ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ : ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ; ପୂର୍ବରୁ ହେବ ବାଚସ୍ପତି ନିର୍ବାଚନ

95

କନକ ବ୍ୟୁରୋ : ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ । ଅକ୍ଟୋବର ୪ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୮ ଟି କାର୍ଯ୍ୟଦିବସ ରହିଛି । ପ୍ରଥମ ଦିନରେ ଆଜି ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ଆସନ୍ତା ୩ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ । ଆଗକୁ ନିର୍ବାଚନ ଆସୁଥିବାରେ ଏହି ବଜେଟରେ ବଡ଼ ନିଷ୍ପତ୍ତି ନିଆଯାଇପାରେ ।

ପ୍ରମିଳା ମଲ୍ଲିକ ନୂଆ ବାଚସ୍ପତି ଭାବେ ଗୃହ ଚଳାଇବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । କାରଣ ବାଚସ୍ପତି ପାଇଁ ପ୍ରମିଳାଙ୍କ ବ୍ୟତିତ ଅନ୍ୟ କେହି ନାମାନଙ୍କ ପତ୍ର ଦାଖଲ କରିନାହାଁନ୍ତି । ବିଧାନସଭା ଆରମ୍ଭରୁ ପ୍ରଥମେ ବାଚସ୍ପତି ନିର୍ବାଚନ ହେବ । ପରେ ଅଧିବେଶନ କାର୍ଯ୍ୟ ଆରମ୍ଭ ହେବ । ପ୍ରମିଳା ମଲ୍ଲିକ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ । ଚଳିତ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଦାୟିତ୍ୱ ଗ୍ରହଣ କରିବେ ।

୨୦୧୪ ସାଧାରଣ ନିର୍ବାଚନ ପରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯାଇଥିଲା । ୨୦୨୨ ଜୁନ୍ ମାସରେ ସୂର୍ଯ୍ୟ ପାତ୍ର ଇସ୍ତଫା ଦେଲା ପରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଗତ ମେ’ ମାସରେ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ସେବେ ଠାରୁ ବାଚସ୍ପତି ପଦବି ଖାଲି ପଡ଼ିଥିଲା ।