କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ରିଙ୍କୁ ସିଂଙ୍କୁ କିଏ ବା ନଜାଣେ । ନିଜ ଧୂଆଁଧାର ବ୍ୟାଟିଂ ପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ପରିଚିତ ରିଙ୍କୁ । ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିବା ରିଙ୍କୁ ମ୍ୟାଚ ୱିନର ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ପ୍ରତିପକ୍ଷ ଟିମ ହାତରୁ ମ୍ୟାଚ୍ ଛଡାଇ ଆଣିବାରେ ମାହିର ରିଙ୍କୁ । ଯେଉଁଥିପାଇଁ ଟିମ୍ ଇଣ୍ଡିଆର ଭରସାଯୋଗ୍ୟ ବ୍ୟାଟର ଭାବେ ଉଭା ହୋଇଛନ୍ତି ଏହି ଷ୍ଟାର କ୍ରିକେଟର । ମାତ୍ର ଦିନ କେଇଟାରେ ବଦଳିଛି ରିଙ୍କୁଙ୍କ ଭାଗ୍ୟ । ଅତି ଗରିବ ପରିବାରରୁ ଆସିଥିବା ରିଙ୍କୁ ନିଜର ସଂଘର୍ଷ ବଳରେ ସଫଳତା ପାଇଛନ୍ତି । ପୁଅ ସଫଳତା ପାଇଥିଲେ ମଧ୍ୟ ବାପା ନିଜର କର୍ତ୍ତବ୍ୟରୁ ଓହରି ନାହାନ୍ତି । ରିଙ୍କୁଙ୍କ ବାପା ଗ୍ୟାସ୍ ଡେଲିଭରୀ କରୁଛନ୍ତି । ଯାହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ତେବେ ଭିଡ଼ିଓ କେଉଁ ସମୟର ତାହା ସ୍ପଷ୍ଟ ହୋଇନାହିଁ ।

Advertisment

ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ରିଙ୍କୁଙ୍କ ବାପାଙ୍କୁ ଗ୍ୟାସ୍ ଡେଲିଭରୀ କରୁଥିବାର ଦେଖିବାକୁ ମିଳିଛି । ଆଉ ଏଭଳି ମନୋବୃତ୍ତି ପାଇଁ ରିଙ୍କୁଙ୍କ ବାପାଙ୍କୁ ସୋସିଆଲ ମିଡ଼ିଆରେ ପ୍ରଂଶସାର ସୁଅ ଛୁଟିଛି । ପୁଅ ଅଧିକ ରୋଜଗାର କରୁଥିଲେ ମଧ୍ୟ ଘରେ ଆରାମ ନ କରି ନିଜ ପୁରୁଣା କାମ ଜାରି ରଖିଛନ୍ତି ରିଙ୍କୁଙ୍କ ବାପା । ଆଇପିଏଲ ପୂର୍ବରୁ ରିଙ୍କୁଙ୍କ ପରିବାରର ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନଥିଲା । ବାପା ଗ୍ୟାସ୍ ଡେଲିଭରୀ କାମ କରୁଥିବା ବେଳେ ବଡ ଭାଇ ପ୍ରାଇଭେଟ କୋଚିଙ୍ଗ ସେଣ୍ଟରରେ ଚାକିରି କରୁଥିଲେ । ଯେଉଁଥିରେ ରିଙ୍କୁଙ୍କ ପରିବାର ଚଳୁଥିଲା । ନିଜେ ମଧ୍ୟ ବେଶ କଷ୍ଟରେ କ୍ରିକେଟ ଖେଳିଥିବା କହି ଆସିଛନ୍ତି ରିଙ୍କୁ । ତେବେ ଆଇପିଏଲରୁ ଡାକରା ଆସିବା ରିଙ୍କୁଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆଣିଥିଲା । ଗ୍ୟାସ୍ ଡେଲିଭରୀ କାମ ଛାଡିବାକୁ କହିଲେ ମଧ୍ୟ ଏଥିରେ ରାଜି ହୋଇନଥିଲେ ରିଙ୍କୁଙ୍କ ବାପା । ବରଂ ସେ ନିଜ କାମକୁ ବେଶ ଭଲପାଆନ୍ତି ବୋଲି କହିଥିଲେ ।

୨୦୧୭ରେ ରିଙ୍କୁଙ୍କୁ ୧୦ ଲକ୍ଷ ଟଙ୍କାରେ ପଞ୍ଜାବ କିଙ୍ଗସ ଦଳରେ ସାମିଲ କରିଥିଲା । ପରେ ୨୦୧୮ରେ ରିଙ୍କୁଙ୍କୁ କୋଲକାତା ନାଇଟ ରାଇଡର୍ସ ନିଜ ଟିମରେ ସାମିଲ କରିଥିଲା । ଏହାପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ରିଙ୍କୁ । ୨୦୨୩ ଆଇପିଏଲ ସିଜିନରେ ନିଜର ପ୍ରଭାବୀ ପ୍ରଦର୍ଶନ ବଳରେ ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲେ ରିଙ୍କୁ । ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଲଗାତାର ୫ ଛକା ମାରି ଦଳକୁ ବିଜୟୀ କରାଇବା ସହ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରିଙ୍କୁ । ଏହାପରେ ରିଙ୍କୁଙ୍କୁ ଟିମ୍ ଇଣ୍ଡିଆରୁ ଡାକରା ଆସିଥିଲା । ଟିମ୍ ଇଣ୍ଡିଆରେ ସୁଯୋଗ ମିଳିବା ମାତ୍ରେ ଚମକିଥିଲେ ରିଙ୍କୁ । ଆସନ୍ତା ଟି-୨୦ ବିଶ୍ୱକପ ଦଳରେ ସ୍ଥାନ ପାଇବାକୁ ଥିବା ଖେଳାଳୀଙ୍କ ମଧ୍ୟରେ ରିଙ୍କୁ ପ୍ରବଳ ଦାବିଦାର ରହିଛନ୍ତି ।