ପଞ୍ଚାୟତ ନିର୍ବାଚନରେ କୋଟିପତି ପ୍ରାର୍ଥୀ । ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଖରେ ରହିଛି କୋଟି କୋଟି ଟଙ୍କାର ସମ୍ପତି ।

446

କନକ ବ୍ୟୁରୋ : ବିଧାୟକ ଓ ସାଂସଦ ପଦ ପାଇଁ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ଆପଣମାନେ ଦେଖିଥିବେ । ହେଲେ, ସୁନ୍ଦରଗଡରୁ ଆସିଛି ଜିଲ୍ଳାପରିଷଦ ପଦ ପାଇଁ ନିର୍ବାଚନ ଲଢ଼ୁଥିବା ତିନି କୋଟିପତି ପ୍ରାର୍ଥୀଙ୍କ ଖବର । ଏପରିକି ଜେଏମଏମରୁ ଲଢ଼ୁଥିବା ଜଣେ ପ୍ରାର୍ଥୀଙ୍କ ସମ୍ପତି ୨୫ କୋଟିରୁ ଅଧିକ ରହିଛି ।

ପଞ୍ଚାୟତ ନିର୍ବାଚନରେ କୋଟିପତି ପ୍ରାର୍ଥୀ । ସୁନ୍ଦରଗଡ଼ରେ ୩ ଜିଲ୍ଲା ପରିଷଦ ପ୍ରାର୍ଥୀ କୋଟିପତି । ବିଧାନସଭା ନିର୍ବାଚନରେ କୋଟିପତି ପ୍ରାର୍ଥୀ କିଛି ନୂଆ କଥା ନୁହେଁ । ହେଲେ ଏଥର ପଞ୍ଚାୟତ ନିର୍ବାଚନରେ କୋଟିପତି ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ବଢ଼ିଛି । ସୁନ୍ଦରଗଡ ଜିଲ୍ଲାର ୩ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସମ୍ପତି କୋଟିଏ ଟଙ୍କାରୁ ଅଧିକ । ନିର୍ବାଚନୀ ସତ୍ୟପାଠରେ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।

ତେବେ ନଜର ପକାନ୍ତୁ ଏହି କୋଟିପତି ପ୍ରାର୍ଥୀଙ୍କ ଉପରେ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଜିଲ୍ଲାପରିଷଦ ପ୍ରାର୍ଥୀ ଲେଥା ତିର୍କୀ । ବିଶ୍ରା-(କ) ଜୋନରୁ ଲଢ଼ୁଥିବା ଲେଥାଙ୍କ ପାଖରେ ରହିଛି ୨୫ କୋଟି ୨୮ ଲକ୍ଷ ୧୮ ହଜାର ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି । ଜାମସେରାରେ ୧ କୋଟି ଓ ଜଗଦାରେ ୨୪ କୋଟି ଟଙ୍କାର ଜମି ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଏହି ଜେଏମଏମ ପ୍ରାର୍ଥୀ ।

କୋଇଡା (ଖ) ଜିଲ୍ଲାପରିଷଦ ଜୋନରୁ ବିଜେଡି ପ୍ରାର୍ଥୀ ଅଶୋକ କୁମାର ନାୟକ । ଅଶୋକଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩ କୋଟି ୭୫ ଲକ୍ଷ ଟଙ୍କା । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ତାଙ୍କର ୧ କୋଟି ୧୦ ଲକ୍ଷ ୪୦ ହଜାର ଟଙ୍କାର ଏକ ପ୍ଲଟ ରହିଛି । ସେହିପରି ୨ କୋଟି ୧ ଲକ୍ଷ ୫ ହଜାର ଟଙ୍କାର ବିଭିନ୍ନ ଗାଡି ଥିବା ସତ୍ୟପାଠରେ ଦର୍ଶାଇଛନ୍ତି ।

ସୁନ୍ଦରଗଡ (କ) ଜିଲ୍ଲା ପରିଷଦ ଜୋନ୍ ପାଇଁ ବିଜେପି ପ୍ରାର୍ଥୀ ପ୍ରବୀଣ କୁମାର ନାୟକ । ପ୍ରବୀଣ ଓ ତାଙ୍କ ସମ୍ପର୍କୀୟଙ୍କ ନାଁରେ ମୋଟ୍ ୨ କୋଟି ୯୫ ଲକ୍ଷ ୭୦ ହଜାର ୯୭୩ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତି ରହିଛି । ତାଙ୍କ ନାଁରେ ୨୦ ଲକ୍ଷ ଟଙ୍କାର ଜମି ରହିଛି । ପତ୍ନୀଙ୍କ ନାଁରେ ୪ ଲକ୍ଷ ଓ ନିଜ ନାଁରେ ଦେଢ ଲକ୍ଷ ଟଙ୍କାର ସୁନା ଗହଣା ରହିଛି । ବିଭିନ୍ନ ବ୍ୟାଙ୍କରରେ ପତ୍ନୀ ଓ ତାଙ୍କ ନାଁରେ ୧୬ ଲକ୍ଷ ୧୮ ହଜାର ୪୫୨ ଟଙ୍କାର ଜମା ରହିଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି ।