କନକ ବ୍ୟୁରୋ : ରାଜ୍ୟରେ ପ୍ରଥମ ଥର ପାଇଁ ଖୋଲିବ ଚାଉଳ ଏଟିଏମ୍ । ରାସନ୍ କାର୍ଡ ହିତାଧିକାରୀଙ୍କୁ ଏହି ଚାଉଳ ଏଟିଏମ୍ ପ୍ରଦାନ କରାଯିବ । ତେବେ ପ୍ରଥମ ପର୍ୟ୍ୟାୟରେ ରାଜଧାନୀ ଭୁବନେଶ୍ୱରେ ଚାଉଳ ଏଟିଏମ୍ ଖୋଲାଯିବା ପରେ, ଏହାକୁ ପରେ ପ୍ରତିଟି ଜିଲ୍ଲାରେ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

Advertisment

ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ପ୍ରଥମ ଥର ପାଇଁ ଚାଉଳ ଏଟିଏମ୍ ଖୋଲାଯିବ । ଭୁବନେଶ୍ୱରରେ ସପ୍ତାହେ ଭିତରେ ଏହି ଚାଉଳ ଏଟିଏମ୍ ଖୋଲିବ। ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ଏଟିଏମ୍ କାର୍ଡ ଦିଆଯିବ । ଯାହାଦ୍ୱାରା କି ସାରା ଭାରତରେ ଏହି କାର୍ଡ ବ୍ୟବହାର ହୋଇପାରିବ। ତେବେ ରାଜଧାନୀ ଭୁବନେଶ୍ୱର ପରେ ପରବର୍ତ୍ତୀ ପର୍ୟ୍ୟାୟରେ ପ୍ରତି ଜିଲ୍ଲାରେ ଗୋଟିଏ ଗୋଟିଏ ଚାଉଳ ଏଟିଏମ୍ ସେଣ୍ଟର ଖୋଲାଯିବ ବୋଲି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ରାଜ୍ୟରେ ପ୍ରାୟ ୫୦ ଲକ୍ଷ ମିଛ ବା ଭୂତ ରାସନ କାର୍ଡ ହିତାଧିକାରୀ ଅଛନ୍ତି। ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ଠାରୁ କାର୍ଡ ହଟାଯାଇ ନୂତନ ଯୋଗ୍ୟ ହିତାଧିକାରୀକାରୀଙ୍କୁ ଏଥିରେ ସାମିଲ କରାଯିବାକୁ ବିଭାଗୀୟ ସଚିବଙ୍କୁ ନିର୍ଦେଶ ଦିଆଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସମୀକ୍ଷା ପରେ ମନ୍ତ୍ରୀ ଏହି ନିର୍ଦେଶ ଦେଇଛନ୍ତି ।

ଏଥିସହିତ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ କଡା ଚେତାବନୀ ଶୁଣାଇଛନ୍ତି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁ ଅସାଧୁ ବ୍ୟବସାୟୀ ମାନେ କୁତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦେଶ । ଏହି ସମୟରେ କିଛି ଦିନ ପାଇଁ ପନିପରିବା ଦର କମ ବେଶୀ ହୋଇଥାଏ। ତଥାପି ଜାଣିଶୁଣି ଦର ବୃଦ୍ଧି କରି ଲୋକଙ୍କୁ ହଇରାଣ କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି। ଏଥି ସହିତ ସମସ୍ତ ଯୋଗାଣ ଅଧିକାରୀମାନଙ୍କୁ କ୍ୱାଲିଟି ଓ ମାପଦଣ୍ଡ ଉପରେ ମଧ୍ୟ ଗ୍ରାଉଣ୍ଡକୁ ଯାଇ ତଦାରଖ କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି ।

କୃଷକ ଓ ଖାଉଟି ଯେମିତି ହଇରାଣ ନହେବେ ସେନେଇ ମଧ୍ୟ ଯୋଜନା ହୋଇଛି, ଚାଷୀଙ୍କ ଧାନ କିଣିଲା ବେଳେ କୌଣସି ମିଲର କଟଣୀ ଛଟଣି କରିପାରିବେ ନାହିଁ। ୪୮ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣାଯିବ ସେଥିପାଇଁ କମିଟି ଗଠନ ହୋଇଛି। ଚାଷୀଙ୍କୁ ହଇରାଣ କଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ଡିଲର ମାନେ ଯଦି ହିତାଧିକାରୀକାରୀଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ଆସିଲେ ତଦନ୍ତ କରି ଲାଇସେନସେନ ରଦ୍ଧ କରି ନୂଆ ଡିଲରଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି ।