ଜାଣିରଖନ୍ତୁ ପେଟ୍ରୋଲ ପମ୍ପର ନିୟମ । ପେଟ୍ରୋଲ ପମ୍ପରେ ରହିଛି ଆପଣଙ୍କର କି କି ଅଧିକାର?

417

କନକ ବ୍ୟୁରୋ: ପେଟ୍ରୋଲ ଦାମକୁ ନେଇ ଏବେ ସବୁୁଠି ଟେନସନ୍ । ପେଟ୍ରୋଲ ଦର ଏବେ ସବୁଠି ଶହେ ଉପରେ ଥିବାବେଳେ, ମହଙ୍ଗା ଦର ସମସ୍ତଙ୍କୁ ବାଧିବାରେ ଲାଗିଛି । ଆଉ ଏଭଳି ସମୟରେ ଅନେକ ଥର ଅଭିଯୋଗ ଆସେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଠକେଇ ନେଇ । କିଏ କହେ ପେଟ୍ରୋଲ ପମ୍ପରେ ସେ ଠକେଇର ଶିକାର ହେଇଛନ୍ତି? ତ ଆଉ କିଏ କହେ ତାଙ୍କୁ ପେଟ୍ରୋଲ କମ୍ ମିଳିଛି । ଅନେକ ସମୟରେ ପେଟ୍ରୋଲର ଗୁଣବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠେ । ହେଲେ ଏ ସବୁ ସମସ୍ୟାର ସମାଧାନ ଆଉ ଠକେଇର ଶିକାର ହେବାରୁ ବର୍ତିବାକୁ ଚାହୁଁଥିଲେ । ଆପଣଙ୍କୁ ପେଟ୍ରୋଲ ପମ୍ପରେ ଆପଣଙ୍କ ଅଧିକାର ବିଷୟରେ ଜାଣିବାକୁ ପଡିବ । ଯାହା ଫଳରେ ଆପଣ ନିଜେ ଠକାମିର ଶିକାର ହେବାରୁ ବଞ୍ଚିପାରିବେ ।

ଗ୍ରାହକ ଭାବେ ପେଟ୍ରୋଲ ପମ୍ପରେ ଆପଣଙ୍କର କିଛି ସ୍ୱତନ୍ତ୍ର ଅଧିକାର ରହିଛି । ଯାହାକି ଆପଣ ପେଟ୍ରୋଲ, ଡିଜେଲ ପକେଇବା ସମୟରେ ବ୍ୟବହାର କରିପାରିବେ । ଏହି ଅଧିକାର ଗୁଡିକ ଜାଣି ରଖିଲେ, ଆପଣ ଅତି ସହଜରେ ପେଟ୍ରୋଲ ପମ୍ପ ଠକେଇରୁ ରକ୍ଷା ପାଇପାରିବେ । ତେଣୁ ଏହି ଅଧିକାର ଗୁଡିକ କଣ କଣ ତାହା ଥରେ ନଜର ପକେଇ ନିଅନ୍ତୁ…

  • ଜଣେ ଗ୍ରାହକ ଭାବେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଡିଜେଲର ଗୁଣବତ୍ତା ଯାଞ୍ଚ କରିବା ଆପଣଙ୍କର ଅଧିକାର ଅଟେ । ପେଟ୍ରୋଲ, ଡିଜେଲର ଗୁଣବତ୍ତା ଯାଞ୍ଚ କରିବା ପାଇଁ ଆପଣ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଫିଲଟର ପେପର ପାଇଁ କହିପାରିବେ । ଯେଉଁଥିରେ ଆପଣ ପେଟ୍ରୋଲର ଗୁଣବତ୍ତା ଯାଞ୍ଚ କରିପାରିବେ ।
  • ପେଟ୍ରୋଲ ପମ୍ପରେ ଆପଣଙ୍କୁ ସଠିକ୍ ପରିମାଣର ତେଲ ମିଳୁଛି କି ନାହିଁ, ତାହା ମଧ୍ୟ ଆପଣ ଚେକ୍ କରିପାରିବେ । ସବୁ ପେଟ୍ରୋଲ ପମ୍ପରେ ତେଲର ପରିମାଣର ମାପିବା ପାଇଁ ଏକ ୫ ଲିଟର ଜାର ରହିଛି । ଯେଉଁଥିରେ ଆପଣ ତେଲର ପରିମାଣ ମାପିପାରିବେ । ଏହା ମଧ୍ୟ ଆପଣଙ୍କର ଏକ ଅଧିକାର ଅଟେ ।
  • ଗାଡିରେ ତେଲ ପକାଇବା ପରେ, ଅନେକ ସମୟରେ ଲୋକମାନେ ବିଲ୍ ମାଗିନଥାନ୍ତି । ହେଲେ ତେଲ ପକାଇବା ପରେ ଆପଣ ଯଦି ବିଲ୍ ମାଗୁଛନ୍ତି, ତେବେ ପେଟ୍ରୋଲ ପମ୍ପ କର୍ମଚାରୀ ଆପଣଙ୍କୁ ମନା କରିପାରିବେ ନାହିଁ । ତେଲ ପକାଇବା ପରେ ବିଲ୍ ଦେବା ଏକ ସାଧାରଣ କଥା । ହେଲେ ଅନେକ ସମୟରେ ଏହାକୁ ପେଟ୍ରୋଲ ପମ୍ପ କର୍ମଚାରୀ ମାନିନଥାନ୍ତି ।
  • ସେହିପରି ପେଟ୍ରୋଲ, ଡିଜେଲର ଡେନସିଟି ବାବଦରେ ଜାଣିବା ଆପଣଙ୍କର ଏକ ଅଧିକାର ଅଟେ । ଅଧିକାଂଶ ପେଟ୍ରୋଲ ପମ୍ପର ଭେଣ୍ଡିଂ ମେସିନରେ ଏହା ଲେଖା ହୋଇଥାଏ । ଯାହାକୁ ଜାଣିରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ ।
  • ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳିବା ସହିତ କିଛି ସେବା ମଧ୍ୟ ଉପଲବ୍ଧ ଥାଏ । ଯେମିତିକି ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ପରେ ଆପଣ ମାଗଣାରେ ଗାଡିରେ ପ୍ରେସର ଦେଇପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଟଙ୍କା ଦେବାକୁ ପଡିନଥାଏ ।

ପେଟ୍ରୋଲ ପମ୍ପରେ ନିଜର ଅଧିକାର ବିଷୟରେ ଜାଣିପାରିଲେ । ଆପଣ ଠକାମିର ଶିକାର ହେବାରୁ ବଂଚିପାରିବେ । ଯାହା ଫଳରେ ଆପଣଙ୍କୁ ସଠିକ୍ ପରିମାଣର ତେଲ ପେଟ୍ରୋଲ ପମ୍ପରୁ ମିଳିପାରିବ । ତେବେ ଜାଣିରଖିବା ଉଚିତ୍ ଯେ, ସବୁବେଳେ ମିଟର ଶୂନ ଥିଲେ, ଗାଡିରେ ତେଲ ପକାନ୍ତୁ । ତେଲ ପକାଇବା ସମୟରେ ଶୂନ ଚେକ୍ କରି ତେଲ ପକାନ୍ତୁ । ଏହାସହ ଯେତେବେଳେ ବି ତେଲ ପକାଉଛନ୍ତି, ସେତେବେଳେ କେତେ ଟଙ୍କାର ତେଲ ପକାଉଛନ୍ତି ତାହା ମିଟରରେ ଫିଡ୍ କରିବାକୁ କୁହନ୍ତୁ । ଯାହାଦ୍ୱାରା ଆପଣ ଠକାମିର ଶିକାର ହେବେନାହିଁ । ତା ସହିତ ଗାଡିରେ ତେଲ ପକାଇବା ସମୟରେ ନୋଜଲକୁ ଟାଙ୍କିରେ ଭର୍ତି କରି ନରଖି, ସାମାନ୍ୟ ବାହାରକୁ ରଖିବାକୁ କୁହନ୍ତୁ । ଯାହାଦ୍ୱାରା ଆପଣ ପେଟ୍ରୋଲ ପମ୍ପରେ ଠକାମିର ଶିକାର ହେବାରୁ ବଂଚିପାରିବେ ।