କନକ ବ୍ୟୁରୋ: ଖୋଲା ଆକାଶ ତଳେ ଖେଳେଇ ହୋଇ ପଡିଛି ଶୀତ । ଷ୍ଟ୍ରିଟ୍ ଲାଇଟର ଫର୍ଚ୍ଚା ଆଲୁଅରେ କୁହୁଡି ସହ କବାଡି ଖେଳୁଛି ଶୀତ । ଥରିଲା ରାତିରେ ଆମ ତମ ଭଳି ଜାକେଟ୍ ପିନ୍ଧା ଆଉ ସ୍ୱେଟର ପିନ୍ଧା ମଣିଷଙ୍କ ପାଇଁ ଏ ଦୃଶ୍ୟ ହୁଏତ ଶୀତର ଗୋଟେ ଗୋଟେ ସୁନ୍ଦର ସ୍କ୍ରିନସଟ୍ ହୋଇପାରେ କିନ୍ତୁ ସେହି ସହରର ଟିକେ ଦୂରରେ ହିଁ ଶୀତର ଶାସ୍ତି ଭୋଗୁଥାନ୍ତି କିଛି ଅଭାବୀ ମଣିଷ । ନା ପାଦରେ ଥାଏ ସକ୍ସ ନା ହାତରେ ଥାଏ ଓଷୁମ ଗ୍ଲୋଭ୍ସ । ଏତେବଡ ଶୀତଟାର ମୁକାବିଲା ପାଇଁ ବି ଦେହରେ ମୋଟା ସ୍ୱେଟର କି ଚାଦର ନଥାଏ । ପତଳା ପୋଷାକ ଭେଦି ଶୀତର ଛାଟରେ ଦେହ ପଟପଟ ଥରୁଥାଏ । ତଥାପି ପରିବାର ମୁହଁରେ ଦାନା ଗଣ୍ଡେ ଦେବାର ସେ ଝୁଙ୍କ ଥରିଲା ଦେହରେ ବି ଗମଗମ ଝାଳ ହୋଇ ବହିଯାଏ...

Advertisment

ରାତିର ବୟସ ବଢେ, ଶୀତର ଆୟୁଷ ବଢେ । ରାସ୍ତାଘାଟ ଯେବେ ଶୂନଶାନ ହେଇଯାଏ ସେବେ ଆହୁରି ବଢିଯାଏ ଶୀତର ଶକ୍ତି । ଶୀତ ଭୟଙ୍କର ରୂପ ନିଏ, ସାରା ଓଡିଶାକୁ ଥରାଏ । ହାଡଭଙ୍ଗା ଜାଡର ଯନ୍ତ୍ରଣାରେ ଜୀବନ ଅସ୍ତବ୍ୟସ୍ତ କରିଦିଏ । ଡରି ଯାଆନ୍ତି ସୌଖିନ ମଣିଷ । ଶୀତକୁ ସାମ୍ନା କରିବାକୁ ନଥାଏ ସେମାନଙ୍କ ସାହସ । କାରଣ- ଶୀତ ସେମାନଙ୍କ ପାଇଁ କମ୍ବଳ ତଳର ଉଷୁମ ଉତ୍ସବ । ସୁଖନିଦ୍ରାର ବିରାଟ ସୁଯୋଗ...

ହେଲେ ଶୀତର ସେ ନାଲି ଆଖିକୁ ଡରନ୍ତିନି ଏମାନେ । ଶୀତର ଶାସ୍ତିକୁ ନଥାଏ ଖଟିଖିଆଙ୍କ ଖାତିର । କାରଣ ସେମାନେ ଜାଣନ୍ତି ଥିଲାବାଲା ଶୀତକୁ ଉପଭୋଗ କରନ୍ତି ଆଉ ନଥିଲାବାଲା ଶୀତରେ ଉଦ୍ୟମ କରନ୍ତି । ଶୀତକୁ ଡରି ଯଦି ସେମାନେ ଘରେ ରହିଯିବେ ତେବେ ଘରେ ଜଳିବନି ଚୁଲି, ପେଟରେ ପଡିବନି ଦାନା । ବୋଧେ ସେହି ଭୟ ଶୀତର ଏ ଭୟକୁ କାଟି କଳା ମଚମଚ ରାସ୍ତାରେ ରାତିର ଅନ୍ଧାର ଚିରି ପଇସା ପାଇଁ ପେଡାଲ୍ ମାରେ ।

ଏଇ ଦେଖୁ ନାହାନ୍ତି ଏ ରିକ୍ସାବାଲା ମାନଙ୍କୁ । କେମିତି ଜାଡ ଜଡସଡ ଅଧରାତିରେ ରିକ୍ସାକୁ ଧରି ଗ୍ରାହକଙ୍କ ଆସିବା ବାଟକୁ ଚାହିଁ ରହିଛନ୍ତି । କିଏ ଆସିବ ଆଉ ତାଙ୍କ ରିକ୍ସାରେ ବସି, ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ପରିଶ୍ରମର ପାଉଣା ଦେବ । କିନ୍ତୁ ହାଏ ଶୀତ ପାଇଁ କେବେ କେବେ ରୋଜଗାର ହୁଏ ତ ପୁଣି କେବେ ପକେଟ ଖାଲି ରହେ । ଆଉ ସେମାନେ ସେହି ରିକ୍ସାରେ ହିଁ କାଟି ଦିଅନ୍ତି ତତମା ଶୀତର ରାତି...

ଆଜିର ଗାଡି ମଟର ଯୁଗରେ ରିକ୍ସାକୁ କିଏ ବା ପଚାରେ । ତଥାପି ଶୀତ ରାତିରେ ଗାଡି ବାହାରୁ ନଥିବାରୁ କାଳେ ଦିପଇସା ହେଇଯିବ ଏଇ ଆଶାରେ ଶୀତକୁ ଚେତାବନୀ ଦେଇ ଆଗକୁ ଗଡିଚାଲେ ରିକ୍ସାର ଚକ...