ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକଙ୍କ ସହ ଅଲୋଚନା ପରେ ନିଆଗଲା ନିଷ୍ପତି

164

କନକ ବ୍ୟୁରୋ : କେ, ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକଙ୍କ ସହ ଆଲୋଚନା ପରେ କଂଗ୍ରେସ ହାଇକମାଣ୍ଡ ରେବାନ୍ତଙ୍କ ନାମ ଉପରେ ମୋହର ଲଗାଯାଇଥିବା ସୂଚନା ମିଳିଛି । ଡିସେମ୍ବର ୭ ତାରିଖରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି । ୨୦୨୧, ଜୁନ୍-ଜୁଲାଇରେ ତାଙ୍କୁ ତେଲେଙ୍ଗାନା କଂଗ୍ରେସର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ଏହା ପରେ ସେ ଲଗାତର ତୃଣମୂଳ ସ୍ତରରେ କାମ କରିଆସୁଛନ୍ତି । ବିଧାନସଭା ନିର୍ବାଚନ ଜିତିବା ପରେ ହାଇକମାଣ୍ଡଙ୍କର ସେ ପ୍ରଥମ ପସନ୍ଦ ମଧ୍ୟ ରହିଆସିଛନ୍ତି । ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସର ଜବରଦସ୍ତ ବିଜୟରେ ରେବାନ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଦୀର୍ଘ ୧୦ ବର୍ଷ ଧରି ଶାସନରେ ଥିବା କେସିଆରଙ୍କ ବିଆରଏସ୍କୁ ଗାଦିଚ୍ୟୁତ କରିଥିଲା କଂଗ୍ରେସ । ରେବନ୍ତ ୨୦୧୯ରେ ଲୋକସଭା ନିର୍ବାଚନରେ ଟିଆରଏସ ପ୍ରାର୍ଥୀଙ୍କ ଠାରୁ ହାରିଯାଇଥିଲେ । କିନ୍ତୁ ୨୦୨୩ ବିଧାନସଭା ନିର୍ବାଚନ ପାଇଁ ତାଙ୍କୁ ବିଧାୟକ ଟିକେଟ୍ ଦେଇଥିଲା କଂଗ୍ରେସ । ଚଳିତଥର ସେ ଦୁଇଟି ସ୍ଥାନରୁ ବିଧାୟକ ଆସନ ପାଇଁ ଲଢ଼ିଥିବା ବେଳେ ଗୋଟିଏରେ ବିଜୟୀ ହୋଇଥିଲେ ଏବଂ ଆଉ ଗୋଟିଏରେ ପରାସ୍ତ ହୋଇଥିଲେ । ନିର୍ବାଚନ ଜିତିବା ପରେ ସମର୍ଥକ ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ଅଡ଼ି ବସିଥିଲେ । ଆଉ ହାଇକମାଣ୍ଡ ମଧ୍ୟ ରେବନ୍ତଙ୍କ ନାଁ ଉପରେ ମୋହର ମାରିଛନ୍ତି । ତେବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କେବଳ ଆନୁଷ୍ଠାନିକ ଘୋଷଣା କରିବେ ।