କନକ ବ୍ୟୁରୋ : ଆମ ଦେଶର ୧୦ ପ୍ରତିଶତ ଧନୀ ଲୋକଙ୍କ ପାଖରେ ଯେତିକି ସମ୍ପତି ଅଛି ତାହା ଦେଶର ୫୦ ପ୍ରତିଶତ ସମ୍ପତିଠୁ ଅଧିକ । ଏବଂ ଦେଶର ୫୦ ପ୍ରତିଶତ ଗରିବ ଲୋକଙ୍କ ପାଖରେ ଯେତିକି ସମ୍ପତି ଅଛି ତାହା ଦେଶର ୧୦ ପ୍ରତିଶତ ସମ୍ପତି ଠୁ କମ୍ । ନ୍ୟାସନାଲ ସାମ୍ପଲ ସର୍ଭେ(ଏନଏସଏସ) ପକ୍ଷରୁ ୨୦୧୯ରେ ଦେଶର ଋଣ ଏବଂ ପୁଞ୍ଜି ବିନିଯୋଗକୁ ନେଇ କରାଯାଇଥିବା ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଯାହା ଆମ ଦେଶରେ ଧନୀ, ଗରିବଙ୍କ ମଧ୍ୟରେ ଥିବା ତାରତମ୍ୟକୁ ଦର୍ଶାଉଛି ।
୨୦୧୯ ଜାନୁଆରୀରୁ ଡିସେମ୍ବର ମାସରେ ଦେଶରେ ଲୋକଙ୍କ ପାଖରେ ଥିବା ସମସ୍ତ ସମ୍ପତିର ମୂଲ୍ୟ ଆକଳନ କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି । ରିପୋର୍ଟ ମୁତାବକ, ଦେଶର ଗ୍ରାମାଂଚଳରେ ୧୦ ପ୍ରତିଶତ ଧନୀ ଲୋକଙ୍କ ପାଖରେ ୫୦.୮ ପ୍ରତିଶତ ସମ୍ପତି ରହିଥିବା ବେଳେ ସହରାଂଚଳରେ ୧୦ ପ୍ରତିଶତ ଧନୀ ଲୋଙ୍କ ମଧ୍ୟରେ ୫୫.୭ ପ୍ରତିଶତ ସମ୍ପତି ଅଛି ।
ସର୍ଭେରୁ ଜଣାପଡିଛି ଯେ, ଗ୍ରାମାଂଚଳରେ ୫୦ ପ୍ରତିଶତ ଗରିବଙ୍କ ପାଖରେ ଥିବା ସମ୍ପତି ଦେଶର ଗ୍ରାମାଂଚଳର ୧୦.୨ ସମ୍ପତି ସହ ସମାନ ହୋଇଥିବା ବେଳେ ସହରାଂଚଳରେ ୬.୨ ପ୍ରତିଶତ ସମ୍ପତି ଠୁ କମ୍ । ଧନୀ ଗରିବ ମଧ୍ୟରେ ଥିବା ଏହି ତାରତମ୍ୟ ରାଜଧାନୀ ଦିଲ୍ଲୀ, ପଞ୍ଜାବ, ଉତରାଖଣ୍ଡ, ମଧ୍ୟପ୍ରଦେଶ, ହରିଆଣାରେ ସବୁଠୁ ଅଧିକ ରହିଥିବା ବେଳେ ଜାମ୍ମୁ କାଶ୍ମୀର, ଝାରଖଣ୍ଡ, ତେଲେଙ୍ଗାନା, ଆସାମ, ଓଡ଼ିଶା, ତାମିଲନାଡୁରେ ସବୁଠୁ କମ ରହିଛି ।
୧୦ % ଧନୀ ସମ୍ପତି ୫୦% ଗରିବ ସମ୍ପତି
ଦିଲ୍ଲୀ ୮୮.୯% ଦିଲ୍ଲୀ ୨.୧%
ପଞ୍ଜାବ ୬୫% ପଞ୍ଜାବ ୫%
ଜାମ୍ମୁ କାଶ୍ମୀର ୩୨% ଜାମ୍ମୁ କାଶ୍ମୀର ୧୮%
ଓଡ଼ିଶା ୪୦% ଓଡ଼ିଶା ୧୦%