କନକ ବ୍ୟୁରୋ : ୨୦୨୦ ସାରା ଦେଶରେ ବଲିଓଡର ଜଣାଶୁଣା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଖେଳିଯାଇଥିଲା ଶୋକର ଛାୟା । ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ପୁଅର ମୃତ୍ୟୁକୁ ନେଇ ଅଭିନେତ୍ରୀ ରିୟା ଚର୍କବର୍ତ୍ତୀଙ୍କୁ ଦାୟୀ କରିଥିଲେ ପରିବାର ଲୋକେ । ସୁଶାନ୍ତଙ୍କ ମୃତ୍ୟୁକୁ ଫ୍ୟାନ୍ସ ମାନେ ସହଜରେ ଗ୍ରହଣ କରିପାରିନଥିବା ବେଳେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଥିଲା ଏହି ଘଟଣା । ଅନ୍ୟପଟେ ଡ୍ରଗ୍ସ ମାମଲରେ ମଧ୍ୟ ଜେଲ୍ ଯାଇଥିଲେ ରିୟା ଚ୍କ୍ରବର୍ତ୍ତୀ । ଏହି ଘଟଣାକୁ ତିନି ବର୍ଷ ବିତିଯାଇଛି ସତ ମାତ୍ର ଆଜିବି ଏହି ଘଟଣା ପଛରେ ଥିବା ରହସ୍ୟର ଖୁଲାସା ହୋଇପାରିନାହିଁ । ଏହାରି ଭିତରେ ସାମ୍ନାକୁ ଆସିଛି ବଡ ଖବର । ନିଜ ଜୀବନର ଏକ ଅଶୁଭ ସମୟକୁ ପାର କରି ଏବେ ପୁଣି ପରଦାକୁ ଫେରୁଛନ୍ତି ଏହି ଅଭିନେତ୍ରୀ ।

Advertisment

ବଲିଓଡର ରଙ୍ଗୀନ ଦୁନିଆକୁ ପୁଣି ଫେରିଛନ୍ତି ରିୟା । ୨୦୨୦ ମସିହାରେ ଘଟିଥିବା ଘଟଣା ପରେ ରିୟାଙ୍କ କ୍ୟାରିୟର ଶେଷ ହୋଇଯାଇଥିବା ନେଇ ଦର୍ଶକମାନେ ଦାବି କରିଥିଲେ । ହେଲେ ଏବେ ପୁଣି ପରଦାକୁ ଫେରି ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ । ଏବେ କୌଣସି ଫିଲ୍ମରେ ନୁହେଁ , ପ୍ରସିଦ୍ଧ ରିୟାଲିଟି ସୋ MTV ROADIES 19ରେ ଦେଖିବାକୁ ମିଳିବ ରିୟାଙ୍କ କମାଲ । ପ୍ରିନ୍ସ ନରୁଲା, ଗୌତମ ଗୁଲାଟୀଙ୍କ ପରେ ତୃତୀୟ ଗ୍ୟାଙ୍ଗ ଲିଡର ଭାବେ ନଜର ଆସିବେ ରିୟା । ଯାହାର ଏକ ପ୍ରମୋ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଅଭିନେତ୍ରୀଙ୍କ ଦମ୍ଦାର ଏଣ୍ଟ୍ରି ଦେଖିବାକୁ ମିଳିଛି । ଏହି ପ୍ରମୋରେ ଅଭିନେତ୍ରୀଙ୍କୁ ଏକ ନିଆରା ଅନ୍ଦାଜ ରେ ଦେଖିବାକୁ ମିଳିଛି । ଏହି ଭିଡିଓରେ ରିୟା ଏକ ମେସେଜ୍ ଦେଇଛନ୍ତି ସେ କହିଛନ୍ତି- ତୁମେ କଣ ଭାବିଲ, ମୁଁ ଆଉ ଫେରିବିନି । ମୁଁ କେବେ ଭୟଭୀତ ହୁଏ ନାହିଁ । ଆଉ ଏହାସହ ଅଡିସନ୍ରେ ଦେଖା ହେବା ନେଇ ସେ କହିଛନ୍ତି ।

ରିୟାଙ୍କ ଏହି ପ୍ରମୋ ଭିଡିଓ ରିଲିଜ୍ ହେବା ପରେ ତାଙ୍କ ଫ୍ୟାନ୍ସ ମାନେ ବେଶ୍ ଖୁସି ଥିବା ଦେଖିବାକୁ ମିଳିଥିବା ବେଳେ ସମାଲୋଚକମାନେ ରିୟାଙ୍କୁ ଗ୍ୟାଙ୍ଗ ଲିଡର ଭାବେ ଗ୍ରହଣ କରିନାହାନ୍ତି । ଅନ୍ୟପଟେ ରିୟାଙ୍କ କାଷ୍ଟିଂ କାଉଚ୍ ପାଇଁ ନିର୍ମାତାମାନଙ୍କୁ ଟ୍ରୋଲ୍ କରାଯାଉଛି । ଅନ୍ୟପଟେ ପପ୍ୟୁଲାର ରିୟାଲିଟି ସୋ MTV ROADIES 19 କୁ କଣ୍ଟ୍ରୋଭରର୍ସିଆଲ୍ କରିବା ପାଇଁ ନିର୍ମାତା ମାନେ ଏପରି କରିଥିବା ନେଇ ମତ ରଖିଛନ୍ତି । ରିୟାଙ୍କ ଏଣ୍ଟ୍ରିକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେହି କେହି ସିଜନ୍ ଫ୍ଲପ୍ ହେବା ନେଇ ମଧ୍ୟ ମତ ରଖିଛନ୍ତି । ରିୟାଙ୍କ ଏଣ୍ଟ୍ରିକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ବିଗତ ଦିନରେ ଘଟିଥିବା ଘଟଣା ଆଜି ମଧ୍ୟ ଲୋକଙ୍କ ମନରେ ଉଜ୍ଜୀବିତ ହୋଇରହିଛି । ରିୟା ଓ ସୁଶାନ୍ତଙ୍କ ସଂପର୍କକୁ ନେଇ ସୁଶାନ୍ତଙ୍କ ପରିବାର ପକ୍ଷରୁ ରିୟାଙ୍କ ବିରୋଧରେ ଥାନାରେ ଗୁରୁତର ଅଭିଯୋଗ ଅଣାଯାଇଥିଲା । ସୁଶାନ୍ତଙ୍କୁ ଡ୍ରଗ୍ସ ଦେବା , ସୁଶାନ୍ତଙ୍କଠାରୁ ଟଙ୍କା ନେବା ଏପରି ଅନେକ ଅଭିଯୋଗ ଆଣିଥିଲେ ପରିବାର ଲୋକେ । ସୁଶାନ୍ତଙ୍କ ମୃତ୍ୟୁ ମାମଲା ବିହାର ପୁଲିସ୍, ମୁମ୍ବାଇ ପୁଲିସ୍ , ଇଡି, ସିବିଆଇ, ଏନସିବିକୁ ଯାଇଥିଲେ ମଧ୍ୟ ମୃତ୍ୟୁ ପଛରୁ କୌଣସି ପରଦା ହଟିପାରିନଥିଲା । ତେବେ ଇତି ମଧ୍ୟରେ ରିୟାଙ୍କ ଏହି ଜବରଦସ୍ତ ଏଣ୍ଟ୍ରି ସୋ ପାଇଁ କେତେ ଲାଭଦାୟକ ହେବ ତାହା ଦେଖିବାକୁ ବାକି ରହିଲା । ଏହି ସୋର ଅଡିସନ୍ ରାଉଣ୍ଡ ଚାଲିଥିବା ବେଳେ ଖୁବ୍ ଶୀଘ୍ର ଏହା ଟିଭିରେ ପ୍ରସାରିତ ହେବ ।