ତେଲେଙ୍ଗାନାରେ ରେବନ୍ତଙ୍କ ରାଜୁତି ଆରମ୍ଭ । ବାହୁବଳୀ ଶୈଳୀରେ ଶପଥ ପାଠ କରି ଚର୍ଚ୍ଚାରେ ନୂଆ ମୁଖ୍ୟମନ୍ତ୍ରୀ

324

କନକ ବ୍ୟୁରୋ : ନିଆରା ଅନ୍ଦାଜରେ ଶପଥପାଠ ସହ ତେଲେଙ୍ଗାନାରେ ଆରମ୍ଭ ହୋଇଛି ରେବନ୍ତ ରାଜ୍ । ଦେଶର ସର୍ବକନିଷ୍ଠ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି କଂଗ୍ରେସ ଶାସନ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ଦମଦାର ଅନ୍ଦାଜରେ ଶପଥ ପାଠ କରିଛନ୍ତି ରେବନ୍ତ ରେଡ୍ଡୀ । ବାହୁବଳୀ ଫିଲ୍ମ ସମସ୍ତଙ୍କର ମନେ ଥିବ, ଫିଲ୍ମରେ ମାହିସ୍ମତି ସାମ୍ରାଜ୍ୟର ସେନାଧ୍ୟକ୍ଷ ଭାବେ ଯେଉଁଭଳି ଭାବେ ଶପଥ ନେଇଥିଲେ ଅମରେନ୍ଦ୍ର ବାହୁବଳୀ, ଠିକ୍ ସେମିତି ଅନ୍ଦାଜରେ ଶପଥ ନେଇଛନ୍ତି ଫାୟାର ବ୍ରାଣ୍ଡ ନେତା ରେବନ୍ତ ରେଡ୍ଡୀ । ଏହାର ଉତ୍ସାହ ଉପସ୍ଥିତ ଲୋକଙ୍କ ଭିତରେ ମଧ୍ୟ ଦେଖବାକୁ ମିଳିଛି ।

ରେବନ୍ତ ରେଡ୍ଡୀଙ୍କୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କରିବା ପରେ ଆଉ ଏକ କଥା ବେଶ ଚର୍ଚ୍ଚା ହେଉଛି । ଆଉ ତାହା ହେଲା ନୂଆ ଚେହେରାକୁ ସାମ୍ନାକୁ ଆଣିଛି ଦଳ । ଯାହାପରେ ବରିଷ୍ଠ ନେତାଙ୍କ ଭାଗ୍ୟକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି ।

୩ଟି ରାଜ୍ୟରେ କଂଗ୍ରେସ ହାରିଥିବା ବେଳେ ତେଲଙ୍ଗାନାରେ ଦଳ ବିଜୟୀ ହୋଇ ସରକାର ଗଢ଼ିଛି । ଆଉ ଏହାର ଶ୍ରେୟ ଯାଇଛି ୫୪ବର୍ଷୀୟ ଫାୟାର ବ୍ରାଣ୍ଡ ନେତା ରେବନ୍ତ ରେଡ୍ଡୀଙ୍କୁ । ତେଲେଙ୍ଗାନାରେ ଆରମ୍ଭ ହୋଇଛି ରେବନ୍ତ ରେଡ୍ଡୀ ରାଜ୍ । ୧୧୯ଟି ବିଧାନସଭା ଆସନ ବିଶିଷ୍ଟ ତେଲେଙ୍ଗାନାରେ କଂଗ୍ରେସ ୬୪ଟି ଆସନରେ ବିଜୟୀ ହୋଇ ସରକାର ଗଢ଼ିଛି । ରେବନ୍ତ ରେଡ୍ଡୀଙ୍କୁ ରାଜ୍ୟପାଳ ଟି. ସୌନ୍ଦରରାଜନ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏଥିପାଇଁ ହାଇଦ୍ରାବାଦର ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା । ରେବନ୍ତ ରେଡ୍ଡୀଙ୍କ ସହ ଭଟ୍ଟି ବିକ୍ରମାର୍କା ମଲ୍ଲୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ୧୦ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ଉତ୍ସବରେ ଉପସ୍ଥିତ ଜନତା ବେଶ ଉତ୍ସାହିତ ଥିଲେ । କୁହାଯାଉଛି ୫୪ ବର୍ଷୀୟ ରେବନ୍ତ ରେଡ୍ଡୀଙ୍କ ନେତୃତ୍ୱରେ ଲଢିଥିବା କଂଗ୍ରେସ ୧୦ ବର୍ଷ ଧରି ସରକାରରେ ଥିବା କେ. ଚନ୍ଦ୍ରଶେଖର ରାଓଙ୍କୁ କ୍ଷମତାଚ୍ୟୁତ କରିବାରେ ସମର୍ଥ ହେଲା । ୨୦୧୯ରୁ ସେ ମାଲକାଜଗିରିରୁ କଂଗ୍ରେସ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ରେବନ୍ତ ରେଡ୍ଡୀଙ୍କ ସାଂଗଠିନକ ରଣନୀତି ଓ ଡିକେ ଶିବକୁମାରଙ୍କ ରାଜନୈତିକ ଗୋଟିଚାଳନା ଆଗରେ ଫେଲ ମାରିଲା ସ୍ୱତନ୍ତ୍ର ତେଲେଙ୍ଗାନା ଆନ୍ଦୋଳନର ସୂତ୍ରଧର କେସିଆରଙ୍କ ସବୁ ଯୋଜନା । ସେଥିପାଇଁ ପୁରସ୍କାର ସ୍ୱରୂପ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଅଭିଶେକ କରାଇଛନ୍ତି କଂଗ୍ରେସ ହାଇକମାଣ୍ଡ ।

– ୫୪ ବର୍ଷୀୟ ରେବନ୍ତ ରେଡ୍ଡୀ, ଯୁବାବସ୍ଥାରୁ ରାଜନୀତିରେ ସକ୍ରୀୟ ଅଛନ୍ତି
– ଛାତ୍ର ଥିବା ସମୟରେ ସେ ଏବିଭିପି ସହ ଜଡ଼ିତ ଥିଲେ
– ୨୦୦୬ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ିଥିଲେ
– ପରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ତେଲୁଗୁ ଦେଶମ ପାର୍ଟି(ଟିଡିପି)ରେ ଯୋଗ ଦେଇଥିଲେ
– ଟିଡିପି ଟିକେଟରେ ୨୦୦୯ରେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ
– ୨୦୧୪ରେ ମଧ୍ୟ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ
– ୨୦୧୭ରେ କଂଗ୍ରେସରେ ମିଶିଥିଲେ
– ୨୦୧୮ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ରେବନ୍ତ ରେଡ୍ଡୀ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ
– କୋଡ଼ଙ୍ଗଲ ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ
– ୨୦୧୯ରେ ମାଲକାଜଗିରିରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ
– ୨୦୨୧ରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ରେବନ୍ତଙ୍କୁ ଦଳର ତେଲେଙ୍ଗାନା ମୁଖ୍ୟ ଦାୟିତ୍ୱ ଦେଇଥିଲେ

ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନରେ ଗୋଟିଏ ରାଜ୍ୟରେ ଉଠିଛି ହାତ । ଏଥିସହ ଦେଶରେ କେବଳ ୩ଟି ରାଜ୍ୟରେ କ୍ଷମତାରେ ରହିଛି ଏହି ସର୍ବପୂରାତନ ଦଳ । ତେଣୁ ଦକ୍ଷିଣ ଭାରତୀୟ ରାଜ୍ୟ ତେଲେଙ୍ଗାନାରେ କଂଗ୍ରେସର ବିଜୟ, ନିରାଶା ଭିତରେ ଦଳରେ ନୂଆ ଉତ୍ସାହ ଭରିଦେଇଛି ।