କନକ ବ୍ୟୁରୋ : ବାଂଲାଦେଶ ବିପକ୍ଷରେ କୋହଲିଙ୍କ ଶତକକୁ ନେଇ ଯେତିକି ଚର୍ଚ୍ଚା ତାହା ଠାରୁ ଅଧିକ ଚର୍ଚ୍ଚା ଫିଲ୍ଡ ଅମ୍ପାୟାର ରିଚାର୍ଡ କେଟଲବରୋଙ୍କ ନିଷ୍ପତ୍ତିକୁ ନେଇ । କାରଣ ଭାରତର ବିଜୟ ପାଇଁ ୨ ରନ୍ ଆବଶ୍ୟକ ଥିବା ବେଳେ କୋହଲିଙ୍କ ଶତକ ପୂରା ପାଇଁ ୩ ରନ୍ ଆବଶ୍ୟକ ଥିଲା । କୋହଲି ଶତକ କରନ୍ତୁ ବୋଲି କେଏଲ ରାହୁଲ ନିଜେ ଷ୍ଟ୍ରାଇକ ରଖୁନଥିଲେ । ଏଭଳି ସ୍ଥିତିରେ ବାଂଲାଦେଶ ପକ୍ଷରୁ ୪୩ ତମ ଓଭର ନେଇ ଆସିଥିଲେ ନସୁମ ଅହମ୍ମଦ । ପ୍ରଥମ ବଲ ହିଁ ଲେଗ୍ ସାଇଡରେ ପକାଇଥିଲେ ନସୁମ । କିନ୍ତୁ ଏହା କୋହଲିଙ୍କର ଶରୀର କିମ୍ବା ବ୍ୟାଟକୁ ଛୁଇଁନଥିଲା । ତେଣୁ ଏହାକୁ ଅମ୍ପାୟାର ୱାଇଡ ଦେବେ ବୋଲି କ୍ରିକେଟପ୍ରେମୀ ଭାବିଥିଲେ । ଅମ୍ପାୟାର ଏହାକୁ ୱାଇଡ ଦେଇଥିଲେ ଭାରତକୁ ବିଜୟ ପାଇଁ ଆଉ ୧ ରନର ଆବଶ୍ୟକତା ପଡିଥାନ୍ତା ଏବଂ କୋହଲିଙ୍କୁ ଶତକ ପାଇଁ ଆଉ ଟିକେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥାନ୍ତା । କିନ୍ତୁ ଅମ୍ପାୟାର ରିଚାର୍ଡ କେଟଲବରୋ ଏହାକୁ ୱାଇଡ ଦେଇନଥିଲେ । ପରେ ନସୁମଙ୍କ ତୃତୀୟ ବଲରେ ଛକା ମାରି କୋହଲି ନିଜର ଶତକ ପୂରା କରିବା ସହ ଭାରତକୁ ବିଜୟ ଭେଟି ଦେଇଥିଲେ ।

Advertisment

ମ୍ୟାଚ୍ ପରେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡ଼ିଆରେ ମହାଭାରତ ଦେଖିବାକୁ ମିଳିଥିଲା । କିଛି କ୍ରିକେଟପ୍ରେମୀ କହିଥିଲେ ଏହା ସମ୍ପୂର୍ଣ୍ଣ ରୂପେ ୱାଇଡ ବଲ୍ ହିଁ ଥିଲା । ତେବେ ୱାଇଡ ବଲକୁ ନେଇ ଆଇସିସିର ନିୟମ କଣ ରହିଛି ଏବଂ ଅମ୍ପାୟାର କେଟଲବରୋ କାହିଁକି ନସୁମଙ୍କ ବଲକୁ ୱାଇଡ ଦେଲେନି ତାହା ଜାଣିବାର ଆବଶ୍ୟକତା ରହିଛି । କ୍ରିକେଟ ନିୟମ ତିଆରି କରୁଥିବା ଏମସିସି ଅନୁଯାୟୀ, ଯଦି ବୋଲିଂ ସମୟରେ ବ୍ୟାଟର ପୋଜିସନ ବଦଳାନ୍ତି ତେବେ ୱାଇଡ୍ ବଲ ହେବ ନାହିଁ । ଏହାବାଦ୍ ଏଭଳି ସ୍ଥିତିରେ ୱାଇଡ ନିଷ୍ପତ୍ତି ଦେବା ପୂର୍ବରୁ ବ୍ୟାଟରଙ୍କ ପୋଜିସନକୁ ଧ୍ୟାନରେ ରଖିଥାନ୍ତି । ନସୁମ ବଲ ପକାଇବା ପୂର୍ବରୁ କୋହଲି ଲେଗ୍ ଷ୍ଟମ୍ପ ବାହାରେ ଛିଡା ହୋଇଥିଲେ କିନ୍ତୁ ବଲ ପକାଇବା ବେଳେ ଅଫ୍ ସାଇଡକୁ ଘୁଞ୍ଚି ଆସଥିଲେ ଫଳରେ ବଲଟି ଲେଗ୍ ସାଇଡରେ ସିଧାସଳଖ ୱିକେଟକିପରଙ୍କ ହାତକୁ ଯାଇଥିଲା । ଯଦି ବିରାଟ ତାଙ୍କ ସ୍ଥାନରୁ ହଟିନଥାନ୍ତେ ତେବେ ଏହି ବଲ ତାଙ୍କର ପ୍ୟାଡରେ ବାଜିଥାନ୍ତା । ତେଣୁ ଅମ୍ପାୟାର କେଟଲବରୋ ସମ୍ପୂର୍ଣ୍ଣ ଠିକ୍ ନିଷ୍ପତ୍ତି ନେଇଛନ୍ତି ବୋଲି କିଛି କ୍ରିକେଟପ୍ରେମୀ କହିଛନ୍ତି ।

ଏହାଛଡା ଏହି ବଲ୍ ୱାଇଡ ହୋଇଥିଲେ ମଧ୍ୟ କୋହଲି ନିଜର ଶତକ ପୂରା କରିପାରିଥାନ୍ତେ । କାରଣ ମ୍ୟାଚ୍ ବିଜୟ ପାଇଁ ୨ ରନ୍ ଆବଶ୍ୟକ ଥିବା ବେଳେ କୋହଲି ଛକା ମାରି ନିଜର ଶତକ ପୂରା କରିଥିଲେ ।
ରିଚାର୍ଡ କେଟଲବରୋ ଅନେକ ସମୟରେ ଆଇସିସି ଇଭେଣ୍ଟରେ ଟିମ୍ ଇଣ୍ଡିଆ ପାଇଁ ଅନଲକି ସାବ୍ୟସ୍ତ ହୋଇଛନ୍ତି । ୨୦୨୧ ଟି-୨୦ ବିଶ୍ୱକପ ହେଉ କି ୨୦୧୯ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲା ସେତେବେଳେ ଫିଲ୍ଡ ଅମ୍ପାୟାର ଥିଲେ କେଟଲବରୋ । ଏହି ନକଆଉଟ ମୁକାବିଲାରେ ଟିମ୍ ଇଣ୍ଡିଆ ପରାଜିତ ହୋଇଥିଲା । ସେହିଭଳି ୨୦୧୪ ଟି-୨୦ ବିଶ୍ୱକପ, ୨୦୧୫ ବିଶ୍ୱକପ, ୨୦୧୬ ଟି-୨୦ ବିଶ୍ୱକପ, ୨୦୧୭ ଚାମ୍ପିୟନ୍ସ ଟ୍ରଫି ନକଆଉଟ ମୁକାବିଲାରେ ମଧ୍ୟ କେଟଲବରୋ ଭାରତ ମ୍ୟାଚରେ ଅମ୍ପାୟାର ରହିଥିଲେ । ତେବେ ଟିମ୍ ଇଣ୍ଡିଆ ପାଇଁ ଅନଲକି ସାବ୍ୟସ୍ତ ହୋଇଥିବା କେଟଲବରୋ କୋହଲିଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛନ୍ତି ବୋଲି କହିଛନ୍ତି କ୍ରିକେଟପ୍ରେମୀ ।