ସୁଶାନ୍ତ ସିଂ ମୃତ୍ୟୁ ରହସ୍ୟ ଉପରୁ ଉଠିବ ପରଦା: ଆଜି ରିୟାଙ୍କୁ ପଚରାଉଚରା କରିବ ଇଡି; ସହଯୋଗୀଙ୍କୁ ୯ ଘଂଟା ଧରି ଜେରା, ରିୟାଙ୍କ ସମେତ ୭ଜଣଙ୍କ ନାଁରେ ସିବିଆଇ କରିଛି ମାମଲା

331

କନକ ବ୍ୟୁରୋ: ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜରେ ହେବେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତି । ଅର୍ଥ ହେରଫେର ଅଭିଯୋଗରେ ହାଜର ହେବାକୁ ସମନ ଜାରି କରିଛି ଇଡି । ମିଳିଥିବା ସୂଚନା ଅନୁସାରେ ରିୟାଙ୍କ ସଂପତି ନେଇ ପଚରାଉଚରା କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ । ଆୟର ସ୍ରୋତ, ବ୍ୟବସାୟିକ କାରବାର, ଖର୍ଚ୍ଚର ବିବରଣୀ ଉପରେ ରିୟାଙ୍କୁ ପ୍ରଶ୍ନ କରାଯାଇପାରେ । ଏହାଛଡା ଗତ ବର୍ଷକ ମଧ୍ୟରେ ୧୫କୋଟି ଟଙ୍କାର ଲେଣଦେଣ ନେଇ ରିୟାଙ୍କୁ ଇଡି ପଚରାଉଚରା କରିବ । ପ୍ରବର୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବା ପାଇଁ ରିୟାଙ୍କୁ ସମନ କରାଯାଇଛି ।

ଗତକାଲି ସୁଶାନ୍ତଙ୍କ ହାଉସ ମ୍ୟାନେଜର ତଥା ରିୟାଙ୍କ ବନ୍ଧୁ ସାମୁଏଲ ମିରାଣ୍ଡାଙ୍କୁ ୯ ଘଂଟା ଜେରା କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ବିଶେଷ କରି ସୁଶାନ୍ତ ଓ ରିୟାଙ୍କ ସଂପର୍କ ଓ ଆର୍ଥିକ ଲେଣଦେଣ ଉପରେ ସାମୁଏଲଙ୍କୁ ପଚରା ଉଚରା କରିଥିବା ସୂଚନା ମିଳିଛି । ସୁଶାନ୍ତଙ୍କ ପିତା କେକେ ସିଂ ଅଭିଯୋଗ ଆଣିଥିଲେ ରିୟା ଚକ୍ରବର୍ତି ଗତ ବର୍ଷକ ମଧ୍ୟରେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଂଟରୁ ୧୫ କୋଟି ଟଙ୍କା ନିଜ ଆକାଉଂଟକୁ ଟ୍ରାନ୍ସଫର କରିନେଇଥିଲେ । ଏନେଇ ସୁଶାନ୍ତଙ୍କ ପିତା ଅଭିଯୋଗ ଆଧାରରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଯାଂଚ ଆରମ୍ଭ କରିଛି । ସାମୁଏଲ ମିରାଣ୍ଡାଙ୍କ ପୂର୍ବରୁ ଅଗଷ୍ଟ ୩ ତାରିଖରେ ଚାର୍ଟାଡ ଆକାଉଂଟ ସନ୍ଦୀପ ଶ୍ରୀଧରଙ୍କୁ ଇଡି ଜେରା କରିଥିଲା । ସୁଶାନ୍ତଙ୍କ ଘରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ମଧ୍ୟ ପଚରା ଉଚରା କରାଯାଇଥିବା ଜଣାପଡିଛି ।

ସୁଶାନ୍ତଙ୍କ ଆର୍ଥିକ କାରବାର ସଂପୃକ୍ତ ୨ଟି କଂପାନୀ ସହ ରିୟା ଚକ୍ରବର୍ତି ଓ ରିୟାଙ୍କ ଭାଇ ଶୌଭିକ ଚକ୍ରବର୍ତିଙ୍କ କଂପାନୀର ଅର୍ଥ ଲେଣଦେଣ ଏବେ ଇଡିର ରାଡାର ରେ ରହିଛି । ଗତକାଲି ସିବିଆଇ ସୁଶାନ୍ତ ମୃତ୍ୟୁ ମାମଲାକୁ ନେଇ ଏଫଆଇଆର ରୁଜୁ କରିସାରିଛି । ରିୟା ଚକ୍ରବର୍ତି ଓ ତା ଭାଇ ସମେତ ୭ ଜଣ ନାମରେ ମାମଲା ରୁଜୁ କରାଯାଇଛି । ବିହାର ପୋଲିସ କରିଥିବା ଏଫଆଇଆର ଆଧାରରେ ସିବିଆଇ ଏହି ଏଫଆଇଆର କରିଛି । ଅପରାଧିକ ଷଡଯନ୍ତ୍ର, ଆତ୍ମହତ୍ୟା ପାଇଁ ଉସୁକେଇବା, ଅପରାଧ ଉଲ୍ଲଙ୍ଘନ, ପ୍ରତାରଣା ଏବଂ ଅପରାଧିକ ଭୟ ଭଳି ଅଭିଯୋଗରେ ଏହି ଏଫଆଇଆର ହୋଇଛି ।