କୃଷକଙ୍କ ସମର୍ଥନରେ ବାହାରିଲେ ବକ୍ସର ବିଜେନ୍ଦ୍ର ସିଂ । ଆଇନ ପ୍ରତ୍ୟାହାର ନକଲେ ଫେରାଇବେ ପୁରସ୍କାର

569

କନକ ବ୍ୟୁରୋ : ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ଏବେ ୧୧ ଦିନରେ ପହଂଚିଛି । କେନ୍ଦ୍ରସରକାରଙ୍କ କୃଷି ଆଇନକୁ ବିରୋଧ କରି ହଜାର ହଜାର କୃଷକ ଆଜିକୁ ୧୧ ଦିନ ହେବ ଦିଲ୍ଲୀ ସୀମାରେ ଧାରଣା ଦେଇଛନ୍ତି । ଏହା ମଧ୍ୟରେ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ୫ ଥର ବୈଠକ ବସିଥିଲେ ବି ବୈଠକରୁ କିଛି ନିସ୍କର୍ଷ ବାହାରିପାରି ନାହିଁ । ସରକାର ଆଇନରେ ସଂଶୋଧନ ପାଇଁ ରାଜି ହୋଇଥିବା ବେଳେ ସମ୍ପୁର୍ଣ୍ଣ ଆଇନକୁ ପତ୍ୟାହାର କରିବା ଦାବିରେ ଅଡି ବସିଛନ୍ତି କୃଷକ ମାନେ । ଏହା ମଧ୍ୟରେ କୃଷକ ଆନ୍ଦୋଳନକୁ ଦେଶ ତଥା ଦେଶ ବାହାରୁ ସମର୍ଥନର ସୁଅ ଛୁଟିଛି । ନେତା, ଅଭିନେତା ଓ ଖେଳାଳୀ ମାନେ ସେମାନଙ୍କର ସମର୍ଥନ କୃଷକ ମାନଙ୍କ ସହିିତ ରହିଥିବା କହିବା ସହିତ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ସରକାରଙ୍କ ଦ୍ୱାରା ତାଙ୍କୁ ଦିଆଯାଇଥିବା ପଦ୍ମବିଭୂଷଣ ପୁରସ୍କାର ଫେରାଇ ଦେଇଛନ୍ତି । କଥା ସେତିକିରେ ସରି ନାହିଁ , ଭାରତର ପ୍ରସିଦ୍ଧ ବକ୍ସର ବିଜେନ୍ଦ୍ର ସିଂ ବି ଆଜି କୃଷକ ମାନେ ଆନ୍ଦୋଳନ କରୁଥିବା ସ୍ଥଳରେ ପହଂଚି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ସରକାର ଯଦି ଏଭଳି କୃଷକ ବିରୋଧୀ କୃଷି ଆଇନକୁ ପ୍ରତ୍ୟାହାର ନକରିନ୍ତି ତେବେ ତାଙ୍କୁ ସରକାର ପ୍ରଦାନ କରିଥିବା ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଫେରାଇ ଦେବାକୁ ସେ କହିଛନ୍ତି । ବିଜେନ୍ଦ୍ରଙ୍କ ପୂର୍ବରୁ ବଲିଉଡ କଣ୍ଠଶିଳ୍ପୀ ଏବଂ ଅଭିନେତା ଦଲଜିତ୍ ଦୋସାଞ୍ଜ ବି କୃଷକ ମାନଙ୍କୁ ତାଙ୍କର ସମର୍ଥନ ଜଣାଇଛନ୍ତି । ଏହା ସହ ସେ ଆନ୍ଦୋଳନରେ ସାମିଲ ହୋଇଥିବା କୃଷକ ମାନଙ୍କ ପାଇଁ ୧ କୋଟି ଟଙ୍କା ବି ଦାନ କରିଛନ୍ତି ।
ସୂଚନା ଥାଉକି କୃଷକ ମାନେ ନୂତନ କୃଷିବିଲକୁ ପ୍ରତ୍ୟାହାର କରିବା ଦାବିରେ ୧୧ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି । ଏହା ସହ ଆସନ୍ତା କାଲି କୃଷକ ମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ଭାରତ ବନ୍ଦ ଡାକରାକୁ କଂଗ୍ରେସ, ଏନସିପି, ଆପ୍ ଓ ବାମଦଳ ମାନେ ସମର୍ଥନ ଜଣାଇଛନ୍ତି । ଅନ୍ୟପଟେ ବିହାରର ମହାଗଠବନ୍ଧନ ବି ଏହି ଭାରତବନ୍ଦକୁ ସମର୍ଥନ ଜଣାଇ ଗତକାଲିଠାରୁ ବିହାର ଗାନ୍ଧୀ ମୈଦାନରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।