ଚୀନ ସେନାର ଭୋକ ମେଣ୍ଟାଉଛନ୍ତି ଭାରତୀୟ କୃଷକ । ସଂକଟରେ ଚାଇନାର ଚାଉଳ ଆମଦାନୀ । ଚାଇନାକୁ ରିହାତି ଦରରେ ଚାଉଳ ଯୋଗାଉଛି ଭାରତ । ୩୦ ବର୍ଷ ପରେ ଚାଉଳ ବଦଳାଇବ ସଂପର୍କ

354

କନକ ବ୍ୟୁରୋ : ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ବିବାଦ ସତ୍ତେ୍ୱ ସଂପର୍କରେ ଏବେ ସାମାନ୍ୟ ସୁଧାର ଆସିଥିବା ଲକ୍ଷ୍ୟ କରାଯାଉଛି । ଦୀର୍ଘ ୩୦ ବର୍ଷ ପରେ ଭାରତ ସରକାରଙ୍କ ଠାରୁ ଚୀନ ଚାଉଳ କିଣିବା ଆରମ୍ଭ କରିଛି । ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଏବେ ବି ସୀମାକୁ ନେଇ ସଙ୍ଘର୍ଷ ଜାରି ରହିଛି । ଉଭୟ ଦେଶର ଯବାନ ସୀମାରେ ଯୁଦ୍ଧ ପାଇଁ ପ୍ରସ୍ତୂୁତ ହେଉଥିବା ବି ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ହେଲେ ଭାରତ ଠାରୁ ଚୀନ ସରକାର ଚାଉଳ କିଣିବା କଥା ପଦାକୁ ଆସିବା ପରେ କୂଟନୈତୀକ ସ୍ତରରେ ଉଭୟ ଦେଶ ମଧ୍ୟରେ ସଂପର୍କରେ ଆସିଥିବା ତିକ୍ତତାର ସୁଧାର ଆସୁଥିବା ଅନୁମାନ କରାଯାଉଛି ।
ସାରା ବିଶ୍ୱରେ ଭାରତ ଚାଉଳ ରପ୍ତାନୀରେ ରେକର୍ଡ କରିଥିବା ବେଳେ ଭାରତ ଏବେ ଚାଇନାକୁ ରିହାତି ଦରରେ ଚାଉଳ ଯୋଗାଉଛି । ୩୦ ବର୍ଷ ତଳେ ଚୀନ୍ ଭାରତ ଠାରୁ ବାର୍ଷିକ ୪ ନିୟୁତ ଟନ୍ ଚାଉଳ ଆମଦାନୀ କରିଥାଏ । ହେଲେ ଚାଉଳର ମାନକୁ ନେଇ ଉଭୟ ଦେଶ ମଧ୍ୟରେ କିଛି ଅସୁବିଧା ଦେଖା ଦେଇଥିଲା । ଏହା ପରେ ଚାଇନା ଭାରତ ଠାରୁ ଚାଉଳ ଆମଦାନୀ କରିବା ବନ୍ଦ କରିଦେଇଥିଲା । ହେଲେ ଏବେ ଚାଇନାକୁ ପାରମ୍ପାରିକ ଭାବେ ଚାଉଳ ଯୋଗାଣ କରୁଥିବା ଥଇଲାଣ୍ଡ, ଭିଏତ୍ନାମ, ମ୍ୟାଅାଁମାର, ପାକିସ୍ତାନ ଆଦି ଦେଶରେ ବଳକା ଚାଉଳ କମ୍ ଥିବାରୁ ସେମାନେ ଚାଇନାକୁ ଚାଉଳ ଯୋଗାଇବାରେ ସକ୍ଷମ ହୋଇ ନାହାନ୍ତି । ତେଣୁ ବାଧ୍ୟ ହୋଇ ଚାଇନା ଭାରତ ଠାରୁ ଚଳିତବର୍ଷ ଚାଉଳ ଆମଦାନୀ କରୁଛି । ଅନ୍ୟପଟେ ଚଳିତବର୍ଷ ଚାଇନା ଭାରତ ଚାଉଳର ମାନ ଦେଖିବା ପରେ ଚାଇନା ଅଧିକ ଭାରତୀୟ ଚାଉଳ ଆମଦାନୀ କରିପାରେ ବୋଲି ଚାଉଳ ରପ୍ତାନିକାରୀ ମହାସଂଘର ସଭାପତି ବି.କେ କ୍ରିଷ୍ଣ ରାଓ ପ୍ରକାଶ କରିଛନ୍ତି ।