ସ୍ଥାୟୀ ଆବାସିକ ପ୍ରମାଣପତ୍ର ପ୍ରସଙ୍ଗକୁ କେନ୍ଦ୍ର କରି ଅରୁଣାଚଳରେ ଚାଲିଥିବା ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେଇଛି । ସ୍ଥାନୀୟ ଅଂଚଳର ୧୮ଟି ଛାତ୍ର ଗୋଷ୍ଠୀ ଏବଂ ନାଗରିକ ସଂଗଠନ ଦ୍ୱାରା ଚାଲିଥିବା ଆନ୍ଦୋଳନ ଉଗ୍ର ରୂପ ନେଇଥିବା ବେଳେ ଆନ୍ଦୋଳନକାରୀ ମାନେ ଆଜି କର୍ଫ୍ୟୁ ସତ୍ତେ୍ୱ ଉପମୁଖ୍ୟମନ୍ତ୍ରୀ ଚାଉନା ମୀନଙ୍କ ବାସଭବନକୁ ଜାଳି ଦେଇଛନ୍ତି । ୬ ଜଣ ବରିଷ୍ଠ ଅଧିକାରୀଙ୍କ ଦପ୍ତରରେ ମଧ୍ୟ ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଥିବା ଖବର ମିଳିଛି । ଆନ୍ଦୋଳନକାରୀ ମାନେ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ କରୁଥିବାରୁ ସୁରକ୍ଷା ବଢ଼ାଇ ଦିଆଯାଇଛି । ଇଟାନଗର ଏବଂ ଆଖପାଖ ଅଂଚଳରେ ଆନ୍ଦୋଳନକାରୀମାନେ ୧୫୦ ରୁ ଅଧିକ ଗାଡ଼ି ପୋଡ଼ି ଦେଇଛନ୍ତି ।
ଗତକାଲି ପୁଲିସ ଗୁଳିରେ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିବା ପରେ ଆନ୍ଦୋଳନକାରୀମାନେ ସରକାରୀ କାର୍ୟ୍ୟାଳୟ ଏବଂ ସାର୍ବଜନୀନ ସମ୍ପତ୍ତିକୁ ଟାର୍ଗେଟ୍ କରି ଭଙ୍ଗାରୁଜା ଏବଂ ପୋଡ଼ାଜଳା ଜାରି ରଖିଛନ୍ତି । ଇଟାନଗରରେ କେତେକ ଦୋକାନରେ ମଧ୍ୟ ଆଜି ଆନ୍ଦୋଳନକାରୀ ନିଆଁ ଲଗାଇବାକୁ ଉଦ୍ୟମ କରିବା ପରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏହାପରେ ଇଣ୍ଟରନେଟ୍ ସେବା ବନ୍ଦ କରାଯିବା ସହ ସେନା ଫ୍ଲାଗ୍ ମାର୍ଚ୍ଚ କରିଥିଲା । ଗତକାଲି ସୁରକ୍ଷା କର୍ମୀ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଘଟିଥିବା ସଂଘର୍ଷରେ ୫୦ ରୁ ଅଧିକ ଆହତ ହୋଇଛନ୍ତି। ଏଥିରେ ପ୍ରାୟ ୩୦ ଜଣ ପୁଲିସ କର୍ମୀ ରହିଥିବା ଜଣାପଡ଼ିଛି । ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିବାରୁ ଆଜି ଆଇଟିବିପିର ଆଉ ୬ କମ୍ପାନି ଯବାନ ଇଟାନଗରରେ ମୁତୟନ ହୋଇଛନ୍ତି । ଅରୁଣାଚଳର ମୂଳ ବାସିନ୍ଦାଙ୍କ ବ୍ୟତୀତ ବାହାରୁ ଆସିଥିବା ଲୋକଙ୍କୁ ସ୍ଥାୟୀ ଆବାସିକ ପ୍ରମାଣପତ୍ର ଦିଆଯାଇପାରିବ ନାହିଁ ବୋଲି ଆନ୍ଦୋଳନକାରୀ ସଂଗଠନଗୁଡ଼ିକ ଜିଦରେ ଅଟଳ ଅଛନ୍ତି ଏବଂ ଏ ସଂକ୍ରାନ୍ତ ଆଲୋଚନା ପାଇଁ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/arunachal-violence-970.jpeg)
/kanak/media/post_attachments/wp-content/uploads/2019/02/Arunachal-Violence-300x200.jpg)