ବଲିଉଡରେ ଓଡିଆ ପୁଅ : ରାମଗୋପାଳ ବର୍ମାଙ୍କ ଆଗାମୀ ଫିଲ୍ମ ‘ଥ୍ରୀଲର’ରେ ନଜର ଆସିବେ ନବରଙ୍ଗପୁରର ୱାଜିଦ୍ ; ରାମଗୋପାଳଙ୍କ ଟୁଇଟ୍ ପରେ ପରିବାରରେ ଖୁସିର ଲହରୀ

1,477

କନକ ବ୍ୟୁରୋ : ବଲିଉଡରେ ଚମକ ଦେଖାଇବେ ଓଡିଆ ପୁଅ । ପ୍ରସିଦ୍ଧ ଫିଲ୍ମ ନିର୍ମାତା ରାମଗୋପାଳ ବର୍ମାଙ୍କ ଅପକମିଙ୍ଗ ମୁଭି ‘ଥ୍ରୀଲର’ରେ ସ୍ଥାନ ପାଇଛନ୍ତି ନବରଙ୍ଗପୁର ଜିଲ୍ଲାର ପୁଅ ୱାଜିଦ୍ ଓରଫ୍ ରକ୍ କାଚି । ରାମଗୋପାଳ ବର୍ମା ନିଜେ ଏସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେବା ପରେ ନବରଙ୍ଗପୁରରେ ଖେଳିଯାଇଛି ଖୁସିର ଲହରୀ । ନବରଙ୍ଗପୁର ଉମରକୋଟ୍ ସହରର ତକିର ସାହିର ମହମ୍ମଦ ହାରୁଣ ଲାଥିଆଙ୍କ ନାତି ହେଉଛନ୍ତି ୱାଜିଦ୍ ଓରଫ୍ ରକ୍ । ତେବେ ଆଗାମୀ ବଲିଉଡ୍ ଫିଲ୍ମ ଥ୍ରୀଲରରେ ଏହି ଓଡିଆ ପୁଅ ପାଇଛନ୍ତି ଅଭିନୟର ସୁଯୋଗ , ତା ପୁଣି ହିରୋ ଭାବରେ । ତାଙ୍କ ସହ ଅଭିନେତ୍ରୀ ମଧ୍ୟ ଜଣେ ଓଡିଆ ରହିଛନ୍ତି । ସେ ହେଉଛନ୍ତି ଅପସରା । ୱାଜିଦ୍ ନିଜ ପିଲା ଦିନର ୧୦ ରୁ ୧୫ ବର୍ଷ ସମୟ କାଟିଛନ୍ତି ନବରଙ୍ଗପୁରରେ । ଏବେ ସେ ରହୁଛନ୍ତି ଛତିଶଗଡରେ ।

ପିଲାଟି ଦିନରୁ ତାଙ୍କର ଅଭିନୟ ପ୍ରତି ରୁଚି ରହିଥିଲା । ଛାତ୍ର ଜୀବନରେ ସେ ସ୍କୁଲ୍ ଓ କଲେଜରେ ଅନେକ ଡ୍ରାମାରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ । ତାଙ୍କର ପ୍ରତିଭାକୁ ଚିହ୍ନିବା ପରେ ତାଙ୍କୁ ବଲିଉଡରେ ସୁଯୋଗ ଦେଇଛନ୍ତି ପ୍ରସିଦ୍ଧ ବଲିଉଡ୍ ନିର୍ଦ୍ଦେଶକ ରାମଗୋପାଳ ବର୍ମା । ଆଗରୁ ମୁନ୍ନା ଖାଁ ଏବଂ ଶ୍ରୀରାମ ପଣ୍ଡାଙ୍କ ପରି ଓଲିଉଡ୍ ହିରୋଙ୍କ ସୃଷ୍ଟି କରିଥିଲା ନବରଙ୍ଗପୁର ଜିଲ୍ଲା । ଏବେ ବଲିଉଡ୍ ହିରୋ ୱାଜିଦ୍ ଜିଲ୍ଲାର ନାଁ ଉଚ୍ଚା କରିଥିବା କହିଛନ୍ତି ପରିବାର ଓ ସମ୍ପର୍କୀୟ ।