କନକ ବ୍ୟୁରୋ: ଚାଲିଛି ସାକ୍ଷତକାର, ଇଣ୍ଟରଭ୍ୟୁ ଦେବାକୁ ଆସିଛନ୍ତି ଅବସରପ୍ରାପ୍ତ ଅଧିକାରୀ । ଚାକିରିରୁ ଅବସର ନେଇ ସାରିଛନ୍ତି କିନ୍ତୁ ଯୁବକଙ୍କ ଭଳି ଚାକିରି ପାଇଁ ଆଶାୟୀ ଅଛନ୍ତି । ଅବସର ପ୍ରାପ୍ତ ଓଏଏସ୍ ଅଧିକାରୀ ଶ୍ରୀମନ୍ଦିର ପ୍ରଶାସନର ରେଭିନ୍ୟୁ ବିଭାଗରେ ଟେମ୍ପୁଲ ଲ୍ୟାଣ୍ଡ କୋଡ଼ିନେଟର ପଦବୀ ପାଇଁ ଇଣ୍ଟରଭ୍ୟୁ ଦେଇଛନ୍ତି । ୮ଟି ପଦବୀ ପାଇଁ ୪୦ରୁ ଅଧିକ ଅବସରପ୍ରାପ୍ତ ଅଧିକାରୀ ନିଯୁକ୍ତ ପ୍ରକିୟାରେ ସାମିଲ ହୋଇଛନ୍ତି । ବଡ଼ କଥା ହେଉଛି, ନିଜର ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇବାର ଏକ ସୁଯୋଗ ବୋଲି ଇଣ୍ଟରଭ୍ୟୁ ପାଇଁ ଆସିଥିବା ଆଶାୟୀ କହିଛନ୍ତି ।

Advertisment
  • ଥଇଥାନ କେନ୍ଦ୍ର ପାଲଟିଛି ଶ୍ରୀମନ୍ଦିର କାର୍ଯ୍ୟାଳୟ?
  • ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦିଆଯାଉଛି ପୁନଃନିଯୁକ୍ତି !
  • ନିଯୁକ୍ତିକୁ ନେଇ ତେଜୁଛି ତୀବ୍ର ଅସନ୍ତୋଷ

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅଧିକାରୀ, କିରାଣୀ ଏବଂ କର୍ମଚାରୀଙ୍କୁ ମିଶାଇ ୪୦୦ ପଦବୀ ରହିଛି । ସେଥିରୁ ୨୦୦ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିିଛି । ତେବେ ୪୦ରୁ ଅଧିକ ପଦବୀରେ ଅଛନ୍ତି ଅବସରପ୍ରାପ୍ତ କର୍ମଚାରୀ । ନୂଆ ନିଯୁକ୍ତି ବଦଳରେ ଅବସର କର୍ମଚାରୀଙ୍କୁ ଓଏସଡି ଭାବେ ପୁନଃନିଯୁକ୍ତି ଦିଆଯାଉଛି । ଶ୍ରୀମନ୍ଦିର ପ୍ରଶାସନର ରାଜସ୍ୱ ବିଭାଗରେ ୧୨ ଜଣ, ମହାପ୍ରଭୁଙ୍କ ନୀତିରେ ୩ ଜଣ, ନାଜିରରେ ଜଣେ, ଆକାଉଣ୍ଟସରେ ୪ ଜଣ, ସାଧାରଣ ପ୍ରଶାସନରେ ୫ଜଣ କର୍ମଚାରୀ ଓ ଅଧିକାରୀଙ୍କୁ ଥଇଥାନ ହୋଇଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଦଶବର୍ଷରୁୁ ଅଧିକ ସମୟ ଧରି ଗାଡ଼ିରେ ଥିବା ସତ୍ୱେ ଅବସର ପରେ ପୁଣି ଥଇଥାନ କରାଯାଉଛି । ଶିକ୍ଷିତ ଯୁବକ ଯୁବତୀମାନେ ଚାକିରି ପାଇଁ ସଂଘର୍ଷ କରୁଥିବା ବେଳେ ଏଭଳି ନିଯୁକ୍ତିଙ୍କୁ ନେଇ ଆପତି ଉଠିଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅବସରପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କ ଏହି ନିଯୁକ୍ତି ପ୍ରକିୟା, କାର୍ଯ୍ୟଦକ୍ଷତା ବଢ଼ାଇବାରେ କେତେ ସହାୟକ ହେବ ତାହା ସବୁଠାରୁ ବଡ଼ ପ୍ରଶ୍ନ ।