସ୍କ ଯଶୋବନ୍ତ ମହାପାତ୍ର ଗୁରୁବାର ସମ୍ କୋଭିଡ୍ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତକାଲି ରଘୁନାଥଙ୍କ ମଝିଆ ପୁଅ କ୍ରିକେଟର୍ ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ଏଥିସହ ଏକ ମହାନ୍ ଶିଳ୍ପୀ ପରିବାର ଛାରଖାର ହୋଇଯାଇଛି । ୧୨ ଦିନ ଭିତରେ ବାପା ଓ ଦୁଇ ପୁଅଙ୍କ ମୃତ୍ୟୁ ଘଟଣା ଯେତିକି ହୃଦୟ ବିଦାରକ, ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ ।

ଦିଲ୍ଲୀରୁ ସପରିବାର ଫେରିବା ପରେ ରଘୁନାଥ ମହାପାତ୍ର, ତାଙ୍କ ପତ୍ନୀ ରଜନୀ ମହାପାତ୍ର, ଦୁଇ ପୁଅ ଯଶୋବନ୍ତ ଓ ପ୍ରଶାନ୍ତ କରୋନାରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ଏପ୍ରିଲ୍ ୨୧ ତାରିଖରେ ସମସ୍ତେ ଭୁବନେଶ୍ୱର ଏମ୍‌ସ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ବର୍ଗତ ମହାମାତ୍ରଙ୍କ ପତ୍ନୀ ରଜନୀ ମହାପାତ୍ର ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗତ ୯ ତାରିଖରେ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ହୋଇଥିଲା । ଅନ୍ୟପକ୍ଷରେ ବଡ଼ପୁଅ ଯଶୋବନ୍ତଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । କିନ୍ତୁ ମଝିଆ ପୁଅ ପ୍ରଶାନ୍ତଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା ଏବଂ ସେ କରୋନାମୁକ୍ତ ହୋଇଥିଲେ । ତେବେ ଦୁଇଦିନ ତଳେ ହଠାତ୍ ପ୍ରଶାନ୍ତଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା ଏବଂ ଗତକାଲି ସକାଳେ ସେ ଆଖି ବୁଜି ଦେଇଥିଲେ ।

ଅନ୍ୟପକ୍ଷରେ ଯଶୋବନ୍ତଙ୍କର ଅବସ୍ଥାରେ ମଧ୍ୟ କୌଣସି ଉନ୍ନତି ଆସି ନଥିଲା । ଦିନକୁ ଦିନ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା । ଗତକାଲି ପ୍ରଶାନ୍ତଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟ ଯଶୋବନ୍ତଙ୍କୁ ଉନ୍ନତ ଚିକିତ୍ସା ଆଶାରେ ଏମ୍‌ସରୁ ସମ୍ ହସ୍ପିଟାଲ୍ ସ୍ଥାନାନ୍ତର କରିଥିଲେ । ତେବେ ସଂକଟାପନ୍ନ ଯଶୋବନ୍ତଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ବହୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ଆଜି ଦିନ ୧ଟାରେ ତାଙ୍କର ମୃତ୍ୟୁ ହୋଇଛି ।