ମଣ୍ଡିରେ ପଡିଛି ଧାନ, କିଣୁନାହାନ୍ତି ମିଲର । ଧର୍ମଗଡରୁ ଆସିଛି ଧାନମଣ୍ଡରେ ସମସ୍ୟା ଖବର । ଚାଷୀ କହିଲେ, ଖରିଫ ଧାନ ବିକ୍ରି ନହଲେ ରବି ଧାନ ଚାଷ ହେବ କେମିତି?

107

କନକ ବ୍ୟୁରୋ : ମଣ୍ଡି ଖୋଲା ଅଛି, କିନ୍ତୁ ଧାନ ବିକ୍ରି ହେଉନି । ଧାନ ବିକ୍ରି ପାଇଁ ଟୋକନ ମିଳିଥିଲେ ବି ଧାନ କିଣୁ ନାହାନ୍ତି ମିଲର । ଟାର୍ଗେଟ ପୂରଣ ହୋଇ ସାରିଥିବା ଦର୍ଶାଇ ମିଲର ଧାନ କିଣୁ ନଥିବା ବେଳେ ରବି ଚାଷକୁ ନେଇ ଚିନ୍ତାରେ ପଡିଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡର ଚାଷୀ । କାରଣ ଆଉ କିଛି ଦିନ ମଧ୍ୟରେ ଇନ୍ଦ୍ରାବତି କେନାଲରୁ ପାଣି ଛଡାଗଲା ପୁଣି ରବି ଧାନ ଚାଷ ହେବ । ହେଲେ ଏଯାଏଁ ଖରିଫ ଧାନ ବିକ୍ରି ହୋଇନଥିବାରୁ କେଉଁଠୁ ଟଙ୍କା ଆଣି ଚାଷୀ ଚାଷ କରିବେ, ସେନେଇ ଚିନ୍ତାରେ ପଡିଛନ୍ତି ।

ଧର୍ମଗଡ ସଦର ମହୁକୁମାଠାରୁ ୪ କିଲୋମିଟର ଦୂରରେ ରହିଛି ବଡ ବସୁଲ ମଣ୍ଡି । ମାସେ ତଳୁ ଅର୍ଥାତ୍ ନଭେମ୍ବର ୨୫ରୁ ଏଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୩ଟି ରାଇସ୍ ମିଲ୍ ଧାନ କିଣୁଛି, କିନ୍ତୁ ଏଯାଏଁ ପ୍ରାୟ ୫୦% ଧାନ କିଣାଯାଇନାହିଁ । କେତେକ ଚାଷୀଙ୍କ ଧାନ ବିକ୍ରି ହୋଇଥିବା ବେଳେ କିଛି ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ପଡି ରହିଛି । ବିକ୍ରି ହୋଇଥିବା ଧାନରୁ କ୍ୱିଂଟାଲ ବିଛା ୬ରୁ ୭ କିଲୋ କଟନୀ ଛଟନୀ କରାଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ । ମିଲର୍ସ ଓ ଯୋଗାଣ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଧାନ ବିକ୍ରିରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି ।

ବଡ ବସୁଲ ମଣ୍ଡିରେ ରାଉରାହଲଦି, ବଡ ବସୁଲ, କନ୍ତେର, ରାଜୀବପୁର ଓ ସରଧାପୁରର ଚାଷୀ ଧାନ ବିକ୍ରି କରନ୍ତି । ଏ ବର୍ଷ ଧାନ ବିକିବା ପାଇଁ ୫୯୨ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ମଣ୍ଡି ଜରିଆରେ ସରକାର ୩୨ ହଜାର ୯୦୦ କ୍ୟୁଂଟାଲ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ତେବେ ନଭେମ୍ବର ୨୫ରୁ ଡିସେମ୍ବର ୨୫ ଭିତରେ ୩ଟି ରାଇସ୍ ମିଲ ୨୮୮ ଜଣ ଚାଷୀ, ୧୮ହଜାର ୪୩୦ କ୍ୟୁଂଟାଲ ଧାନ କିଣିଛି । ଏବେ ୮୩ ଜଣ ଚାଷୀଙ୍କ ୬୦୭୧ କ୍ୟୁଂଟାଲ ଧାନ ବିକ୍ରି ଅପେକ୍ଷାରେ ଅଛି । ତେବେ ଟାର୍ଗେଟ ନଥିବାରୁ ଧାନ ଉଠୁ ନଥିବା କହିଛନ୍ତି ମଣ୍ଡି ଦାୟିତ୍ୱରେ ଥିବା ଅଧିକାରୀ ।

ତେବେ ମିଳିଥିବା ସୂଚନା ଅନୁସାରେ, ବଡ ବସୁଲ ମଣ୍ଡିରେ ଧାନ କିଣୁଥିବା ମାତୃଶକ୍ତି ରାଇସ ମିଲର ୮୬୭ କ୍ୟୁଂଟାଲ ଧାନ ଉଠାଣ ବାକି ଥିବା ବେଳେ ବିକେ ଫୁଡସ୍ ରାଇସ ମିଲର ୭୮୮ କ୍ୟୁଂଟାଲ ଓ ଆରକେ ଉଦ୍ୟୋଗ ରାଇସ ମିଲର ୩୧୩ କ୍ୟୁଂଟାଲ ଟେର୍ଗେଟ ବାକି ଅଛି । ତେବେ ମିଲରମାନେ ଟୋକନ ଥିବା ଚାଷୀଙ୍କ ଧାନ ନକିଣି ଦଲାଲଙ୍କ ଧାନ କିଣିଛନ୍ତି । ଏବଂ ଚାଷୀଙ୍କ କିଣିବା ବେଳେ ଟାର୍ଗେଟ ପୂରଣ ହୋଇଯାଇଥିବା କଥା କହୁଛନ୍ତି । ମଣ୍ଡିରେ ପଡିଥିବା ଧାନ ବିକ୍ରି ନହେଲେ ରବି ଧାନ ଚାଷ କେମିତି କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।