ଡାକ୍ତରଙ୍କ ପାଇଁ ଖୁସିଖବର । ଉତ୍ତରପ୍ରଦେଶରେ ଡାକ୍ତରଙ୍କ ଅବସରକାଳୀନ ବୟସସୀମା ୭୦କୁ ବଢିବ, ଖୁବଶୀଘ୍ର ସରକାର କରିପାରନ୍ତି ଘୋଷଣା ।

121

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାସ କେଇଟା ବାକି ରହିଛି । ତେବେ ଏହା ପୂର୍ବରୁ ଯୋଗୀ ସରକାର ବଡ ବଡ ଘୋଷଣା କରୁଛନ୍ତି । ଏପରିକି ଆଗାମୀ ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ଯୋଗୀ ସରକାର । ଆଉ ଉତ୍ତର ପ୍ରଦେଶ ସରକାର ଯେଉଁ ପଦକ୍ଷେପ ନେବାକୁ ଯାଉଛନ୍ତି ତାହା ଡାକ୍ତରଙ୍କ ପାଇଁ ବଡ ଖୁସି ଆଣିଦେବ । କାରଣ ଡାକ୍ତରଙ୍କ ଅବସରକାଳୀନ ବୟସ ସୀମାକୁ ବଢାଇବାକୁ ଯାଉଛନ୍ତି ଯୋଗୀ ସରକାର । କରୋନା ଓ ଅନ୍ୟ ରୋଗକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଏହି ବଡ ଘୋଷଣା କରିପାରେ । ଆଉ ଏହି ଘୋଷଣା ହେବା ସହ ଉତ୍ତରପ୍ରଦେଶର ସରକାରୀ ହସ୍ପିଟାଲରେ କାମ କରୁଥିବା ଡାକ୍ତରଙ୍କ ଅବସରକାଳୀନ ବୟସ ସୀମା ୬୫ରୁ ବଢି ୭୦ ହୋଇଯିବ ।

ଉତ୍ତରପ୍ରଦେଶର ଡାକ୍ତରଙ୍କ ପାଇଁ ଖୁସି ଖବର । ଡାକ୍ତରଙ୍କ ଅବସରକାଳୀନ ବୟସ ସୀମା ବଢାଇବାକୁ ସରକାରୀସ୍ତରରେ ଆଲୋଚନା ସରିଥିବା ବେଳେ କେବଳ କ୍ୟାବିନେଟ ବୈଠକରେ ମୋହର ବାଜିବାକୁ ଅପେକ୍ଷା କରାଯାଇଛି । ଉତ୍ତରପ୍ରଦେଶର ଶିକ୍ଷାମନ୍ତ୍ରୀଙ୍କ କହିବା ଅନୁଯାୟୀ, କରୋନା କାଳରେ ଆମକୁ ଅଧିକ ଅନୁଭବୀ ତଥା ଦକ୍ଷ ଡାକ୍ତରଙ୍କ ଆବଶ୍ୟକତା ରହିଛି । ତେଣୁ ଅବସର ପରେ ଡାକ୍ତର ଅନ୍ୟ କେଉଁ ପ୍ରାଇଭେଟ କ୍ଲିନିକରେ କାମ କରିବା ଅପେକ୍ଷା ସରକାରୀ ହସ୍ପିଟାଲରେ ଜନସାଧାରଣଙ୍କ ସେବା କରିବା ଉଚିତ୍ । ଏହାଦ୍ୱାରା ଡାକ୍ତରଙ୍କ ଅଭାବ ପୂରଣ ହେବା ସହ ଭଲ ଚିକିତ୍ସା ମଧ୍ୟ ପାଇପାରିବେ ଲୋକେ । ତେଣୁ ଡାକ୍ତରଙ୍କ ଅବସରକାଳୀନ ବୟସ ସୀମାକୁ ବଢାଇବାକୁ ପ୍ରସ୍ତାବ ଦିଆଯାଇଛି । ଯେଉଁ ପ୍ରସ୍ତାବକୁ ଯୋଗୀ ଆଦିତ୍ୟନାଥ ସବୁଜ ସଂକେତ ଦେଇଥିବା ବେଳେ କେବଳ କ୍ୟାବିନେଟ ମଞ୍ଜୁରୀକୁ ଅପେକ୍ଷା କରାଯାଇଛି ।

ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସରକାର ଏବେ ଜନସାଧାରଣଙ୍କୁ ବିକାଶମୂଳକ କାର୍ଯ୍ୟର ହିସାବ ଦେଉଛନ୍ତି । କିନ୍ତୁ ବିରୋଧୀଙ୍କ ପାଖରେ କୌଣସି ମୁଦ୍ଦା ନଥିବାରୁ ଚାଷୀଙ୍କୁ ଉସକାଇ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି । ତେବେ ବିରୋଧୀଙ୍କ ଏଭଳି ରାଜନୀତିକୁ ଜନତା ଜନାର୍ଦ୍ଦନ ଠିକ ବୁଝିଛନ୍ତି । ଏହାଛଡା ବିଜେପି ଉପରେ ଲୋକେ ଯେଉଁ ଭରସାର ଭୋଟ ଦେଇଥିଲେ ତାହା ସରକାର କରି ଦେଖାଇଛନ୍ତି ବୋଲି କହିଛନ୍ତି ବିଜେପି ନେତା ସୁରେଶ ଖତ୍ରା ।