ନିର୍ଦ୍ଦିଷ୍ଟ ସମୟସୀମାରେ, ବିନା ଲାଞ୍ଚରେ ଲୋକଙ୍କୁ ସେବା ଯୋଗାଇବୁ । ସମୀକ୍ଷା ପରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ ବୟାନ ।

1,026

କନକ ବ୍ୟୁରୋ : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସୀମକ୍ଷା କରିବା ସହ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏଣିକି ରାଜସ୍ୱ ବିଭାଗରେ ଆଉ ଚଳିବନି ହାତଗୁଞ୍ଜା । ରାଜସ୍ୱ ବିଭାଗରେ ଛୁଟି ଦିନରେ ବି କାମ ଚାଲିଛି। ବର୍ଷକୁ ୩୬୫ ଦିନ, ୨୪ ଘଣ୍ଟା ଓଡ଼ିଶାବାସୀଙ୍କ ସେବାରେ ରହିବ ରାଜସ୍ୱ ବିଭାଗ । ଉଭୟ ବିଭାଗର ସଫଳତା ଓ ବିଭିନ୍ନ ଯୋଜନା ଉପରେ ଆଲୋଚନା ହୋଇଛି। ଆଗକୁ ରୋଡ଼ ମ୍ୟାପ କଣ ହେବ ସେନେଇ ଆଲୋଚନା ହୋଇଛି । ରାଜସ୍ୱ ଆଇନକୁ ସାଧାରଣ ଲୋକ ବୁଝିବା ଭଳି ସରଳୀକରଣ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ଜମିଜମା ଯାହା ସମସ୍ୟା ଅଛି ତାହା ମଧ୍ୟ ସମାଧାନ ହେବ। ରେକର୍ଡ ଅଫ୍ ରାଇଟକୁ କମ୍ପ୍ୟୁଟରୀକରଣ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେବା ଯୋଗାଇ ଦେବୁ ।

ଭୂମିହୀନ ଲୋକ କିଭଳି ବିଭିନ୍ନ ଯୋଜନାରେ ସୁବିଧା ପାଇବେ ତାହା ଉପରେ ଖସଡ଼ା ପ୍ରସ୍ତୁତ ହୋଇଛି। ଓଡ଼ିଶାରେ ଯେପରି କେହି ଭୂମିହୀନ ରହିବେନି ତାହା ଉପରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହିଁକି ଗତିରୋଧ ହୋଇଥିଲା ତାହା ଉପରେ ଆଲୋକପାତ କରାଯାଇଛି। ଜମି କମ ଥାଇ ହିତାଧିକାରୀ ଅଧିକ ଥିଲେ ଫ୍ଲାଟ ବ୍ୟବସ୍ଥା କରାଯିବ । ସାଧାରଣ ଲୋକଙ୍କୁ ସାର୍ଟିଫିକଟ ପାଇଁ ଲମ୍ବା ଲାଇନରେ ଛିଡା ହେବାକୁ ପଡ଼ିବନି । ରାଜସ୍ୱ କେସ ଯାହା ଫଇସଲା ହୋଇନାହିଁ, ତାହା ଅତିଶୀଘ୍ର ସମାଧାନ ହେବ।

ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାକୁ ଭାରତ ବର୍ଷରେ ଉଦାହରଣ କରି ରଖିବାକୁ କାମ କରିବୁ । ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ମାଧ୍ୟମରେ ଆହୁରି ଆଗକୁ ଯିବୁ। ୨୪ ଘଂଟା ବିଭାଗ ପ୍ରସ୍ତୁତ ରହିବ। ବିପର୍ଯ୍ୟୟକୁ ରୋକିବା ଓ ଏହାର ମାତ୍ରାକୁ କମାଇବା ପାଇଁ ପ୍ରସ୍ତୁତ ଅଛୁ। ବିପର୍ଯ୍ୟୟରେ ଯେଉଁମାନଙ୍କର ମୃତ୍ୟୁ ହେଉଛି, ସେମାନଙ୍କୁ କେନ୍ଦ୍ରୀୟ ଯୋଜନାରେ ଆର୍ଥିକ ସହାୟତା ପାଇବେ ତାହା ଉପରେ ମଧ୍ୟ କାମ ହେବ। ରାଜସ୍ୱ ବିଭାଗ ପ୍ରତି ବିଭାଗ ଯୋଡି ହୋଇରହିଥାଏ । ଏହି ବିଭାଗକୁ କିଭଳି ଲୋକଙ୍କ ସେବାରେ ଅଧିକରୁ ଅଧିକ ନିୟୋଜିତ କରାଯିବ ସେଦିଗରେ କାର୍ଯ୍ୟ କରିବୁ ।

ରାଜସ୍ୱ ବିଭାଗରେ ହାତଗୁଞ୍ଜାର ଅଭିଯୋଗ ଆସିଲେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶୂନ୍ୟ ସହନଶୀଳ ନୀତିରେ କାର୍ଯ୍ୟ କରାଯିବ । ନା ଖାଉଙ୍ଗା ନା ଖାନେ ଦୁଙ୍ଗା, ମୋଦିଙ୍କ ନାରା ଓଡ଼ିଶାରେ ୧୦୦ ପ୍ରତିଶତ କାମ ହେବ। ଦୁର୍ନୀତିକୁ ଆଦୌ ପ୍ରଶୟ ଦିଆଯିବନି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ।