କଟକଣା ପରେ ବି ସମୁଦ୍ରରେ ବ୍ୟବହାର ହେଉଛି ରିଂ ଜାଲ ଓ ଫାଶୀ ଜାଲ। ଜାଲ ନେଉଛି ଜଳ ଜୀବଙ୍କ ଜୀବନ।

86

କନକ ବ୍ୟୁରୋ: ଦିନ ଦ୍ୱିପହରରେ ନିୟମ ଉଲ୍ଲଂଘନ। କଟକଣା ପରେ ବି ସମୁଦ୍ରରେ ରିଂ ଜାଲରେ ହେଉଛି ବ୍ୟବହାର । ଯାହାଫଳରେ ଲୋପ ପାଇବାକୁ ବସିଲାଣି ମାଛ ବଂଶ । ପାରାଦୀପ ସମୁଦ୍ରରେ ବେଧଡକ ଭାବରେ ମାଛ ମରାଯାଉଛି । ବେଶୀ କରି ରିଂ ଜାଲ ଓ ଫାଶୀ ଜାଲକୁ ବ୍ୟବହାର କରି ସମୁଦ୍ର ମଧ୍ୟରେ ଧରାଯାଉଛି ମାଛ । ଏହି ଜାଲ ବ୍ୟବହାର ଫଳରେ ସମୁଦ୍ରରୁ ଲୋପ ପାଇବାକୁ ବସିଲାଣି ପ୍ରାୟ ୬୦୦ ପ୍ରଜାତିର ଜଳଜୀବ । ଓଡିଶା ଉପକୂଳ ପ୍ରାୟ ୪୮୦ କିମି ସମୁଦ୍ରରେ ଫାଶୀ ଓ ରିଂ ଜାଲ ବ୍ୟବହାର ଉପରେ କଟକଣା ସରକାରୀ ଭାବରେ କରାଯାଇଛି । ତାପରେ ବି ନିୟମ ନମାନି ମାଛ ଧରିବାରେ ଏହି ଜାଲ ବ୍ୟବହାର କାରାଯାଉଛି ।

ମତ୍ସ୍ୟଜୀବୀମାନେ ଜାଲରେ ରିଂ ଲଗାଇ ମାଛ ମାରୁଛନ୍ତି । ତାପୁଣି ସମୁଦ୍ର ଭିତରକୁ ଯିବା ସମୟରେ ବ୍ୟବହାର କରୁଛନ୍ତି ଆଉ କୂଳକୁ ଆସିଲାବେଳେ ସମସ୍ତ ରିଂ ଜାଲରୁ କାଢିନେଉଛନ୍ତି । ଏହି ଉପାୟରେ ମାଛ ତ ଧରାଯାଉଛି ହେଲେ ଜାଲରେ ପଡି ଅନେକ ମାଛ, କଇଁଛ ଭଳି ଅନେକ ଜଳଜୀବ ବି ମରିପଡୁଛନ୍ତି । କିଛି ଡଙ୍ଗା ମାଲିକ ଓ ମତ୍ସ୍ୟଜୀବୀମାନେ ଅଧିକ ମାଛ ଧରିବା ପାଇଁ ଏପରି ଜାଲ ଅବାଧରେ ବ୍ୟବହାର କରୁଛନ୍ତି । ବିଶେଷ କରି ଛୋଟ ଡଙ୍ଗା ଗୁଡିକ ଏହାକୁ ଅଧିକ ବ୍ୟବହାର କରୁଥିବା ଅଭିଯୋଗ ହେଉଛି । ସେପଟେ ଅଭିଯୋଗ ହେବା ପରେ ଘଟଣା ନେଇ ସହକାରୀ ସାମୁଦ୍ରିକ ମତ୍ସ୍ୟ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।