କନକ ବ୍ୟୁରୋ : ସାରା ରାଜ୍ୟରୁ ଆସିଥିବା ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡି ଓ କାନିକା । ଏହାକୁ ମହାପ୍ରଭୁଙ୍କଠାରେ ଲାଗି ହେବା ପରେ ଭକ୍ତଙ୍କୁ ବଂଟାଯିବ । ଶ୍ରୀମନ୍ଦିରର ପଶ୍ଚିମ, ଉତର ଓ ଦକ୍ଷିଣ ଦ୍ୱାରରେ ଦର୍ଶନ ସାରି ଫେରୁଥିବା ଭକ୍ତଙ୍କୁ ପ୍ରସାଦ ଦିଆଯିବ । ପ୍ରଥମ କରି ଗଂଜାମରୁ ଆସିଥିବା ଅର୍ପଣ ଚାଉଳରେ କାନିକା ଓ ଖେଚୁଡି ପ୍ରସ୍ତୁତ କରାଯାଇ ବଂଟନ କରାଯିବ ବୋଲି ମହାସୁଆର ନିଯୋଗ ସଭାପତି ସୂଚନା ଦେଇଛନ୍ତି । ଆଜି ପ୍ରାୟ ୬୦ ହାଣ୍ଡି କାନିକା ଓ ଖେଚୁଡି ପ୍ରସ୍ତୁତ କରି ଭକ୍ତଙ୍କୁ ବାଂଟିବାର ଯୋଜନା କରାଯାଇଛି । ପ୍ରତିଦିନ ପ୍ରାୟ ୧୦ ହଜାର ଲୋକଙ୍କୁ ମାଗଣା ପ୍ରସାଦ ବାଂଟିବା ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି । ସେପଟେ ଅର୍ପଣ ରଥକୁ ଭକ୍ତମାନେ ଦେଇଥିବା ଦାନ ଟଙ୍କା ପରିମାଣ ଗଣତି ଶେଷ ହୋଇନି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏବେ ବି ବିଭିନ୍ନ ଜିଲ୍ଲାରୁ ଦାନ ଟଙ୍କା ପହଂଚୁଛି ।