କନକ ବ୍ୟୁରୋ: ତେଲେଙ୍ଗାନାରେ ଆଜିଠୁ ଆରମ୍ଭ ହେଲା ରେବାନ୍ତ ରାଜ୍ । ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ରେବାନ୍ତ ରେଡ୍ଡୀ । ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ତେବେ ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନାର ରାଜ୍ୟପାଳ ରେବନ୍ତଙ୍କୁ ଶପଥ ପାଠ କରାଇଥିବାବେଳେ, ଏହି କାର୍ଯ୍ୟକ୍ରମରେ ମଲ୍ଲିକାର୍ଜୁନଙ୍କ ଖଡଗେଙ୍କ ସମେତ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରୈମୟା, ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସହିତ ତମାମ କଂଗ୍ରେସ ନେତା ଉପସ୍ଥିତ ରହିଥିଲେ ।

Advertisment

ରେବନ୍ତ ରେଡ୍ଡୀ ତେଲେଙ୍ଗାନା ପ୍ରଦେଶ କଂଗ୍ରେସର ସଭାପତି ଥିଲେ । ଆଉ ଏବେ ସେ ରାଜ୍ୟର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ୨୦୧୩ ମସିହାରେ ତେଲେଙ୍ଗାନା ପ୍ରଦେଶ ଗଠନ ହେବା ପରେ ପ୍ରଥମ ଥର ପାଇଁ ଏଠି କଂଗ୍ରେସ ସତ୍ତା ହାସଲ କରିଛି । ଆଉ କେସିଆରଙ୍କ ପରେ ମୁଖ୍ୟମନ୍ତ୍ରୀ ଭାବେ ତେଲେଙ୍ଗାନାର ଦାୟିତ୍ୱ ନେଇଛନ୍ତି ରେବନ୍ତ ରେଡ୍ଡୀ । ଏଥିସହିତ ଭଟ୍ଟି ବିକ୍ରମାର୍କ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରେବନ୍ତ ରେଡ୍ଡୀଙ୍କ ସହିତ ୧୧ ଜଣ ମନ୍ତ୍ରୀ ଆଜି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏଥରର ବିଧାନସଭା ନିର୍ବାଚନରେ ତେଲେଙ୍ଗାନାରେ ଜବରଦସ୍ତ ବିଜୟ ହାସଲ କରିଛି କଂଗ୍ରେସ । ମେଟା ୧୧୯ ଆସନରୁ କଂଗ୍ରେସ ୬୪ଟି ସିଟରେ ବିଜୟ ହାସଲ କରିଛି । ସେହିପରି ବିଆରଏସ ୩୯ ସିଟ୍ ଜିତିବାକୁ ସକ୍ଷମ ହେଇଛି, ଏବଂ ବିଜେପି ୮ଟି ସିଟ୍ ଜିତିପାରିଛି । ତେବେ କର୍ଣ୍ଣାଟକ ପରେ ତେଲେଙ୍ଗାନା ହେଉଛି ଦକ୍ଷିଣ ଭାରତର ଦ୍ୱିତୀୟ ରାଜ୍ୟ, ଯେଉଁଠି କଂଗ୍ରେସ ଏକାକି ନିଜ ଶକ୍ତିରେ ସରକାର ଗଠନ କରିପାରିଛି । ଏଥିସହିତ ତାମିଲନାଡୁର ଡିଏମକେ ସରକାର ସହ ମଧ୍ୟ କଂଗ୍ରେସର ମେଣ୍ଟ ରହିଛି ।

ରେବନ୍ତ ରେଡ୍ଡୀଙ୍କ ଜନ୍ମ ୧୯୬୯ ମସିହାରେ ଅବିଭାଜିତ ଆନ୍ଧ୍ରପ୍ରଦେଶର ମହବୁବନଗରରେ ହେଇଥିଲା । ରେଡ୍ଡୀ ଛାତ୍ର ରାଜନୀତିରେ ଏବିଭିପି ସହ ଜଡିତ ଥିଲେ । ଏହାପରେ ସେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟିରେ ସାମିଲ ହେଇଥିଲେ । ୨୦୦୯ରେ ସେ ଆନ୍ଧ୍ରର କୋଡାଙ୍ଗଲ ଆସନରୁ ଟିଡିପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହେଇଥିଲେ । ୨୦୧୪ ମସିହାରେ ତେଲେଙ୍ଗାନା ବିଧାନସଭାରେ ଟିଡିପି ତାଙ୍କୁ ଗୃହର ନେତା ଭାବେ ଚୟନ କରିଥିଲା ।

୨୦୧୭ ମସିହାରେ ରେବନ୍ତ ରେଡ୍ଡୀ କଂଗ୍ରେସରେ ସାମିଲ ହେଇଥିଲେ । ହେଲେ ୨୦୧୮ ମସିହାରେ ସେ ବିଧାନସଭା ନିର୍ବାଚନ ହାରିଯାଇଥିଲେ । ଏହାପରେ ୨୦୧୯ରେ ସେ ଲୋକସଭା ନିର୍ବାଚନ ଲଢିବା ସହିତ ବିଜୟୀ ହେଇଥିଲେ । ଆଉ ୨୦୨୧ରେ ଦଳ ତାଙ୍କୁ ପ୍ରଦେଶ ଅଧ୍ୟକ୍ଷର ଦାୟିତ୍ୱ ଦେଇଥିଲା । ତାଙ୍କରି ନେତୃତ୍ୱରେ ଦଳ ୨୦୨୩ ନିର୍ବାଚନ ଲଢିବା ସହିତ ଏବେ ତେଲେଙ୍ଗାନାର ସତ୍ତା ହାସଲ କରିଛି ।