କନକ ବ୍ୟୁରୋ : ଚଳିତ ଆଇପିଏଲରେ ପ୍ଲେ-ଅଫ୍ ରେସ ଏବେ ଅଧିକ ରୋମାଞ୍ଚକର ହେବାରେ ଲାଗିଛି । ଖାସକରି ରାଜସ୍ଥାନ ବିପକ୍ଷରେ କୋଲକାତା ନାଇଟ ରାଇର୍ଡସର ବଡ ବିଜୟ ପରେ ପ୍ଲେ-ଅଫ୍ ପାଇଁ ଏବେ ୯ଟି ଟିମ ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା । ଅବଶ୍ୟ ୯ଟି ମ୍ୟାଚରୁ ୮ଟିରେ ବିଜୟ ସହ ପଏଣ୍ଟ ଟେବୁଲରେ ସୁବିଧାଜନକ ସ୍ଥିତିରେ ରହିଛି ଗୁଜୁରାଟ । ରାଜସ୍ଥାନ ବିପକ୍ଷରେ ବିଜୟ ପରେ କୋଲକାତା ଏବେ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ତେବେ ଏହି ବିଜୟର ହିରୋ ରହିଥିଲେ ଯୁବ ଖେଳାଳୀ ରିଙ୍କୁ ସିଂ । ଗତ ୪ଟି ସିଜିନରେ ରିଙ୍କୁ ଆଇପିଏଲ ଖେଳୁଥିବା ମଧ୍ୟ ପ୍ଲେୟାର ଅଫ୍ ଦ ମ୍ୟାଚର ପୁରସ୍କାର ୨ ମେ’ରେ ହାତେଇଥିଲେ । କୋଲକାତା ପାଇଁ ଏହି ବିଜୟ ଜରୁରୀ ହୋଇ ପଡିଥିବା ବେଳେ ଏହାକୁ ଭେଟି ଦେଇଥିଲେ ରିଙ୍କୁ  ।

Advertisment

୪ ବର୍ଷରେ ମାତ୍ର ୧୩ଟି ମ୍ୟାଚ୍ ଖେଳିଥିବା ଆଲିଗଡର ରିଙ୍କୁ ଏବେ କୋଲକାତା ପାଇଁ ସଙ୍କଟମୋଚକ ସାଜି ଉଭା ହୋଇଛନ୍ତି । ଖାସକରି ରାଜସ୍ଥାନ ବିପକ୍ଷ ମ୍ୟାଚରେ ଯେତେବେଳେ ୯୨ ରନରେ ୩ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା ସେତେବେଳେ ମାତ୍ର ୨୩ ବଲରୁ ୪୨ ରନର ଇନିଂସ ଖେଳି ଦଳକୁ ବିଜୟ ଭେଟି ଦେଇଥିଲେ ରିଙ୍କୁ  । ଆଉ ବିଜୟ ପରେ ରିଙ୍କୁ କହିଛନ୍ତି, ଆଲିଗଡରୁ ଅନେକ ଖେଳାଳୀ କ୍ରିକେଟ ଖେଳିଛନ୍ତି, କିନ୍ତୁ ଆଇପିଏଲ ଖେଳିଥିବା ପ୍ରଥମ ଖେଳାଳୀ ମୁଁ ।

ରାଜସ୍ଥାନ ମ୍ୟାଚ୍ ପରେ ଚର୍ଚ୍ଚାକୁ ଆସିଥିବା ରିଙ୍କୁଙ୍କୁ କ୍ରିକେଟରେ କ୍ୟାରିୟର କରିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଛି । କାରଣ ବାପା ତାଙ୍କର ସିଲିଣ୍ଡର ଡେଲିଭରୀ କାମ କରୁଥିବା ବେଳେ ଘରର ଆର୍ଥିକ ସ୍ୱଚ୍ଛଳ ନଥିଲା । ଯେଉଁଥିପାଇଁ ପୂର୍ବରୁ ହିଁ ବଡ ଭାଇଙ୍କୁ ଚାକିରି କରିବାକୁ ପଡିଥିଲା । ଏହାସତ୍ତେ୍ୱ ମଧ୍ୟ ଘର ଖର୍ଚ୍ଚ ପାଇଁ କମ ପଡୁଥିଲା ଟଙ୍କା । ଯେଉଁଥିପାଇଁ ରିଙ୍କୁ ମଧ୍ୟ ଚାକିରି କରିବାକୁ ନିଷ୍ପତ୍ତି ନେଇଥିଲେ । କମ ପାଠ ପଢିଥିବା କାରଣରୁ ବଡ ଚାକିରି ନୁହେଁ ବରଂ ସଫା ସଫି କରିବାକୁ ଏକ ଚାକିରି ମିଳିଥିଲା । କିନ୍ତୁ ଏଥିରେ ସମୟ ବରବାଦ କରିବା ଅପେକ୍ଷା ସଂଘର୍ଷ ଭିତରେ ବି କ୍ରିକେଟ ଖେଳିବାକୁ ସ୍ଥିର କରିଥିଲେ ରିଙ୍କୁ । ଆଉ ଏହାପରେ ଆରମ୍ଭ ହୋଇଥିଲା ରିଙ୍କୁଙ୍କ କ୍ରିକେଟ ଯାତ୍ରା । ନିଜର ପ୍ରଦର୍ଶନ ବଳରେ ଆଇପିଏଲ ଫ୍ରାଞ୍ଚାଇଜଙ୍କ ମନ ଜିଣିଥିଲେ ରିଙ୍କୁ ।

୨୦୧୭ରେ ରିଙ୍କୁଙ୍କୁ ପ୍ରଥମେ ପଞ୍ଜାବ ୧୦ ଲକ୍ଷ ଟଙ୍କାରେ କିଣିଥିଲା । କିନ୍ତୁ ସେହି ସିଜିନରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିନଥିଲା । ପରେ ୨୦୧୮ରେ କୋଲକାତା ରିଙ୍କୁଙ୍କୁ ଦଳରେ ସାମିଲ କରିଥିଲା । ଏହି ସିଜିନରେ ରିଙ୍କୁ ୪ଟି ମ୍ୟାଚ୍ ଖେଳିଥିଲେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ସେହିଭଳି ୨୦୧୯ରେ ୫ଟି ଓ ୨୦୨୦ରେ ଗୋଟିଏ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଥିଲା । ୨୦୨୧ରେ ଆହତ ସମସ୍ୟା ପାଇଁ ଦଳରୁ ବାଦ୍ ପଡିଥିଲେ ରିଙ୍କୁ । ତେବେ ୨୦୨୨ରେ ପୁଣିଥରେ ରିଙ୍କୁଙ୍କ ଉପରେ ଭରସା କରିଥିଲା କୋଲକାତା । ୫୫ ଲକ୍ଷରେ ରିଙ୍କୁଙ୍କୁ କିଣିବା ସହ ଏବେ ସୁଦ୍ଧା ୩ଟି ମ୍ୟାଚରେ ଖେଳିବାକୁ ସୁଯୋଗ ଦେଇଛି କୋଲକାତା । ଆଉ ପ୍ରତିଟି ମ୍ୟାଚରେ ରିଙ୍କୁଙ୍କ ବ୍ୟାଟରୁ ଆକର୍ଷଣୀୟ ଇନିଂସ ଦେଖିବାକୁ ମିଳିଛି ।