ବାତ୍ୟା କ୍ଷୟକ୍ଷତିର ଭରଣା କରିବ ରାଜ୍ୟ । ଦୀର୍ଘମିଆଦି ବ୍ୟବସ୍ଥା ପାଇଁ ସହାୟତା କରିବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ ।

367

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ୟାସର ସମୀକ୍ଷା ବୈଠକରେ ଦୁଇଟି ବଡ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ବାରମ୍ବାର ବାତ୍ୟା ଦ୍ୱାରା ପ୍ରଭାବିତ ହେଉଥିବାରୁ ଏକ ଦୀର୍ଘ ମିଆଦି ବ୍ୟବସ୍ଥା ପାଇଁ ସହାୟତା କରିବାକୁ ପ୍ରଧାନମନ୍ତ୍ରୀଙ୍କୁଦାବି ଜଣାଇଛନ୍ତି ନବୀନ ।

ବୈଠକ ଆରମ୍ଭରୁ ୮ ମିନିଟର ଏକ ଭିଡ଼ିଓ ପ୍ରଦର୍ଶନ କରଯାଇଥିଲା । ଯେଉଁଥିରେ ବାତ୍ୟାରେ କିଭଳି ସ୍ଥିତି ଥିଲା ଓ କଣ ପ୍ରଭାବ ପକାଇଛି ତାହା ଦର୍ଶାଯାଇଥିଲା । ତେବେ ବାରମ୍ବାର ଏଭଳି ବାତ୍ୟା ଦ୍ୱାରା ପ୍ରଭାବିତ ନହେବାକୁ ଡିଜାଷ୍ଟର ରେଜିଲେଣ୍ଟ ପାୱାର ସିଷ୍ଟମ ଓ କୋଷ୍ଟାଲ ଷ୍ଟର୍ମ ସର୍ଜ ପ୍ରୋଟେକ୍ସନ ବ୍ୟବସ୍ଥା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଥିଲେ ନବୀନ । ଯେଉଁଥିରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ଏକ ସୁରକ୍ଷାବଳୟ ସୃଷ୍ଟି କରାଯିବ । ଏହାବାଦ୍ ବାତ୍ୟା ଦ୍ୱାରା ବାରମ୍ବାର ବିଦ୍ୟୁତ ଯୋଗାଣ ପ୍ରଭାବିତ ହେଉଥିବାରୁ ପ୍ରଭାବିତ ହେଉଥିବା ଅଞ୍ଚଳ ଗୁଡିକରେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର ସହ ଅଣ୍ଡରଗ୍ରାଉଣ୍ଡ କେବୁଲ କରିବାକୁ ଦାବି କରାଯାଇଛି ।

ତେବେ ବାତ୍ୟାର କ୍ଷୟକ୍ଷତି ବାବଦକୁ କୌଣସି ସହାୟତା ଅର୍ଥ ରାଶି ରାଜ୍ୟ ସରକାରଙ୍କ ପକ୍ଷରୁ ମଗାଯାଇନାହିଁ । ବରଂ ବାତ୍ୟା କ୍ଷୟକ୍ଷତିର ଭରଣା ରାଜ୍ୟ ନିଜେ କରିବ ବୋଲି କହିଛନ୍ତି ରାଜ୍ୟ ସରକାର । ବାତ୍ୟାରେ କଣ କ୍ଷୟକ୍ଷତି ହୋଇଛି ତାହାର ଆକଳନ ଚାଲିଛି ଓ ୭ ଦିନ ମଧ୍ୟରେ ଏହାର ରିପୋର୍ଟ ଜଣାଯିବ ବୋଲି ଏସଆରସି କହିଛନ୍ତି ।