ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ରିୟାଙ୍କ ଆବେଦନକୁ ଖାରଜ କଲା ଇଡି; ହାଜର ହେବାକୁ ଅଧିକ ସମୟ ମାଗିଥିଲେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ

ସେପଟେ ରିଟର୍ଣ୍ଣ ଟିକଟ ଦେଖାଇବା ପରେ ବିହାର ଆଇପିଏସଙ୍କୁ କ୍ୱାରେନଟିନରୁ ଛାଡିିଲା ବିଏମସି

555

କନକ ବ୍ୟୁରୋ: ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ ରିୟା କରିଥିବା ଆବେଦନକୁ ଖାରଜ କରିଦେଇଛି । ଆଜି ହାଜରେ ହେବାକୁ ଇଡି ରିୟା ଚକ୍ରବର୍ତିଙ୍କୁ ସମନ ଜାରି କରିଥିଲା । ହେଲେ ରିୟା ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ସେ ଅଧିକ ସମୟ ମାଗିଥିଲେ । ସୁପ୍ରିମକୋର୍ଟରେ ଅବେଦନର ଶୁଣାଣି ହେବା ଯାଏଁ ହାଜର ଆଦେଶ ଟାଳିବାକୁ ସେ ଆବେଦନ କରିଥିଲେ । ତେବେ ଇଡି ରିୟାଙ୍କ ଆବେଦନକୁ ଖାରଜ କରିଦେଇଥିବା ସୂଚନା ମିଳିଛି । ଅର୍ଥ ହେରଫେର ଅଭିଯୋଗରେ ଆଜି ହାଜର ହୋଇ ବୟାନ ରେକର୍ଡ କରିବାକୁ ସମନ ଜାରି କରାଯାଇଥିଲା । ରିୟାଙ୍କ ସଂପତି, ଆୟର ସ୍ରୋତ, ବ୍ୟବସାୟିକ କାରବାର, ଖର୍ଚ୍ଚ ବିବରଣୀ ଉପରେ ଉପରେ ଖୋଳତାଡ କରୁଛି ଇଡି ।

ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟାଙ୍କ ଆକାଉଂଟରୁ ଏକ ବର୍ଷ ମଧ୍ୟରେ ୧୫କୋଟି ଟଙ୍କାର ଲେଣଦେଣ ନେଇ ସନ୍ଦେହ ଘେରକୁ ଆସିଛନ୍ତି ରିୟା । କାଲି ସୁଶାନ୍ତଙ୍କ ହାଉସ ମ୍ୟାନେଜର ତଥା ରିୟାଙ୍କ ବନ୍ଧୁ ସାମୁଏଲ ମିରାଣ୍ଡାଙ୍କୁ ୯ ଘଂଟା ଜେରା କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ବିଶେଷ କରି ସୁଶାନ୍ତ ଓ ରିୟାଙ୍କ ସଂପର୍କ ଓ ଆର୍ଥିକ ଲେଣଦେଣ ଉପରେ ସାମୁଏଲଙ୍କୁ ପଚରା ଉଚରା କରିଥିବା ସୂଚନା ମିଳିଛି । ସେହିପରି ଅଗଷ୍ଟ ୩ରେ ସୁଶାନ୍ତଙ୍କ ଚାର୍ଟାଡ ଆକାଉଂଟ ସନ୍ଦୀପ ଶ୍ରୀଧରଙ୍କୁ ଇଡି ଜେରା କରିଥିଲା । ସୁଶାନ୍ତଙ୍କ ଆର୍ଥିକ କାରବାର ସଂପୃକ୍ତ ୨ଟି କଂପାନୀ ସହ ରିୟା ଚକ୍ରବର୍ତି ଓ ରିୟାଙ୍କ ଭାଇ ଶୌଭିକ ଚକ୍ରବର୍ତିଙ୍କ କଂପାନୀର ଅର୍ଥ ଲେଣଦେଣ ଏବେ ଇଡିର ରାଡାର ରେ ରହିଛି । ଗତକାଲି ସିବିଆଇ ସୁଶାନ୍ତ ମୃତ୍ୟୁ ମାମଲାକୁ ନେଇ ଏଫଆଇଆର ରୁଜୁ କରିସାରିଛି । ରିୟା ଚକ୍ରବର୍ତି ଓ ତା ଭାଇ ସମେତ ୭ ଜଣ ନାମରେ ମାମଲା ରୁଜୁ କରାଯାଇଛି । ବିହାର ପୋଲିସ କରିଥିବା ଏଫଆଇଆର ଆଧାରରେ ସିବିଆଇ ଏହି ଏଫଆଇଆର କରିଛି । ଅପରାଧିକ ଷଡଯନ୍ତ୍ର, ଆତ୍ମହତ୍ୟା ପାଇଁ ଉସୁକେଇବା, ଅପରାଧ ଉଲ୍ଲଙ୍ଘନ, ପ୍ରତାରଣା ଏବଂ ଅପରାଧିକ ଭୟ ଭଳି ଅଭିଯୋଗରେ ଏହି ଏଫଆଇଆର ହୋଇଛି ।

ସେପଟେ, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ବିହାରର ଆଇପିଏଲ ବିନୟ ତିୱାରୀଙ୍କୁ କ୍ୱାରେନଟିନ ସେଂଟରରୁ ଛାଡିଛି ବିଏମସି । ପାଟନା ପୁଲିସର ସୁପାରିଶ ପରେ ଆଇପିଏସ ବିନୟ ତିୱାରୀଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଛାଡି ଦିଆଯାଇଛି । ଏହି ନିଷ୍ପତି ବିନୟଙ୍କ ରିଟର୍ଣ୍ଣ ଟିକେଟ ଦେଖାଇବା ପରେ ନିଆଯାଇଛି । ଆଇପିଏସ ବିନୟଙ୍କୁ କିଛି ସର୍ତ ସହ କ୍ୱାରେନଟିନ ସେଂଟରରୁ ଛାଡିଛି ବମ୍ବେ ମହାନଗର ନିଗମ । ସର୍ତଗୁଡିକ ହେଲା ଅଗଷ୍ଟ ୮ ତାରିଖ ପରେ ବିନୟ ମହାରାଷ୍ଟ୍ର ଛାଡିବେ । ରିଟର୍ଣ୍ଣ ଟିକେଟ ବାବଦରେ ବିଏମସିକୁ ଅବଗତ କରାଇବେ । ଏୟାରପୋର୍ଟ ଯାଏଁ ପ୍ରାଇଭେଟ କାରରେ ଯିବେ ଓ ଏସଓପି ପାଳନ କରିବେ । ଯାତ୍ରା ସମୟରେ ସମସ୍ତ ଏସଓପି ପାଳନ କରିବେ । ଏଥିସହ ଜଣେ ଆଇପିଏସ ଅଫସିର କିପରି ନିୟମ ଜାଣି ନାହାନ୍ତି ବୋଲି ଆଶ୍ଚର୍ଯ୍ୟ ପ୍ରକାଶ କରିଛି ବମ୍ବେ ମହାନଗର ନିଗମ ।