କନକ ବ୍ୟୁରୋ: କଟକ ବଡ ମେଡିକାଲକୁ ଶିକ୍ଷା, ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ, ଏକ ବିଶ୍ୱସ୍ତରୀୟ ଅନୁୂଷ୍ଠାନ ଭାବରେ ବିକଶିତ କରିବା ପାଇଁ, ଚାଲିଥିବା ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ୍ । ଏସସିବିରେ ପହଞ୍ଚି ରୂପାନ୍ତରଣ କାର୍ଯ୍ୟ କେତେ ଅଗ୍ରଗତି କରିଛି, ନିର୍ମାଣ କାର୍ଯ୍ୟର ଗୁଣାତ୍ମକମାନ କେମିତି ରହିଛି ସେସବୁର ଯାଞ୍ଚ କରିଛନ୍ତି । ଏଥିସହ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଚାଲିଥିବା ନିର୍ମାଣ କାର୍ଯ୍ୟ ସାରିବାକୁ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।
୫-ଟି ସଚିବ ଗସ୍ତ ଜାରି ରଖିଥିବାବେଳେ, ମୁଖ୍ୟ ଶାସନ ସଚିବ କେନ୍ଦ୍ର ଚିଠିର ଉତ୍ତର ନଦେବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ପ୍ରେସମିଟ୍ କରି କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କ ନୀରବତା ସୂଚାଉଛି ରାଜ୍ୟରେ ଶାସନ ବ୍ୟବସ୍ଥା ଶିଥିଳ ଓ ପଙ୍ଗୁ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ । ଏଥିସହ ମୁଖ୍ୟମନ୍ତ୍ରୀ ଆଉ କଣ ଜନ ପ୍ରତିନିଧିମାନଙ୍କୁ ବିଶ୍ୱାସ କରୁ ନାହାନ୍ତି କି ? ବୋଲି ପ୍ରଶ୍ନ କରିଛନ୍ତି । ଜବାବ ରଖି ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ କହିଛନ୍ତି, ବିରୋଧୀ ଯେତେ ଯାହା କହନ୍ତୁ ବିକାଶ କାମକୁ କେହି ଅଟକାଇ ପାରିବେ ନାହିଁ । ବିକାଶ କାର୍ଯ୍ୟ ଯେମିତି ହେଉଛି ସେମିତି ଚାଲିବ ।
ବିଜେପି ନେତାଙ୍କ ଅଭିଯୋଗ ଆଧାରରେ, ନିର୍ଦ୍ଧିଷ୍ଟ ସଚିବଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ, ଗତ ୨୬ତାରିଖରେ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରିଥିଲା । କିନ୍ତୁ ମୁଖ୍ୟ ଶାସନ ସଚିବ ଚିଠି ପାଇବା ପରେ କଣ ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେବେ ବିଜେପି ଅଭିଯୋଗ କରିଛି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମିଳିବା ପରେ ବର୍ତମାନ ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କ ପାଖରେ ପଡିରହିଛି । ସେ ଚିଠି ଉପରେ ଚକାପକାଇ ବସିଛନ୍ତି ।