ସରକାରଙ୍କୁ ସଂଯୁକ୍ତ କିଷାନ ମୋର୍ଚ୍ଚାର ଚେତାବନୀ, ଦାବି ପୂରଣ ନହେଲେ ପହିଲାରୁ ଆନ୍ଦୋଳନ

138

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡପରେ ପୁଣି କୃଷକ ଆନ୍ଦୋଳନ ଆରମ୍ଭ ହେବ । ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ସ୍ଥଗିତ ପରେ ଏକ ଆଲୋଚନା ବୈଠକ କରାଯାଇଥିଲା । ଏହି ବୈଠକରେ କୃଷକନେତାମାନେ ଅଭିଯୋଗ ଆଣିଥିଲେ କି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏହି ବୈଠକରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ୪୦ ଟି ଯାକ ସଂଗଠନ ଯୋଗ ଦେଇଥିଲେ ।

ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ କିଷାନ ନେତା ୟୁଦ୍ଧବୀର ସିଂ କହିଛନ୍ତି କି ସରକାର ଯେଉଁ ପ୍ରତିଶୃତି ଦେଇଥିଲେ ଏହା ପୁରଣ କରିବାକୁ ସରକାର କୌଣସି କମିଟି ଗଠନ କରି ନାହାଁନ୍ତି । ଏହାସହ ଏନେଇ କୃଷକ ସଂଗଠନ ସହିତ ସରକାର ଯୋଗା ଯୋଗ କରିନଥିବା ୟୁଦ୍ଧବୀର ଅଭିଯୋଗ କରିଛନ୍ତି । ସରକାର ରେଲୱେ ପୋଲିସ ଓ ଦଲ୍ଲୀ ପୋଲିସ ଦ୍ୱାରା କୃଷକମାନଙ୍କ ଉପରେ ହୋଇଥିବା ଅଭିଯୋଗକୁ ଏପର୍ଯ୍ୟନ୍ତ ପ୍ରତ୍ୟାହାର କରିନାହାଁନ୍ତି । କେବଳ ହରିଆଣା ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ ଏବେ ବି କୃଷକମାନଙ୍କ ଉପରେ ମାମଲା ପଡି ରହିଛି ।

ସରକାର କୃଷକ ସଂଗଠନ ସହ କରିଥିବା ବୁଝାମଣା ଉପରେ ଏପଯ ର୍୍ୟନ୍ତ କୌଣସି ପଦକ୍ଷେପ ନେଇ ନଥିବାରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏନେଇ ସରକାରଙ୍କୁ ମହଲତ ଦେଇଛି । ଯଦି ସରକାର ଜାନୁଆରୀ ୩୧ ମଧ୍ୟରେ ଦେଇଥିବା ପ୍ରତିଶୃତି ପୂରଣ ନକରନ୍ତି ତେବେ ଫେବୃଆରୀ ପହିଲାରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସବୁ ଜିଲ୍ଲାର ମୁଖ୍ୟାଳୟରେ ସରକାରଙ୍କ କୁଷପୂତ୍ତଳିକା ଦାହ କରାଯିବ ବୋଲି ଚେତାବନୀ ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।

କହିରଖୁ କି କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଦେଶର ୪୦ ଟି କୃଷକ ସଂଗଠନ ସହମତିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଗଠନ କରାଯାଇ ଦେଶର ବିଭିନ୍ନ ସୀମାରେ ୧ ବର୍ଷରୁ ଅଧିକ ହେବ ଆନ୍ଦୋଳନ କରାଯାଇଥିଲା । ଶେଷରେ କୃଷକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଥିଲେ ସରକାର । ସରକାର କୃଷକଙ୍କ ପ୍ରଥମ ଦାବି କୃଷି କାନୁନ ପ୍ରତ୍ୟାହାର କରିଥିଲେ ବି ଅନ୍ୟ ସମସ୍ତ ଦାବି ଉପରେ ବିଚାର କରିବା ନେଇ ପ୍ରତିଶୃତି ଦେଇଥିଲେ । ଯାହା ଉପରେ ଏପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ନେଇ ନଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଅଭିଯୋଗ କରିଛି ।