ଇଞ୍ଜିନିୟରଙ୍କ ହାଇଫାଇ ଲାଇଫଷ୍ଟାଇଲ । ବାବୁଙ୍କ ସମ୍ପତି ଦେଖି ତାଜୁବ୍ ହୋଇଗଲା ଭିଜିଲାନ୍ସ । ଚଢ଼ାଉ ପରେ ଚାଲିଛି ସମ୍ପତି ହିସାବ

1,652

କନକ ବ୍ୟୁରୋ: ଇଞ୍ଜିନିୟରଙ୍କ ହାଇଫାଇ ଲାଇଫଷ୍ଟାଇଲ । ଭିଜିଲାନ୍ସ ଆଜି ଜଣେ ଇଞ୍ଜିନିୟରଙ୍କ ଘରେ ଚଢ଼ାଉ କରିବା ପରେ ତାଙ୍କ ଲାଇଫଷ୍ଟାଇଲ ସାମନାକୁ ଆସିଛି । ବାବୁଙ୍କ ସମ୍ପତି ଦେଖି ତାଜୁବ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ । ଭିଜିଲାନ୍ସ ଆଜି ୫ଟି ସ୍ଥାନରେ ଚଢାଉ କରି କୋଟି କୋଟି ଟଙ୍କାର ସମ୍ପତିର ହିସାବ ପାଇଛି ।

ଇଞ୍ଜିନିୟରଙ୍କ ଘର , କୌଣସି ରାଜବଙ୍ଗଳାଠାରୁ କମ୍ ନୁହେଁ । ଭିତରେ ଚକ୍ ଚକ୍ ମାର୍ବଲ ଆଉ ଦାମୀ ଟାଇଲ । ଇଞ୍ଜିନିୟରଙ୍କ ଡ୍ରଇଂ ରୁମରୁ ବେଡରୁମ ଯାଏ ସବୁଆଡେ ଲାଗିଛି ସୌଖିନ ସାମଗ୍ରୀ । ବଡ ଏଲଇଡି ଟିଭି ସହ, ଡାଏସ ଓ ବେଡରୁମର ସାଜସଜ୍ଜା ଦେଖିବାକୁ ଫାଇଭ୍ ଷ୍ଟାର ହୋଟେଲ ଭଳି । ବାବୁ ବ୍ୟବହାର କରୁଛନ୍ତି ଟମି ହିଲଫାଇଜର ଦାମୀ ଘଂଟା, ସାମସଙ୍ଗ ଏସ-ଟେନ୍ ପ୍ଲସ୍ ଆଇଫୋନ, ଯାଆସ ପାଇଁ ପାଖରେ ଅଛି ଦୁଇ ଦୁଇଟି ଲଗଜୁରିଅସ୍ କାର । ଏସବୁ ଦେଖି ଚକିତ ହୋଇଛନ୍ତି ଚଢ଼ାଉ କରିଥିବା ଭିଜିଲାନ୍ସ ଟିମ୍ ।

ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଥିବା ସ୍ୱରେଜ ବୋର୍ଡର କଟକ ପ୍ରୋଜେକ୍ଟ ଇଂଜିନିୟର ପ୍ରମୋଦ ସାହୁଙ୍କ ଘରେ ଭିଜିଲାନ୍ସ ରେଡ ମାରିବା ପରେ ଏହା ସାମନାକୁ ଆସିଛି । ଆୟବର୍ହିଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ଆଜି ଇଞ୍ଜିନିୟର ପ୍ରମୋଦ ସାହୁଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଏକକାଳିନ ରେଡ୍ ମାରିଛି ଭିଜିଲାନ୍ସ । ଏହି ସମୟରେ ଭୁବନେଶ୍ୱରର ନୟାପଲ୍ଲୀ ଓ ଜାଗମରାରେ ଥିବା ୨ଟି ପ୍ଲଟ ଏବଂ ନୟାପଲ୍ଲୀ ନୁଆସାହି ସ୍ଥିତ ଏକ ଉଚ୍ଚ ଅଟାଳିକା ଠାବ କରିଛି ଭିଜିଲାନ୍ସ ।

କେବଳ ଏତିକି ନୁହେଁ ଏହା ସହିତ ରେଡ୍ ବେଳେ, ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୪୦୦ ଗ୍ରାମର ସୁନା ଅଳଙ୍କାର,୨ଟି କାର ୨ଟି ବାଇକ, ଦାମୀ ଘଂଟ.ଦାମୀ ମୋବାଇଲ ଫୋନ୍ର ଚିଠା କରିଛି ଭିଜିଲାନ୍ସ । ଅନ୍ୟପଟେ ଏସବୁ ସମ୍ପତି ତାଙ୍କ ରୋଜଗାରରୁ କରିଛନ୍ତି ବୋଲି କହିଛନ୍ତି ପ୍ରମୋଦ । ଏହି ଭିଜିଲାନ୍ସ ରେଡ୍ ଇଞ୍ଜିନିୟରଙ୍କ ହାଇଫାଇ ଲାଇଫ ଷ୍ଟାଇଲକୁ ପଦାକୁ ଆଣିଛି ।