କନକ ବ୍ୟୁରୋ: ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ପରିବେଶ ପ୍ରେମ । ବିଭିନ୍ନ ପ୍ରକାରର ଫଳ ଚାଷ ଓ ପଶୁ ପକ୍ଷୀଙ୍କ ଫାର୍ମ ହାଉସ କରି ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ଦେଉଛନ୍ତି ରୋଜଗାର । କାମାକ୍ଷାନଗର ଅଁଳାବେରେଣି ଗାଁର ଗନ୍ଧର୍ବ ସେନ ମହାରଣା ପ୍ରଥମେ ଶିକ୍ଷକତା କରୁଥିଲେ । ଏହା ପରେ ବ୍ୟାଙ୍କରେ ଚାକିରୀ କରିବା ପରେ ରେଳ ବିଭାଗରେ ଚାକିରୀ କରି ୨୦୨୦ରେ ଅବସର ଗ୍ରହଣ କରିଛନ୍ତି । ଏବେ ବିଭିନ୍ନ ପ୍ରକାରର ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ଫାର୍ମରୁ ଦୋସୋରୀ, ଆମ୍ରପଲି, ଲାଲ ସୁନ୍ଦରୀ, ବାଇଗଣ ପଲେଇ ଭଳି କୁଇଂଟାଲ କୁଇଂଟାଲ ଆମ୍ବ ଅମଳ ହେଉଛି । ଏହା ସହ ସପୁରୀ, ସେପେଟା, ଲିଚୁ, ପିଜୁଳି, ଲେମ୍ବୁ, ପଣସ, ହଳଦୀ, ଓଲୁଓ, ଅଦା ଭଳି ଚାଷ କରିଛନ୍ତି । ସେହିପରି ମେଣ୍ଢା, କୁକୁଡ଼ା, ହଂସ ପାଳନ ସହିତ ମାଛ ଚାଷ ମଧ୍ୟ କରିଛନ୍ତି ଗନ୍ଧର୍ବ ।

Advertisment

ଏହି ସବୁ ଚାଷରୁ ତାଙ୍କୁ ବର୍ଷକୁ ୭ରୁ ୮ ଲକ୍ଷ ଟଙ୍କାର ରୋଜଗାର ମିଳୁଛି । ଏହି ଫାର୍ମ ଯୋଗୁଁ ଉପକୃତ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର କିଛି ଲୋକ । ଅବସର ପରେ ଏଭଳି ପରିବେଶ ଚିନ୍ତା କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଗନ୍ଧର୍ବ ।

ଚାକିରି କରିବା ସମୟରେ ଏଭଳି ଏକ ସୁନ୍ଦର ପରିକଳ୍ପନା କରି ଏଥିରେ ସଫଳ ହୋଇଛନ୍ତି ଗନ୍ଧର୍ବ । ଜଣେ ଅବସରପ୍ରାପ୍ତ କର୍ମଚାରୀ ହୋଇ ବି ସେ ଅବସର ନେଇନାହାନ୍ତି । ପରିବେଶ ପ୍ରେମରେ ନିଜକୁ ନିୟୋଜିତ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।