ତେଲେଙ୍ଗାନାରେ ଆରମ୍ଭ ହେଲା ରେବନ୍ତ ରାଜ । ‘ବାହୁବଳୀ’ ଷ୍ଟାଇଲରେ ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ

1,095

କନକ ବ୍ୟୁରୋ : ଏଭଳି ନିଆରା ଅନ୍ଦାଜରେ ଶପଥପାଠ ସହ ତେଲେଙ୍ଗାନାରେ ଆରମ୍ଭ ହୋଇଛି ରେବନ୍ତ ରାଜ୍ । ଦେଶର ସର୍ବକନିଷ୍ଠ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି କଂଗ୍ରେସ ଶାସନ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ଦମଦାର ଅନ୍ଦାଜରେ ଶପଥ ପାଠ କରିଛନ୍ତି ରେବନ୍ତ ରେଡ୍ଡୀ । ବାହୁବଳୀ ଫିଲ୍ମ ସମସ୍ତଙ୍କର ମନେ ଥିବ, ଫିଲ୍ମରେ ମାହିସ୍ମତି ସାମ୍ରାଜ୍ୟର ସେନାଧ୍ୟକ୍ଷ ଭାବେ ଯେଉଁଭଳି ଭାବେ ଶପଥ ନେଇଥିଲେ ଅମରେନ୍ଦ୍ର ବାହୁବଳୀ, ଠିକ୍ ସେମିତି ଅନ୍ଦାଜରେ ଶପଥ ନେଇଛନ୍ତି ରେବନ୍ତ ରେଡ୍ଡୀ । ଏହାର ଉତ୍ସାହ ଉପସ୍ଥିତ ଲୋକଙ୍କ ଭିତରେ ମଧ୍ୟ ଦେଖବାକୁ ମିଳିଛି । ରାଜ୍ୟପାଳ ଟି. ସୌନ୍ଦରରାଜନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏଥିପାଇଁ ହାଇଦ୍ରାବାଦର ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା । ରେବନ୍ତ ରେଡ୍ଡୀଙ୍କ ସହ ଭଟ୍ଟି ବିକ୍ରମାର୍କା ମଲ୍ଲୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ୧୦ ଜଣ ବିଧାୟକ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ୧୧୯ ବିଧାନସଭା ଆସନ ବିଶିଷ୍ଟ ତେଲେଙ୍ଗାନାରେ କଂଗ୍ରେସ ୬୪ଟି ଆସନରେ ବିଜୟୀ ହୋଇ ସରକାର ଗଢ଼ିଛି ।

କୁହାଯାଉଛି ୫୪ ବର୍ଷୀୟ ରେବନ୍ତ ରେଡ୍ଡୀଙ୍କ ନେତୃତ୍ୱରେ ଲଢିଥିବା କଂଗ୍ରେସ ୧୦ ବର୍ଷ ଧରି ସରକାରରେ ଥିବା କେ. ଚନ୍ଦ୍ରଶେଖର ରାଓଙ୍କୁ କ୍ଷମତାଚ୍ୟୁତ କରିବାରେ ସମର୍ଥ ହେଲା । ୨୦୧୯ରୁ ସେ ମାଲକାଜଗିରିରୁ କଂଗ୍ରେସ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ରେବନ୍ତ ରେଡ୍ଡୀଙ୍କ ସାଂଗଠିନକ ରଣନୀତି ଓ ଡିକେ ଶିବକୁମାରଙ୍କ ରାଜନୈତିକ ଗୋଟିଚାଳନା ଆଗରେ ଫେଲ ମାରିଲା ସ୍ୱତନ୍ତ୍ର ତେଲେଙ୍ଗାନା ଆନ୍ଦୋଳନର ସୂତ୍ରଧର କେସିଆରଙ୍କ ସବୁ ଯୋଜନା । ସେଥିପାଇଁ ପୁରସ୍କାର ସ୍ୱରୂପ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଅଭିଶେକ କରାଇଛନ୍ତି କଂଗ୍ରେସ ହାଇକମାଣ୍ଡ ।

ରେବନ୍ତ ରେଡ୍ଡୀଙ୍କ ବିଜୟ ତିଳକ ବେଳେ ଉପସ୍ଥିତ ଥିଲେ ସୋନିଆ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ । ଶପଥ ଉତ୍ସବରେ ଯୋଗା ଦେବାକୁ ଆସିଥିବା ଏଆଇସିସି ନେତାମାନଙ୍କୁ ପାଛୋଟି ଆଣିବା ପାଇଁ ନିଜେ ରେବନ୍ତ ରେଡ୍ଡୀ ବିମାନବନ୍ଦ ଯାଏଁ ଯାଇଥିଲେ । ଏପରିକି ସୋନିଆଙ୍କ ପାଦତଳେ ପଡି ଆଶୀର୍ବାଦ ନେଇଥିଲେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ । କୁହାଯାଏ ଗାନ୍ଧୀ ପରିବାରର ଅନୁଗତଙ୍କୁ କଂଗ୍ରେସ ସବୁବେଳେ ଅଗ୍ରାଧିକାର ଦେଇଆସିଛି । ଆଉ ସେହି କ୍ରମରେ ମୁଖ୍ୟମନ୍ତ୍ରୀ ପଦ ଲାଗି ଉତମ ରେଡ୍ଡୀଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ଶେଷର ରେବନ୍ତ ରେଡ୍ଡୀଙ୍କ ମୁଣ୍ଡରେ ଶିରିପା ବନ୍ଧାଯାଇଛି ।