ଟ୍ରାଫିକ୍ ନିୟମ ମାନନ୍ତୁ, ଟଙ୍କା ବଂଚାନ୍ତୁ, ନହେଲେ ଗଣିବାକୁ ପଡ଼ିବ ୧୦ ହଜାର ଯାଏଁ ଟଙ୍କା । ନିୟମ ଉଲ୍ଲଂଘନକାରୀଙ୍କୁ ରାଜଧାନୀରେ ଗୋଡାଇ ଗୋଡାଇ ଧରୁଛି ପୋଲିସ ।

534

କନକ ବ୍ୟୁରୋ : ଦେଶରେ ଆଜି ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଗାଡି ଚାଳକଙ୍କୁ ଲାଗିଛି ଟ୍ରାଫିକ ଛାଟ । ଯେଉଁ ବାଇକ୍ ଆରୋହିମାନେ ହେଲମେଟ୍ ପିନ୍ଧି ନଥିଲେ ଆଜି ତାଙ୍କୁ ୧ ହଜାର ଟଙ୍କା ଫାଇନ ଦେବାକୁ ପଡିଛି । ଯେଉଁ ଗାଡି ଚାଳକମାନେ ମୋବାଇଲରେ ଗପିଗପି ଗାଡି ଚଳାଉଥିଲେ ଆଜି ସେମାନେ କାନମୁଣ୍ଡା ଆଉଁସି ୫ହଜାର ଟଙ୍କା ଫାଇନ୍ ଦେଇଛନ୍ତିି । ଓଡିଶାର ମୁଖ୍ୟ ସହର ଗୁଡିକରେ ଆଜିଠାରୁ ବଡ ଧରଣର ଟ୍ରାଫିକ୍ ଜରିମାନା ଆରମ୍ଭ ହୋଇଛି ।

ଦୃଶ୍ୟ ନମ୍ବର ୧  :

ଏଜି ଛକରେ ପହଂଚିଥିଲା କଟକ ନମ୍ବର ଥିବା ଏହି ବୋଲେରୋ । ଠିକ୍ ଟ୍ରାଫିକ୍ ଅତିକ୍ରମ କରିବା ବେଳକୁ ଆସିଯାଇଥିଲା ରେଡ୍୍ ସିଗନାଲ୍ । ଆଉ ସିଗନାଲ ଭାଙ୍ଗି ଆଗକୁ ବଢ଼ୁଥିବା ବେଳେ ଟ୍ରାଫିକ୍ ପୁଲିସ୍ କର୍ମଚାରୀଙ୍କ ହାବୁଡରେ ପଡ଼ିଗଲେ ଡ୍ରାଇଭର୍ । ଆଉ ଗଣିବାକୁ ପଡ଼ିଲା ଏକ ହଜାର ଟଙ୍କା ।

ଦୃଶ୍ୟ ନମ୍ବର ୨ :

ଟ୍ରିପଲ୍ ରାଇଡ୍ ବା ଗୋଟିଏ ବାଇକରେ ତିନି ଜଣ ବସି ଫସିଯାଇଛନ୍ତି ଏହି ବାବୁ । ପରିବାରର ଦୁଇ ଜଣଙ୍କୁ ନେଇ ଯାଉଥିବା ବେଳେ ଟ୍ରାଫିକ୍ କର୍ମଚାରୀଙ୍କ ନଜରକୁ ଆସିଥିଲେ । ଫଳରେ ନୂଆ ନିୟମ ଅନୁସାରେ ବାବଙ୍କୁୁ ଗଣିବାକୁ ପଡ଼ିଛି ହଜାରେ ଟଙ୍କାର ତଣ୍ଡ ।

ଦୃଶ୍ୟ ନମ୍ବର ୩ :

ଟ୍ରାଫିକ୍ ଅଧିକାରୀଙ୍କ ପାଖକୁ ଧଇଁସଇଁ ହୋଇ ଧାଇଁ ଯାଉଥିବା ଏହି ଯୁବକ ମଧ୍ୟ ନୂଆ ନିୟମର ଜାଲରେ ଛନ୍ଦି ହୋଇଯାଇଛନ୍ତି । ଯୁବକ ଜଣକ କାର ଚଳାଇଯାଉଥିବା ବେଳେ ଫୋନରେ କଥା ହେଉଥିଲେ । ଯେଉଁଥି ପାଇଁ ତାଙ୍କୁ ୫ହଜାରର ଫାଇନ୍ ଦେବାକୁ ପଡ଼ିଛି ।

ଦୃଶ୍ୟ ନମ୍ବର ୪ :

ସମସ୍ତଙ୍କ ଭଳି ଏହି ଯୁବକଙ୍କୁ ମଧ୍ୟ ତନ୍ନତନ୍ନ କରି ଯାଂଚ କରିଛନ୍ତି ଟ୍ରାଫିକ୍ କର୍ମଚାରୀ । ଯୁବକଙ୍କ ଗାଡ଼ି ଚଳାଇବା ଭଙ୍ଗୀକୁ ଦେଖି ପ୍ରଥମେ ଲାଇସେନ୍ସ, ପରେ ଆରସି ଏବଂ ନମ୍ବର ପ୍ଲେଟ୍ ଯାଂଚ କରାଯାଇଥିଲା । ତେବେ ବାଇକ୍ ଆଗରେ ନମ୍ବର ଲେଖାନଥିବାର ତାଗିତ୍ କରି ତାଙ୍କୁ ଛାଡ଼ି ଦିଆଯାଇଛି ।

ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଭୁବନେଶ୍ୱରରେ କଡ଼ାକଡ଼ି ହୋଇଛି ଟ୍ରାଫିକ୍ ନିୟନ୍ତ୍ରଣ । ନୂଆ ନିୟମ ଅନୁସାରେ କେଉଁ ଭୁଲ ପାଇଁ କେତେ ଟଙ୍କା ଦଣ୍ଡ ଦେବାକୁ ପଡ଼ିବ, ନଜର ପକାନ୍ତୁ ।

ନିୟମ ମାନନ୍ତୁ ଟଙ୍କା ବଞ୍ଚାନ୍ତୁ
-ହେଲମେଟ୍ ପିନ୍ଧିନଥିଲେ ୧୦୦୦ ଟଙ୍କା
-ସିଟ୍ ବେଲ୍ଟ ବାନ୍ଧିନଥିଲେ ୧୦୦୦ ଟଙ୍କା
-ଫୋନରେ କଥା ହୋଇ ଗାଡ଼ି ଚଳାଇଲେ ୫ହଜାର ଟଙ୍କା
– ରଙ୍ଗ ସାଇଡ୍ ଡ୍ରାଇଭିଂ କଲେ ୫ହଜାର ଟଙ୍କା
-ମାଦକ ଦ୍ରବ୍ୟ ପାନ କରି ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା
-ବିପଦପୂର୍ଣ୍ଣଭାବେ ଗାଡ଼ି ଚଳାଇଲେ ୫ହଜାର ଟଙ୍କା
-ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିଲେ ୧୦ ହଜାର ଟଙ୍କା
-ନାବାଳକ-ନାବାଳିକା ଗାଡ଼ି ଚଳାଇ ଧରାପଡ଼ିଲେ ୨୫ ହଜାର ଯାଏଁ ଜରିମାନା ଦେବାକୁ ପଡ଼ିବ

ଆଜି ବିଧିବନ୍ଧ ଭାବରେ ନୂଆ ନିୟମ ଲାଗୁ ହୋଇଥିବା ବେଳେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଲିଫଲେଟ୍ ଦେଇ ଲୋକଙ୍କୁ ସଚେତନ କରାଯାଇଥିଲା । ସେହିପରି ମାଇକ୍ ଲଗାଇ ଲୋକଙ୍କୁ ସଚେତନ କରିଥିଲା ଟ୍ରାଫିକ୍ ପୋଲିସ ।