ଡିସଚାର୍ଜ ପଲିସୀ ବଦଳାଇଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏଣିକି ସାମାନ୍ୟ ଲକ୍ଷଣ ଥିଲେ ୧୦ ଦିନ ପରେ ହସ୍ପିଟାଲରୁ ହୋଇପାରିବେ ଡିସଚାର୍ଜ

569

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଡିସଚାର୍ଜ ପଲିସୀ ବଦଳାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ୧୦ ଦିନର ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରିବ ବୋଲି ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି । ଏପରିକି ସାମାନ୍ୟ ଲକ୍ଷଣ କିମ୍ବା ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କୁ ଡିସଚାର୍ଜ କରିବା ପୂର୍ବରୁ ନମୁନା ରିପୋର୍ଟ ନେଗେଟିଭ୍ ଆସିବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି ।

ଦେଶରେ କରୋନା ପଜିଟିଭ୍ ସଂଖ୍ୟା ପ୍ରାୟ ୬୦ ହଜାର ପହଁଚିଥିବା ବେଳେ ହସ୍ପିଟାଲର ବୋଝ କମାଇବାକୁ ପଦକ୍ଷେପ ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କିପରି କୋଭିଡ୍ ମେଡିକାଲକୁ ପରିଚାଳନା କରାଯିବ, ଏ ନେଇ ପରିବର୍ତ୍ତିତ ଡିସଚାର୍ଜ ପଲିସୀ ଜାରି କରାଯାଇଛି । ସାମାନ୍ୟ ଓ ମଧ୍ୟମ ଧରଣର ଲକ୍ଷଣ ଥିଲେ ଡିସଚାର୍ଜ କରିବା ପୂର୍ବରୁ କରୋନା ପରୀକ୍ଷା କରିବାର ଆବଶ୍ୟକତା ନାହିଁ ବୋଲି ନୂଆ ପଲିସୀରେ ଉଲ୍ଲେଖ ରହିଛି । ପୂର୍ବରୁ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ନମୁନା ଦୁଇ ଥର କୋଭିଡ-୧୯ ନେଗେଟିଭ୍ ନଆସିଲେ ସେମାନଙ୍କୁ ହସପିଟାଲରୁ ଡିସ୍ଚାର୍ଜ କରାଯାଉନଥିଲା ।

ନୂଆ ଡିସଚାର୍ଜ ପଲିସୀ –
ଆକ୍ରାନ୍ତଙ୍କ ଠାରେ ସାମାନ୍ୟ ଲକ୍ଷଣ ଥିଲେ –
୧୦ ଦିନ ପରେ କରୋନା ଆକ୍ରାନ୍ତଙ୍କୁ ଡିସ୍ଚାର୍ଜ କରିପାରିବେ ହସ୍ପିଟାଲ୍ କର୍ତ୍ତୃପକ୍ଷ
ତେବେ ୩ ଦିନ ଧରି ଜ୍ୱର ହୋଇନଥିବା ଆବଶ୍ୟକ
ଡିସ୍ଚାର୍ଜ ପୂର୍ବରୁ କରୋନା ପରୀକ୍ଷା ହେବା ଜରୁରୀ ନୁହେଁ
ଡିସଚାର୍ଜ ପରେ ଆଉ ୭ ଦିନ ଘରେ ଆଇସୋଲେସନ୍ରେ ରହିବାକୁ ହେବ
ଲକ୍ଷଣ ପୁଣି ଥରେ ଦେଖାଦେଲେ କୋଭିଡ୍ କେୟାର ସେଂଟର କିମ୍ବା ହେଲପଲାଇନ୍ ନମ୍ବରକୁ ଜଣାଇବେ

ଆକ୍ରାନ୍ତଙ୍କ ଠାରେ ମଧ୍ୟମ ଧରଣର ଲକ୍ଷଣ ରହିଥିଲେ, ତାଙ୍କୁ କେବେ ଡିସ୍ଚାର୍ଜ କରାଯିବ ପଢ଼ନ୍ତୁ–
୩ ଦିନ ଭିତରେ ଜ୍ୱର ଭଲ ହୋଇଗଲେ, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ନଥିଲେ ଏବଂ ଅକ୍ସିଜେନ୍ ଆବଶ୍ୟକତା ହେଉନଥିଲେ, ଆକ୍ରାନ୍ତଙ୍କୁ ୧୦ ଦିନ ମଧ୍ୟରେ ଡିସଚାର୍ଜ କରା ଯାଇପାରିବ
ଡିସଚାର୍ଜ ପୂର୍ବରୁ କରୋନା ପରୀକ୍ଷା ହେବା ଜରୁରୀ ନୁହେଁ
ଯଦି ଆକ୍ରାନ୍ତଙ୍କ ଶରୀରରେ ଲକ୍ଷଣ ଦୂର ହେଉନାହିଁ ଏବଂ ଅକ୍ସିଜେନ୍ ଥେରାପୀ ଜାରି ରହିଛି । ତେବେ ଲକ୍ଷଣ ଥିବା ପର୍ଯ୍ୟନ୍ତ ତାଙ୍କୁ ଚିକିତ୍ସା କରାଯିବ
୩ ଦିନ ପର୍ଯ୍ୟନ୍ତ ଅକ୍ସିଜେନ୍ ଥେରାପୀ ବିନା ଶରୀରରେ ଅମ୍ଲଜାନ ମାତ୍ରା ସ୍ୱାଭାବିକ ରହିବା ପରେ ଡିସ୍ଚାର୍ଜ କରାଯାଇ ପାରିବ

ଏବେ ପଢ଼ନ୍ତୁ ଯଦି ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ଥିବ – ତେବେ ସେ ସଂପୂର୍ଣ୍ଣ ଭାବେ ଆରୋଗ୍ୟ ହେବା ପରେ ତାଙ୍କୁ ହସପିଟାଲ୍ରୁ ଡିସଚାର୍ଜ କରାଯିବ । ରୋଗୀ ଲକ୍ଷଣ ମୁକ୍ତ ହେବା ପରେ ତାଙ୍କର କରୋନା ପରୀକ୍ଷା କରାଯିବ, ରିପୋର୍ଟ ନେଗେଟିଭ୍ ଆସିଲେ ଘରକୁ ଫେରିପାରିବେ । ତେବେ ଏଭଳି କ୍ଷେତ୍ରରେ ମଧ୍ୟ ଗୋଟିଏ ଥର ନମୁନା ପରୀକ୍ଷା କରାଯିବ । କରୋନା ପରୀକ୍ଷାକୁ ମଧ୍ୟ ନିୟନ୍ତ୍ରଣ କରାଯାଇଛି ।