ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପୁଣି ଦାବି କଲା ଓଡିଶା । ଓଡିଶାକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ଦାବି । ବିଜେପିର ଜବାବ, ଧାନ ବିକ୍ରି ବେଳେ ରୋକନ୍ତୁ କଟନି-ଛଟନି, ଚାଷୀଙ୍କୁ ଦିଅନ୍ତୁ ବୋନସ୍ ।

230

କନକ ବ୍ୟୁରୋ : ଗତକାଲି କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଓଡିଶାକୁ ସ୍ୱତନ୍ତ୍ର ଭାବେ ବିଚାର କରାଯାଇ ଏମଏସପିକୁ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ । ଏନେଇ ଜବାବ ରଖିଛି ବିଜେପି ।

ବିଜେଡି-ବିଜେପି ‘ଧାନ’ କଳି । ଏମଏସପି ୨୯୩୦ ଟଙ୍କା କରିବାକୁ ଦାବି । କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାର ଦିନକ ପରେ ଆରମ୍ଭ ହୋଇଛି ବିଜେଡି ଓ ବିଜେପି କଳି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ରାଜ୍ୟ ସରକାର । କୃଷି ମନ୍ତ୍ରୀ ଅରୁଣ ସାହୁ  କହିଛନ୍ତି, ଚଳିତ ବର୍ଷ ଧାନର ଏମଏସପି ଉପରେ ଗତବର୍ଷଠାରୁ ମାତ୍ର ୭୨ ଟଙ୍କା ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ରାଜ୍ୟର ଚାଷୀଙ୍କ ହିତରେ ସାହାଯ୍ୟ କରିବ ନାହିଁ । ଧାନର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ଅନ୍ୟ କ୍ଷେତ୍ରରେ ହେଉଥିବା ଆୟ ବୃଦ୍ଧିକୁ ବିଚାରକୁ ନେଇ ମୂଲ୍ୟ ଧାର୍ଯ୍ୟ କରାଗଲା ଚାଷୀମାନେ ୨୫ ପ୍ରତିଶତ ଲାଭ ପାଇପାରିବେ ।

ଧାନର ଏମଏସପିକୁ ବୃଦ୍ଧିକୁ ନେଇ ରାଜ୍ୟ ସରକାର ଦାବି ରଖିବା ପରେ ପ୍ରତିକ୍ରିୟା ରଖିଛି ବିଜେପି । ସରକାର ପ୍ରଥମେ ଚାଷୀଙ୍କଠାରୁ ଧାର୍ଯ୍ୟ ମୂଲ୍ୟରେ ଧାନ କିଣନ୍ତୁ ବୋଲି ଦାବି କରିଛି ଭାରତୀୟ ଜନତା ପାର୍ଟି । ଏଥିସହ ରାଜ୍ୟରେ ଧାନ ବିକ୍ରି ସମୟରେ କଟନି ଛଟନି ଯୋଗୁଁ କୋଟି କୋଟି ଟଙ୍କା ହେରଫେର ହେଉଥିବା ଅଭିଯୋଗ କରିଛି ବିଜେପି ।

ଗୁରୁବାର କେନ୍ଦ୍ର ସରକାର ଖରିଫ ବିପଣନ ଋତୁ ପାଇଁ ଧାନ ସମେତ ଅଣଧାନ ଫସଲର ଏମଏସପି ଘୋଷଣା କରିଛନ୍ତି । ସାଧାରଣ ମାନର ଧାନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୧୮ ଶହ୬୮ ଟଙ୍କାରୁ ୧୯୪୦ ଟଙ୍କାରୁ ବୃଦ୍ଧି କରିଛନ୍ତି । ଯାହାକି ପୂର୍ବ ବର୍ଷ ତୁଳନାରେ ମାତ୍ର ୭୨ ଟଙ୍କା ଅଧିକ । ସେହିଭଳି ଗ୍ରେଡ-ଏ ଧାନର ଏମଏସପି ୧୯୬୦ ଟଙ୍କାକୁ ବଢାଯାଇଛି ।