ରିଙ୍କୁ ଶର୍ମା ହତ୍ୟା ମାମଲା । ଦିଲ୍ଲୀ କ୍ରାଇମବ୍ରାଞ୍ଚକୁ ମାମଲା ହସ୍ତାନ୍ତର । ୫ ଅଭିଯୁକ୍ତ ଗିରଫ୍

166

କନକ ବ୍ୟୁରୋ : ଦିଲ୍ଲୀ ମଙ୍ଗୋଲପୁର ଅଞ୍ଚଳରେ କିଛି ଦୁର୍ବୃତ୍ତ ରିଙ୍କୁ ଶର୍ମା ନାମକ ଜଣେ ଯୁବକକୁ ଛୁରୀ ମାରି ହତ୍ୟା କରିଦେଇଥିଲେ । ଏହି ମାମଲା ଏବେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରାଯାଇଛି । କ୍ରାଇମବ୍ରାଞ୍ଚ ଏହି ମାମଲାର ଚାର୍ଜସିଟ୍ ୩୦ ଦିନ ମଧ୍ୟରେ କୋର୍ଟରେ ଦାଖଲ କରିବା ବୋଲି ସୂଚନା ମିଳିଛି । ତୁରନ୍ତ ଏହି ମାମଲାର ପର୍ଦ୍ଦାଫାସ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ପୋଲିସ କମିଶନର । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ୍ କରିଛି । ଗିରଫ୍ ହୋଇଥିବା ୫ ଅଭିଯୁକ୍ତ ହେଲେ ଜାହିଦ୍, ଦାନିଶ, ତାଜୁଦ୍ଦିନ, ଓ ଇସ୍ଲାମ୍ । ରିଙ୍କୂୁଙ୍କ ପରିବାର ଲୋକେ କହିଛନ୍ତି କି ରିଙ୍କୁ ବଜରଙ୍ଗ ଦଳ ସହିତ ଜଡିତ ଥିଲା ଓ ଜୟ ଶ୍ରୀରାମ ନାରା ଲଗାଉଥିଲା । ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଛି ।
ରିଙ୍କୁଙ୍କ ପରିବାର ଲୋକେ ଆହୁରି ଅଭିଯୋଗ କରିଛନ୍ତି କି ଅଗଷ୍ଟ ୫ ତାରିଖ ଦିନ ରିଙ୍କୁ ରାମ ମନ୍ଦିର ନିର୍ମାଣକୁ ନେଇ ଖୁସିଥିଲା ଓ ଏନେଇ ସେ ଏକ ରାଲି ବାହାର କରିଥିଲା । ଏହାକୁ ନେଇ ହତ୍ୟା ଅଭିଯୁକ୍ତ ମାନେ ରିଙ୍କୁ ଉପରେ ଅସନ୍ତୁଷ୍ଟ ଥିଲେ । ରିଙ୍କୁ ର ମା କହିଛନ୍ତି କି ୩୦ ରୁ ୪୦ ଜଣ ଲୋକ ହାତରେ ମାରଣାସ୍ତ୍ର ଧରି ଆସିଲେ ଓ ରିଙ୍କୁକୁ ନିର୍ଦ୍ଧୁମ ମାଡ ମାରିଲେ । ମାଡ ଖାଉଥିବା ବେଳେ ବି ରିଙ୍କୁ ଜୟ ଶ୍ରୀରାମ ନାରା ଲଗାଉଥିଲା ।
ସେପଟେ ରିଙ୍କୁ ହତ୍ୟାକାଣ୍ଡକୁ ନେଇ ଦିଲ୍ଲୀ ପୋଲିସ ବି ବୟାନ ଜାରି କରିଛି । ଦିଲ୍ଲୀ ପୋଲିସର ପ୍ରବକ୍ତା ଚିନ୍ମୟ ବିଶ୍ୱାଳ କହିଛନ୍ତି କି ଫେବୃଆରୀ ୧୦ ତାରିଖ ଦିନ ସଂନ୍ଧ୍ୟା ବେଳେ ମଙ୍ଗୋଲପୁରୀ ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ କିଛି ଯୁବକ ଜନ୍ମଦିନ ପାର୍ଟି ପାଳନ କରିବାକୁ ଆସିଥିଲେ । ସେଠାରେ କିଛି କାରଣକୁ ନେଇ ରେଷ୍ଟୁରାଣ୍ଟ ମାଲିକ ସହିତ ଆସିଥିବା ଯୁବକ ମାନଙ୍କର ଝଗଡା ହୋଇଥିଲା । ଝଗଡା ପରେ ଯୁବକ ମାନେ ସେଠାରୁ ପଳାଇଥିଲେ । ତାହା ମଧ୍ୟରୁ କିଛି ଯୁବକ ହଠାତ୍ ଯାଇ ରିଙ୍କୁ ଶର୍ମାଙ୍କ ଘରେ ପହଂଚିଥିଲେ । ସେଠାରେ ସେମାନେ ରିଙ୍କୁ ସହିତ ଝଗଡା କରି ରିଙ୍କୁଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ରିଙ୍କୁର ମୃତ୍ୟୁ ହୋଇଥିଲା । ଏହି ଝଗଡାକୁ ନଜରରେ ରଖି ପୋଲିସ ଅନୁସନ୍ଧାନ ଜାରି ରଖିଛି । ହେଲେ ରିଙ୍କୁଙ୍କ ପରିବାର ଲୋକ ଯେଉଁ ଧାର୍ମିକ ଭାବନାକୁ ନେଇ ରିଙ୍କୁଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣୁଛନ୍ତି ସେ ନେଇ କିଛି ପ୍ରମାଣ ମିଳି ନଥିବା ପୋଲିସ କହିଛି ।