ହାତରେ ଟୋକନ୍ ଅଛି, ଧାନ ମଣ୍ଡିରୁ ଉଠୁନି । ମାସ ମାସ ଧରି ପ୍ରତିକ୍ଷା ପରେ ବି ମଣ୍ଡିରେ ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଛନ୍ତି ଚାଷୀ

99

କନକ ବ୍ୟୁରୋ : ହାତରେ ଟୋକନ୍ ଅଛି, ଧାନ ମଣ୍ଡିରୁ ଉଠୁନି । ଆଉ କାହାର ମଣ୍ଡିରେ ଧାନ ପଡ଼ିଛି, ଟୋକନର ଅବଧି ଗଡ଼ିଯାଇଛି । ମାସ ମାସ ଧରି ପ୍ରତିକ୍ଷା ପରେ ବି ମଣ୍ଡିରେ ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ମଣ୍ଡିର ଚାଷୀ । ପଦ୍ମପୁର ଅଞ୍ଚଳର ୭୦ଟି ମଣ୍ଡିରେ ପଡ଼ି ରହିଛନ୍ତି ପ୍ରାୟ ୧୩ ଲକ୍ଷ ବସ୍ତା ଧାନ । ଶୀତକାରକରେ ଧାନ ବିକ୍ରି କରିବା ପାଇଁ ମାସ ମାସ ଧରି ମଣ୍ଡିରେ ପଡ଼ି ରହିଛନ୍ତି ଚାଷୀ । କାରଣ, ଧାନ ବିକ୍ରି ହେଲେ ହାତକୁ ଟଙ୍କା ଆସିବ, ଧାନ ବିକ୍ରି ହେଲେ ମଜୁରୀ ଦେବେ ।

ଚାଷୀର ଅସହାୟତା ଛଡ଼ା ଏହାକୁ ଆଉ କଣ କୁହାଯିବ? ବର୍ଷ ତମାମ୍ ପରିଶ୍ରମ କରିଥିବା ଚାଷୀ, ପରିଶ୍ରମର ଫଳ ଯେତେବେଳେ ସାଉଁଟି ଆଣି ମଣ୍ଡିରେ ଗଦା କରି ରହିଛି, ତାହା ସତେ ଯେମିତି ଅଲୋଡ଼ା ହୋଇଯାଇଛି । ଚାଷୀର ପରିଶ୍ରମକୁ ହୁଏତ ଅଲୋଡ଼ା କରି ଦେଇଛି ଟୋକନ୍ ସମସ୍ୟା । ହାତରେ ଟୋକନ୍ ଅଛି, ଧାନ ମଣ୍ଡିରୁ ଉଠୁନି । ଆଉ କାହାର ମଣ୍ଡିରେ ଧାନ ପଡ଼ିଛି, ଟୋକନର ଅବଧି ଗଡ଼ିଯାଇଛି । ଆଉ ଏହାରି ଭିତରେ ମାସ ମାସ ବିତି ଗଲାଣୀ ସିନା, ଚାଷୀର ଧାନ ମଣ୍ଡିରୁ ଉଠିପାରୁନାହିଁ ।

ପଦ୍ମପୁର ଆରଏମସିର ୭୦ଟି ମଣ୍ଡିରେ ପ୍ରାୟ ୧୩ ଲକ୍ଷ ବସ୍ତା ଧାନ ପଡ଼ିରହିଛି । ବର୍ତ୍ତମାନ କିଛି ଚାଷୀ ପାଖରେ ବୈଧତା ଥିବା ଟୋକନ ରହିଛି ହେଲେ ଚାଷୀ ଧାନ ବିକ୍ରି କରି ପାରୁନାହିଁ । ଆଉ କିଛି ଚାଷୀଙ୍କ ଟୋକନ ବୈଧତା ଆଉ ଅଳ୍ପ କିଛି ଦିନ ପରେ ସରିଯିବ । ହେଲେ ମିଲର ଧାନ ଉଠାଉନଥିବା କାରଣରୁ ଧାନ ବସ୍ତା ମଣ୍ଡିରେ ପଡିରହଛି । ଏସବୁ ଭିତରେ ଖୋଲା ଆକାଶ ତଳେ ପଡି ରହିଥିବା ଧାନବସ୍ତା ସବୁ ଦିନର ଟାଣ ଖରା ଓ ରାତିର ଅସହ୍ୟ ଶୀତ କାକର ଯୋଗୁଁ ପ୍ଲାଷ୍ଟିକ ବସ୍ତା ଗୁଡିକ ଫାଟି ଯାଉଛି । ଏବଂ ଧାନ ଗୁଡିକ ତଳେ ପଡି ନଷ୍ଟ ହେଉଛି ।

ଧାନ ବିକ୍ରି କରିବାକୁ ଚାଷୀ ହସ୍ତସନ୍ତ ହେଉଥିବା ବେଳେ କିନ୍ତୁ ମଣ୍ଡି କର୍ତ୍ତୃପକ୍ଷ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ମଙ୍ଗୁ ନାହାଁନ୍ତି । ଆଉ ଏସବୁ ଭିତରେ ବରଗଡ଼ ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ସଂଗ୍ରହ ହୋଇଥିବା ସରକାରୀ ରିପୋର୍ଟ କହୁଛି ।