ବିଶ୍ୱର ସବୁଠୁ ବଡ ୫ମ ଅର୍ଥ ବ୍ୟବସ୍ଥା । ହେଲେ ବିଶ୍ୱର ୧୦୦ ଧନୀ ଦେଶ ତାଲିକାରେ କାହିଁକି ନାହିଁ ଭାରତର ନାମ

5,080

କନକ ବ୍ୟୁରୋ : ଭାରତ ଏକ ଏଭଳି ଦେଶ ଯାହା ସାରା ବିଶ୍ୱ ଉପରେ ନିଜର ଦବଦବା ଜମାଇ ରଖିଛି । ଆମେରିକା, ଚୀନ, ଜାପାନ, ଜର୍ମାନୀ ପରେ ଭାରତ ହେଉଛି ୫ମ ସବୁଠାରୁ ବଡ ଅର୍ଥବ୍ୟବସ୍ଥାର ଦେଶ । ମାତ୍ର ଯେବେ ଦୁନିଆର ସବୁଠାରୁ ଧନୀଦେଶର କଥା ଆସେ ତେବେ ବିଶ୍ୱର ୧୦୦ଟି ଶ୍ରେଷ୍ଠ ଧନୀ ଦେଶ ତାଲିକାରେ ଭାରତ ନାମ ନାହିଁ ।

ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଧନୀଦେଶ ତାଲିକାରେ ଏସିଆ ମହାଦେଶର ୪ଟି ଦେଶ ଥିବା ବେଳେ ୟୁରୋପ ମହାଦେଶର ୫ଟି ଦେଶ ରହିଛି । ପଶ୍ଚିମ ୟୁରୋପର ଏକ ଛୋଟ ଦେଶ ଲକ୍ଜମବର୍ଗ ବିଶ୍ୱର ସବୁଠାରୁ ଧନୀ ଦେଶ । ଏହି ଦେଶ ବେଲଜିୟମ, ଫ୍ରାନ୍ସ ଓ ଜର୍ମାନୀକୁ ଘେରି ରହିଛି । ଏଠିକାର ଜିଡିପି ପ୍ରତି ବ୍ୟକ୍ତିଙ୍କ ଆୟ ୧୪୩,୩୨୦ ଡଲାର ଅଟେ ।

ଯଦି ବିଶ୍ୱର ଧନୀଦେଶ ମାନଙ୍କ ତାଲିକା ଦେଖିବା ତେବେ ଭାରତର ସ୍ଥାନ ୧୨୯ ନମ୍ବରରେ ରହିଛି । ଭାରତର ଜିଡିପି ପ୍ରତି ବ୍ୟକ୍ତି ଆୟ ୨୬୭୩ ଡଲାର ଅର୍ଥାତ ୨.୨୧ ଲକ୍ଷ ଟଙ୍କା । ଏହି କ୍ରମରେ ଯଦି ବିଶ୍ୱ ଜିଡିପିର କଥା କୁହାଯିବ ତେବେ ଭାରତ ୫ମ ସ୍ଥାନରେ ରହିଛି ।

ଅର୍ନ୍ତରାଷ୍ଟ୍ରୀୟ ମୂଦ୍ରା ପାଣ୍ଠିର ୨୦୨୩ ଆକଳନ ମୁତାବକ ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବଡ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି । ୨୦୧୪ରେ ଭାରତ ଏହି ତାଲିକାର ୧୦ମ ସ୍ଥାନରେ ଥିଲା । ପ୍ରତିବ୍ୟକ୍ତି ଆୟ ତୁଳନାରେ ଭାରତର ସ୍ଥିତି ଏବେ ପଡୋଶୀ ଦେଶ ବାଂଲାଦେଶ ଓ ଶ୍ରୀଲଙ୍କା ଠାରୁ ମଧ୍ୟ ଖରାପ । ହେଲେ ଆଇଏମଏଫର ଆକଳନ ମୁତାବକ ୨୦୨୭ ସୁଦ୍ଧା ଭାରତର ପ୍ରତି ବ୍ୟକ୍ତିଙ୍କ ବାର୍ଷିକ ଆୟ ୩୪୬୬ ଡଲାରରେ ପହଂଚିବ ।

ଭାରତର ଅର୍ଥ ବ୍ୟବସ୍ଥା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ହେଲେ ଏହାର ଲାଭ ସମାନ ଭାବେ ସାଧାରଣ ଲୋକଙ୍କୁ ମିଳୁନାହିଁ । ଭାରତ ବିଶ୍ୱର ଶ୍ରେଷ୍ଠ ୧୦୦ ଧନୀଦେଶ ତାଲିକାରେ ନ ରହିବା ପଛରେ ଅସମାନତା ବଡ କାରଣ । ଗୋଟିଏ ପଟେ ଦେଶର ନିର୍ଦ୍ଧିଷ୍ଟ କିଛି ଲୋକଙ୍କ ପାଖରେ ସର୍ବାଧିକ ସମ୍ପତ୍ତି ଠୁଳ ହେବାରେ ଲାଗିଛି   । ସେପଟେ କୋଟି କୋଟି ଲୋକ ଗରୀବ ସୀମାରେଖା ତଳେ ଜୀବନ ଅତିବାହିତ କରୁଛନ୍ତି । ଅକ୍ସଫାର୍ମ ଇଣ୍ଟରନ୍ୟାସନାଲ ରିପୋର୍ଟ ମୁତାବକ ଭାରତର ୧ ପ୍ରତିଶତ ଲୋକଙ୍କ ପାଖରେ ଦେଶର ୪୦ ପ୍ରତିଶତ ସମ୍ପତ୍ତି ଠୁଳ ହୋଇଛି । ଏହାର ଅର୍ଥ ମୋଟ ଜନସଂଖ୍ୟାର ଏକ ଛୋଟଭାଗ ଦିନକୁ ଦିନ ଧନୀ ହେବାରେ ଲାଗିଛି । ସେପଟେ ଭାରତର ବୁନିଆଦି ଢାଞ୍ଚ ଏପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ମାନକ ପାଖରେ ପହଂଚିପାରିନାହିଁ ।