ଓଡିଶାରେ ଆରମ୍ଭ ହୋଇଛି ପ୍ରତିଶୋଧ ପରାୟଣ ରାଜନୀତି । ରାଜ୍ୟରେ ଏମିତି ଶାସନ ଆରମ୍ଭ ହେବା କଳ୍ପନା ବାହାରେ ଥିଲା : ମହମ୍ମଦ ମୋକିମ୍

154

କନକ ବ୍ୟୁରୋ: ସମ୍ବାଦ ଉପରେ ଇଓଡବ୍ଲ୍ୟୁ ଜେରାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ସିଧା ସିଧା ରାଜ୍ୟ ସରକାର ଏବଂ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ସହିତ ରାଜ୍ୟରେ ଏବେ ପ୍ରତିଶୋଧ ପରାୟଣ ରାଜନୀତି ଆରମ୍ଭ ହୋଇଛି ବୋଲି ମୋକିମ୍ କହିଛନ୍ତି ।

ତାଙ୍କ କହିବା କଥା, କେନ୍ଦ୍ର ସରକାର ଏ ପ୍ରତିଶୋଧ ପରାୟଣ ରାଜନୀତି ଆରମ୍ଭ କରିଥିଲେ । ବିଭିନ୍ନ ସମୟରେ ତାଙ୍କ ବିରୋଧରେ ଯିଏ ସ୍ୱର ଉତ୍ତୋଳନ କରୁଥିଲେ, ତାଙ୍କ ପାଖକୁ ଇଡି, ସିବିଆଇ ପଠାଉଥିଲେ । ତେଣୁ ଏ ଆକ୍ରୋଶମୂଳକ ରାଜନୀତି ବିରୋଧରେ ସାରା ଭାରତ ବର୍ଷରେ ସ୍ୱର ଉତ୍ତୋଳନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ତାନାଶାହୀ ସରକାର ବିରୋଧରେ ହିଁ ଇଣ୍ଡିଆ ମେଣ୍ଟ ଗଢା ହେଇଛି ବୋଲି ମୋକିମ୍ କହିଛନ୍ତି ।

ତେବେ ଓଡିଶା ହେଉଛି ଶାନ୍ତିପ୍ରିୟ ରାଜ୍ୟ । ଏଠି ଏପରି ଶାସନ ଆରମ୍ଭ ହେବା କଳ୍ପନା ବାହାରେ ବାହାରେ ଥିଲା ବୋଲି କହିଛନ୍ତି କଟକ-ବାରବାଟୀ ବିଧାୟକ । ରାଜ୍ୟରେ ଏବେ ମୁଖ୍ୟମନ୍ତ୍ରୀ କିଛି ବୁଝିପାରୁନାହାଁନ୍ତି । କିଛି କର୍ମଚାରୀ ଓଡିଶା ଶାସନ ଚଳାଉଛନ୍ତି । ବର୍ତ୍ତମାନର ସରକାର ବିରୋଧରେ କେହି ମୁହଁ ଖୋଲିପାରୁନାହାଁନ୍ତି । ସମସ୍ତ ବିଧାୟକ ଓ ମନ୍ତ୍ରୀ ଦିବ୍ୟାଙ୍ଗ ହେଇ ବସିଛନ୍ତି ବୋଲି କହିଛନ୍ତି ମୋକିମ୍ । ଅନ୍ୟପଟେ ଯିଏ ଏ ବିରୋଧରେ ମୁହଁ ଖୋଲୁଛନ୍ତି ତାଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ପଦକ୍ଷେପ ନିଆଯାଉଛି । ଯାହାର ସଦ୍ୟ ଉଦାହରଣ ହେଉଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ବୋଲି କହିଛନ୍ତି ମହମ୍ମଦ ମୋକିମ୍ ।

ବର୍ତ୍ତମାନ ଏପରି ଅନ୍ଧାରୀ ଶାସନ ଓଡିଶା ପାଇଁ ଭଲ ନୁହେଁ । ମୁଖ୍ୟମନ୍ତ୍ରୀ ସଚିବଙ୍କୁ ବଦଳରେ ନିଜ କ୍ୟାବିନେଟର ସିନିୟର ନେତାଙ୍କୁ ନେଇ କାର୍ଯ୍ୟକ୍ରମ କଲେ ଭଲ ହୁଅନ୍ତା ବୋଲି ମୋକିମ୍ କହିଛନ୍ତି ।