ଘରକୁ ଫେରିଲେ ଅଲିମ୍ପିକ୍ସ ପଦକ ବିଜୟୀନି ମୀରାବାଇ ଚାନୁ । ଦିଲ୍ଲୀ ଏୟାରପୋର୍ଟରେ ଦିଆଗଲା ଭବ୍ୟ ସ୍ୱାଗତ

231

କନକ ବ୍ୟୁରୋ: ଅଲିମ୍ପିକ୍ସରେ ଚମତ୍କାର ଦେଖାଇ ସ୍ୱଦେଶ ଫେରିଲେ ଚାନୁ । ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ଆଜି ଆସି ଦିଲ୍ଲୀ ବିମାନବନ୍ଦରରେ ପହଂଚିଛନ୍ତି । ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ବିଭିନ୍ନ ସ୍ଲୋଗାନ ଦେଇ ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରାଯାଇଥିବା ବେଳେ ଭାରତ ମାତାକୀ ଜୟ ଧ୍ୱନିରେ କମ୍ପି ଯାଇଥିଲା ପୁରା ପରିବେଶ ।

ଶନିବାର ଦିନ ଟୋକିଓ ଅଲିମ୍ପିକ୍ସରେ ୪୯ କେଜି ବର୍ଗରେ ଚାନୁଙ୍କୁ ରୌପ୍ୟ ପଦକ ମିଳିଛି । କ୍ଲିନ୍ ଆଣ୍ଡ ଜର୍କରେ ଚାନୁ ଦ୍ୱିତୀୟ ପ୍ରୟାସରେ ୧୧୫ କେଜି ଓଜନ ଉଠାଇବାରେ ସଫଳ ହୋଇଥିଲେ । ଏହାକୁ ମିଶାଇ ସେ ମୋଟ୍ ୨୦୨ କେଜି ଭାର ଉଠାଇଥିଲେ । ଏହା ପୂର୍ବରୁ କର୍ଣ୍ଣମ ମାଲେଶ୍ୱରୀ ୨୦୦୦ ମସିହାର ସିଡନୀ ଅଲିମ୍ପିକ୍ସରେ ଦେଶକୁ ପ୍ରଥମ ମହିଳା ଭାରୋତଳନ ପଦକ ଦେଇଥିଲେ ।

ଟୋକିଓରେ ଭାରତର ଟେକ ରଖିଥିବା ଚାନୁଙ୍କ ଏହି ସଫଳତା ପରେ ସାରା ଦେଶ ସମେତ ତାଙ୍କ ପରିବାରରେ ଖେଳି ଯାଇଛି ଖୁସିର ପରିବେଶ । ମୀରାବାଇ ଚାନୁଙ୍କୁ ଚୀନ ପ୍ରତିପକ୍ଷ ଭାରତୋଳନରେ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଇଣ୍ଡୋନେସିଆ ପ୍ରତିଦ୍ୱନ୍ଦୀ ବ୍ରୋଂଜ୍ ପଦକ ଜିତିଥିଲେ ।